ନୂଆଦିଲ୍ଲୀ,୦୧/୧୦: ନବରାତ୍ରି ଏବଂ ଦଶହରାରେ ଖାଉଟି ବଜାରରେ ଆସିଛି ଉତ୍ସାହ । ଅନେକ ସାମଗ୍ରୀରେ ଜିଏସ୍‌ଟି କମିବା ଫଳରେ ଲୋକଙ୍କ ମଧ୍ୟରେ ଚାହିଦା ବଡ଼ ଆକାରରେ ବୃଦ୍ଧି ପାଇଛି । ଭିନ୍ନ ଭିନ୍ନ କମ୍ପାନି ନବରାତ୍ରି ଆରମ୍ଭ ଅର୍ଥାତ୍‌ ସେପ୍ଟେମ୍ବର ୨୨ରୁ ୨୮ ମଧ୍ୟରେ ସେମାନଙ୍କ ବିକ୍ରି ତଥ୍ୟ ପ୍ରଦାନ କରିଛନ୍ତି । ଏହି ଅବଧିରେ କାର୍‌ ବିକ୍ରି ୧୩୩% ପର୍ଯ୍ୟନ୍ତ ବଢ଼ିଛି । ସାବୁନ, ପେଷ୍ଟ୍‌, ବିସ୍କୁଟ୍‌ ଭଳି ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ବିକ୍ରି ମଧ୍ୟ ୨୦% ପର୍ଯ୍ୟନ୍ତ ବଢ଼ିଛି । ଗତ ସପ୍ତାହ ମଧ୍ୟରେ କାର୍‌, ମୋଟର ସାଇକେଲ୍‌, ଟିଭି, ବିଉଟି ପ୍ରଡକ୍ଟ ଏବଂ ପ୍ରିମିୟମ ଘଣ୍ଟା ଆଦି ବିକ୍ରି ଦୁଇଗୁଣା ହୋଇଛି । ଏ ବର୍ଷ ଗ୍ରାମାଞ୍ଚଳରେ ଅଧିକ ଉତ୍ସାହ ଦେଖିବାକୁ ମିଳିଛି ।

 ମାରୁତି ସୁଜୁକି, ହ୍ୟୁଣ୍ଡାଇ ଏବଂ ଟାଟା ମୋଟର୍ସ ଆଦି କମ୍ପାନିଗୁଡ଼ିକର କହିବାନୁସାରେ, ନବରାତ୍ରିର ଏଯାବତ୍‌ ସେମାନଙ୍କ ବିକ୍ରି ୧୦୦ରୁ ୧୩୩% ବଢ଼ିଛି । ଆଲୋଚ୍ୟ ଅବଧି ମଧ୍ୟରେ କାର ବିକ୍ରି ୧୦୦ରୁ ୧୩୩% ପର୍ଯ୍ୟନ୍ତ ବଢ଼ିଥିବାବେଳେ ଇଲେକ୍ଟ୍ରୋନିକ୍ସ ବିକ୍ରି ୫୦ରୁ ୧୦୦%, ଦୁଇଚକିଆ ଯାନ ବିକ୍ରି ୩୦ରୁ୪୦% ଏବଂ ଏଫ୍‌ଏମ୍‌ସିଜି ବିକ୍ରି ୧୫ରୁ୨୦% ବଢ଼ିଛି । ମାରୁତି ସୁଜୁକିର ବରିଷ୍ଠ କାର୍ଯ୍ୟନିର୍ବାହୀ ଅଧିକାରୀ ପାର୍ଥୋ ବାନାର୍ଜୀ କୁହନ୍ତି, ଶ୍ରେଷ୍ଠ-୧୦୦ ସହରରେ କମ୍ପାନିର ବୁକିଂ ପ୍ରାୟ ୧୦୦% ବୃଦ୍ଧି ପାଇଛି । ହ୍ୟୁଣ୍ଡାଇ ମୋଟର ଇଣ୍ଡିଆର ନିର୍ଦ୍ଦେଶକ ଏବଂ ସିଓଓ ତରୁଣ ଗର୍ଗ କହିଲେ, ୨୨ରୁ ୨୫ ସେପ୍ଟେମ୍ବର ମଧ୍ୟରେ ଗ୍ରାମୀଣ ବଜାରରେ ୧୩୩%ରୁ ଅଧିକ ବୁକିଂ ହୋଇଛି । 

୨୦,୦୦୦ ଟଙ୍କାରୁ ଅଧିକ ଦାମଯୁକ୍ତ ସ୍ମାର୍ଟଫୋନ୍‌ ବିକ୍ରି ଦେଢ଼ ଗୁଣା ବଢ଼ିଛି । ଏଫ୍‌ଏମ୍‌ସିଜି ଉତ୍ପାଦ ଏବଂ ଗହଣା ସପିଂ ବଡ଼ ମାତ୍ରାରେ ବଢ଼ିଛି । ପାର୍ଲେ ପ୍ରଡକ୍ଟ୍‌ସ ଅନୁସାରେ, କମ୍ପାନିର ବିତରକ ଏବଂ ଷ୍ଟକିଷ୍ଟମାନେ ୧୫ରୁ ୨୦% ଅଧିକ ସାମଗ୍ରୀ କ୍ରୟ କରିଛନ୍ତି । ପାର୍ଲେର ଉପ-ସଭାପତି ମୟାଙ୍କ ଶାହ କୁହନ୍ତି, ସମ୍ପ୍ରତି ଆଶାଠାରୁ ଅଧିକ ବିକ୍ରି ହେଉଛି । ଟାଟା କଞ୍ଜ୍ୟୁମର ପ୍ରଡକ୍ଟ୍‌ସର ଏମ୍‌ଡି ସୁନିଲ ଡିସ୍ୟୁଜା କୁହନ୍ତି, ଜିଏସ୍‌ଟି ହ୍ରାସ ଏବଂ ସରକାରୀ ବ୍ୟୟ ବୃଦ୍ଧି ଦ୍ୱାରା ଲୋକଙ୍କ ପକେଟକୁ ଟଙ୍କା ଆସିଛି । ଏହାର ପ୍ରଭାବ ସେମାନଙ୍କ ସପିଂରେ ଦେଖିବାକୁ ମିଳିଛି । ପ୍ରକାଶଯୋଗ୍ୟ, ସେପ୍ଟେମ୍ବର ୨୨ରୁ କ୍ଷୁଦ୍ର କାର ଉପରେ ଜିଏସ୍‌ଟି ୨୯ରୁ୩୧%ରୁ ଖସି ୧୮% ହୋଇଛି । ଏହାଦ୍ୱାରା ଗ୍ରାହକଙ୍କୁ ୮.୫ରୁ ୯.୯%ର ଲାଭ ମିଳିଛି । ଏହାସହିତ କମ୍ପାନି ଏବଂ ଡିଲରଗୁଡ଼ିକର ପାର୍ବଣ ଅଫର ସହିତ ଦର ୧୨ରୁ ୧୫% କମ୍‌ ହୋଇଯାଇଛି । ଗୋଟିଏ ପଟେ ଲୋକଙ୍କ ଆୟ ଉପରେ ଟିକସ ବଞ୍ଚିଛି ଏବଂ ଅନ୍ୟପକ୍ଷରେ ଅଧିକାଂଶ ସାମଗ୍ରୀ ବି ଶସ୍ତା ହୋଇଛି । ଫଳରେ ବଜାରରେ ଉତ୍ସାହ ଭରିଯାଇଥିବା ବିଶେଷଜ୍ଞମାନେ ପ୍ରକାଶ କରିଛନ୍ତି ।