ନୂଆଦିଲ୍ଲୀ,୦୭/୧୦: ମଧ୍ୟପ୍ରଦେଶର ଛିନ୍ଦୱାଡ଼ା ଜିଲ୍ଲାରେ କଫ୍ ସିରପ ଯୋଗୁଁ ୧୪ ରୁ ଅଧିକ ଶିଶୁଙ୍କ ମୃତ୍ୟୁ ଦେଶକୁ ଥରାଇ ଦେଇଛି। ଏତିକିବେଳେ ଶ୍ରୀସନ ଫାର୍ମାସ୍ୟୁଟିକାଲ୍ସ କାରଖାନା ଉପରେ ତାମିଲନାଡୁ ସରକାରଙ୍କ ୨୬ ପୃଷ୍ଠାର ଏକ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ ପ୍ରକାଶ ପାଇଛି। ରିପୋର୍ଟରେ କୁହାଯାଇଛି ଯେ କମ୍ପାନୀ କଫ ସିରପ ଉତ୍ପାଦନରେ ୩୫୦ ନିୟମ ଉଲ୍ଲଂଘନ କରିଛି। ଇଣ୍ଡିଆ ଟୁଡେ/ଆଜ୍ ତକ୍ ତାମିଲନାଡୁ ଡ୍ରଗ୍ସ ନିୟନ୍ତ୍ରଣ ବିଭାଗ ଦ୍ୱାରା କରାଯାଇଥିବା ଯାଞ୍ଚର ଏକ ସ୍ୱତନ୍ତ୍ର ରିପୋର୍ଟ ପାଇଛି, ଯାହା ପ୍ରକାଶ କରିଛି ଯେ କମ୍ପାନୀ ଅସ୍ୱାସ୍ଥ୍ୟକର ପରିସ୍ଥିତିରେ ସିରପ ଉତ୍ପାଦନ କରୁଥିଲା। ଦକ୍ଷ ମାନବସମ୍ବଳ, ଯନ୍ତ୍ରପାତି, ସୁବିଧା ଏବଂ ଉପକରଣର ଅଭାବ ଥିଲା। ଗୁଣବତ୍ତା ନିଶ୍ଚିତତା ବିଭାଗର କୌଣସି ଅସ୍ତିତ୍ୱ ନଥିଲା କହିଲେ ଚଳେ, ଏବଂ ବ୍ୟାଚ୍ ରିଲିଜ୍ ହେବା ପୂର୍ବରୁ କୌଣସି ଯାଞ୍ଚ କରାଯାଉ ନଥିଲା।
ସିରପ୍ରୁ ମିଳିଲା ବିପଦପୂର୍ଣ୍ଣ ଡିଇଜି:
ରିପୋର୍ଟ ଅନୁଯାୟୀ, ତାମିଲନାଡୁର ଶ୍ରୀସନ ଫାର୍ମାସ୍ୟୁଟିକାଲରେ "କୋଲଡ୍ରିଫ୍" କଫ ସିରପ୍ ଉତ୍ପାଦନରେ ୩୫୦ ଟି ଗୁରୁତର ତ୍ରୁଟି ପରିଲକ୍ଷିତ ହୋଇଥିଲା, ଯେଉଁଥିରେ ୩୯ ଟି ଗୁରୁତର ଏବଂ ୩୨୫ ଟି ପ୍ରମୁଖ ତ୍ରୁଟି ମିଳିଥିଲା। ସିରପ୍ରେ ୪୮.୬ ପ୍ରତିଶତ ଡାଇଥାଇଲିନ୍ ଗ୍ଲାଇକଲ୍ (ଡିଇଜି) ଥିଲା, ଯାହା କିଡନୀ ଫେଲ୍ୟୁଅର କରିବାରେ ଏକ ପ୍ରମୁଖ ରାସାୟନିକ ପଦାର୍ଥ ଅଟେ।
ପ୍ଳାଣ୍ଟର ଲେଆଉଟ୍:
ଯାଞ୍ଚରୁ ଜଣାପଡ଼ିଛି ଯେ, କୋଲଡ୍ରିଫ୍ କଫ୍ ସିରପ୍ ଅସ୍ବାସ୍ଥ୍ୟକର ପରିବେଶରେ ପ୍ରସ୍ତୁତ କରାଯାଉଥିଲା। କାରଖାନାରେ କୌଣସି ଏୟାର ହ୍ୟାଣ୍ଡଲିଂ ୟୁନିଟ୍ (ଏଏଚ୍ୟୁ) ନଥିଲା, ବାୟୁଚଳାଚଳ ଅତ୍ୟନ୍ତ ଅସ୍ବାଭାବିକ ଥିଲା ଏବଂ ଉପକରଣଗୁଡ଼ିକ କ୍ଷତିଗ୍ରସ୍ତ ଏବଂ କଳଙ୍କି ଲାଗିଯାଇଥିଲା। ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ ପ୍ଲାଣ୍ଟର ଲେଆଉଟ୍ ଏବଂ ଡିଜାଇନ୍ ପ୍ରଦୂଷଣର ଆଶଙ୍କାକୁ ବଢ଼ାଇ ଦେଇଥିଲା।
ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ, କମ୍ପାନୀ ବିନା ଇନଭଏସ୍ରେ ୫୦ କିଲୋ ପ୍ରୋପିଲିନ୍ ଗ୍ଲାଇକଲ୍ କିଣିଛି, ଯାହା ସମ୍ପୁର୍ଣ୍ଣ ବେଆଇନ। ବ୍ରେକ୍ ଫ୍ଲୁଇଡ୍, ରଙ୍ଗ ଏବଂ ପ୍ଲାଷ୍ଟିକ୍ରେ ବ୍ୟବହୃତ ଏକ ଅତ୍ୟନ୍ତ ବିଷାକ୍ତ ଶିଳ୍ପ ଦ୍ରାବକ ଡାଇଥିଲିନ୍ ଗ୍ଲାଇକଲ୍ (ଡିଇଜି) ର ଉପସ୍ଥିତି ମଧ୍ୟ ସିରପ୍ରେ ମିଳିଛି। ପ୍ରୋପିଲିନ୍ ଗ୍ଲାଇକଲ୍ ହେଉଛି ଖାଦ୍ୟ, ଔଷଧ ଏବଂ ସୌନ୍ଦର୍ଯ୍ୟ ଉତ୍ପାଦରେ ବ୍ୟବହୃତ ଏକ କମ୍ ବିଷାକ୍ତ ଶିଳ୍ପ ଦ୍ରାବକ, କିନ୍ତୁ ଡାଇଥିଲିନ୍ ଗ୍ଲାଇକଲ୍ କମ୍ ପରିମାଣରେ ମଧ୍ୟ ମଣିଷ ପାଇଁ ଘାତକ। ପ୍ରୋପିଲିନ୍ ଗ୍ଲାଇକଲ୍ ବଦଳରେ ଡିଇଜି ବ୍ୟବହାର ସାରା ବିଶ୍ୱରେ ଗଣ ବିଷାକ୍ତ ଘଟଣାର ଏକ ପ୍ରମୁଖ କାରଣ, ଯେଉଁଥିରେ ମଧ୍ୟପ୍ରଦେଶର ଛିନ୍ଦୱାଡ଼ାରେ ପିଲାମାନଙ୍କର ମୃତ୍ୟୁ ମଧ୍ୟ ଏକ ବଡ଼ ଉଦାହରଣ।
ଫର୍ମୁଲେସନ୍ ଟ୍ରାନ୍ସଫରରେ ପ୍ଲାଷ୍ଟିକ୍ ପାଇପ୍ର ବ୍ୟବହାର:
ଅଧିକାରୀମାନେ କହିଛନ୍ତି ଯେ କମ୍ପାନୀ ତରଳ ଫର୍ମୁଲେସନ ଟ୍ରାନ୍ସଫର କରିବା ପାଇଁ ପ୍ଲାଷ୍ଟିକ୍ ପାଇପ୍ ବ୍ୟବହାର କରିଥିଲା, ଫିଲ୍ଟେରେସନ ସିଷ୍ଟମର ଅଭାବ ଥିଲା ଏବଂ ରାସାୟନିକ ପଦାର୍ଥ ସିଧାସଳଖ ସାର୍ବଜନୀନ ଡ୍ରେନ୍କୁ ଛାଡ଼ିଥିଲା। ରିପୋର୍ଟରେ ଆହୁରି ଉଲ୍ଲେଖ କରାଯାଇଛି ଯେ, "ଗୁରୁତ୍ୱପୂର୍ଣ୍ଣ ଉତ୍ପାଦନ କାର୍ଯ୍ୟରେ ବ୍ୟବହୃତ ସଫା ପାଣି ଟାଙ୍କିଗୁଡ଼ିକ ଅସ୍ୱଚ୍ଛ ଅବସ୍ଥାରେ ଥିବା ଜଣାପଡ଼ିଥିଲା।" ଯାଞ୍ଚ ଦଳ ପାଖରୁ ମିଳିଥିବା ତଥ୍ୟରୁ ଜଣାପଡ଼ିଛି ଯେ, କଞ୍ଚାମାଲଗୁଡ଼ିକୁ ପରୀକ୍ଷଣ କିମ୍ବା ବିକ୍ରେତାଙ୍କ ଅନୁମୋଦନ ବିନା ଜାରି ଯାଇଥିଲା, ଏବଂ ପ୍ରତିକୂଳ ପ୍ରତିକ୍ରିୟାଗୁଡ଼ିକୁ ନିରୀକ୍ଷଣ କରିବା ପାଇଁ କୌଣସି ଔଷଧ ନିରୀକ୍ଷଣ ବ୍ୟବସ୍ଥା ନଥିଲା। ନମୁନା ସଂଗ୍ରହ ଏକ ଖୋଲା ପରିବେଶରେ କରାଯାଉଥିଲା, ଯାହାଦ୍ବାରା ଏହା ପ୍ରଦୂଷିତ ହେବାର ଶତପ୍ରତିଶତ ଚାନ୍ସ ଥିଲା।
କୌଣସି କୀଟପତଙ୍ଗକୁ ନିୟନ୍ତ୍ରଣ କରିବାର କିଛି ବ୍ୟବସ୍ଥା ନଥିଲା:
ରିପୋର୍ଟରେ ଉଲ୍ଲେଖ କରାଯାଇଛି, "କୌଣସି କୀଟପତଙ୍ଗକୁ ନିୟନ୍ତ୍ରଣ କରିବାର କୌଣସି ବ୍ୟବସ୍ଥା ନଥିଲା। ମାଛି ଧରିବା ଫ୍ଳାଏ କ୍ୟାଚର୍ସ ଏବଂ ଏୟାର୍ କଣ୍ଟେର୍ସର ଅଭାବ ପରିଲକ୍ଷିତ ହୋଇଥିଲା ଏବଂ ଉତ୍ପାଦନ କ୍ଷେତ୍ରରେ ଫିଲ୍ଟର ହୋଇଥିବା ବାୟୁ ପାଇଁ କୌଣସି ବ୍ୟବସ୍ଥା ନଥିଲା।" ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ କମ୍ପାନୀର ଦକ୍ଷ ମାନବଶକ୍ତିର ଅଭାବ ଥିଲା ଏବଂ ବିଶ୍ଳେଷଣାତ୍ମକ ପରୀକ୍ଷା ପଦ୍ଧତି କିମ୍ବା ସଫା କରିବା ପ୍ରକ୍ରିୟା ମନଇଛା ଚାଲିଥିଲା। ଯାଞ୍ଚ ପରେ, ତାମିଲନାଡୁ ସରକାର ଅକ୍ଟୋବର ୧ ରୁ ସାରା ରାଜ୍ୟରେ କଫ ସିରପ୍ କୋଲ୍ଡରିଫ୍ ବିକ୍ରୟ ଉପରେ ପ୍ରତିବନ୍ଧକ ଲଗାଇଥିଲେ ଏବଂ ବଜାରରୁ ସମସ୍ତ ଷ୍ଟକ୍ ହଟାଇବାକୁ ନିର୍ଦ୍ଦେଶ ଦେଇଥିଲେ।
ପରବର୍ତ୍ତି ନିର୍ଦ୍ଦେଶ ପର୍ଯ୍ୟନ୍ତ ଉତ୍ପାଦନ ବନ୍ଦ:
ଜଣେ ବରିଷ୍ଠ ଅଧିକାରୀ ଖବର ସରବରାହ ସଂସ୍ଥା ପିଟିଆଇକୁ କହିଛନ୍ତି ଯେ କାରଖାନାରୁ ନିଆଯାଇଥିବା ନମୁନାରେ ଅପମିଶ୍ରିତ ପଦାର୍ଥ ଥିବା ଜଣାପଡ଼ିଥିଲା। "ଆମେ ନିର୍ମାତାଙ୍କଠାରୁ ସ୍ପଷ୍ଟୀକରଣ ମାଗିଛୁ। ପରବର୍ତ୍ତୀ ସୂଚନା ପର୍ଯ୍ୟନ୍ତ ଉତ୍ପାଦନ ବନ୍ଦ ରଖାଯାଇଛି।" ତାମିଲନାଡୁ ସରକାରଙ୍କ ଫଳାଫଳରୁ ଏବେ ସୂଚିତ ହେଉଛି ଯେ ଯଦି ନିର୍ମାତା ସବୁଠାରୁ ମୌଳିକ ଔଷଧ ସୁରକ୍ଷା ମାନଦଣ୍ଡ ପାଳନ କରିଥାନ୍ତେ ତେବେ ଏହି ଦୁଃଖଦ ଘଟଣା ରୋକାଯାଇପାରିଥାନ୍ତା।