ନୂଆଦିଲ୍ଲୀ,୨୧/୧୦: ଇଣ୍ଡିଆ-ଏ ଟିମ୍ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦୁଇଟି ୪ ଦିବସୀୟ ମ୍ୟାଚ୍ ଖେଳିବ । ଏହି ସିରିଜ୍ ପାଇଁ ଇଣ୍ଡିଆ-ଏ ଦଳ ଘୋଷଣା ହୋଇଛି । ଟିମ୍‌ର ନେତୃତ୍ୱ ନେବେ ଋଷବ ପନ୍ତ । ସାଇ ସୁଦର୍ଶନଙ୍କୁ ଉପ-ଅଧିନାୟକ ଦାୟିତ୍ୱ ମିଳିଛି ।  ୨ ମ୍ୟାଚ୍‌ ବିଶିଷ୍ଟ ଅନଫିସିଆଲ ଟେଷ୍ଟ ସିରିଜ ପାଇ ଅଲଗା ଅଲଗା ଦଳ ଘୋଷଣା ହୋଇଛି । ହେଲେ ଅଧିନାୟକ ଓ ଉପ-ଅଧିନାୟକ ସମାନ ଅଛନ୍ତି । ପ୍ରଥମ ୪ ଦିବସୀୟ ମ୍ୟାଚ୍ ପାଇଁ ୧୩ ଜଣିଆ ଓ ଦ୍ବିତୀୟ ପାଇଁ ୧୫ ଜଣିଆ ଭାରତୀୟ ସ୍କ୍ୱାଡ ଘୋଷଣା ହୋଇଛି । ମହମ୍ମଦ ସାମି, ଇଷାନ କିଷନ ଓ ରିଙ୍କୁ ସିଂହଙ୍କୁ  ସ୍ଥାନ ମିଳିନାହିଁ ।

ଆହତ ପନ୍ତଙ୍କ କମବ୍ୟାକ- ବର୍ତ୍ତମାନ ଆହତ ଯୋଗୁଁ ଟିମ୍ ଇଣ୍ଡିଆରୁ ବାହାରେ ଅଛନ୍ତି ଋଷଭ ପନ୍ତ । ଇଂଲଣ୍ଡ ଗସ୍ତ ସମୟରେ ତାଙ୍କର ଗୋଡ଼ରେ ଆଘାତ ଲାଗିଥିଲା । ସେହି ଆହତରୁ ସୁସ୍ଥ ହେବା ପରେ, ପନ୍ତ ପଡ଼ିଆକୁ ଫେରିବାକୁ ପ୍ରସ୍ତୁତ ହେଉଛନ୍ତି । ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ୍ ସିରିଜରେ ପନ୍ତଙ୍କ ପ୍ରତ୍ୟାବର୍ତ୍ତନ ହୋଇପାରେ । ଏହି କାରଣରୁ ବିସିସିଆଇ ତାଙ୍କୁ ମ୍ୟାଚ୍ ଅଭ୍ୟାସ ପାଇଁ କେବଳ ଭାରତ-ଏ ଦଳରେ ସାମିଲ କରିନାହିଁ, ବରଂ ତାଙ୍କୁ କମାଣ ମଧ୍ୟ ଦେଇଛି । 

ଭାରତ ଏବଂ ଦକ୍ଷିଣ ଆଫ୍ରିକା ଏକ ପୂର୍ଣ୍ଣାଙ୍ଗ ସିରିଜ୍ ଖେଳିବେ । ଏହାର ଅର୍ଥ ହେଉଛି କେବଳ ଏକ ଟେଷ୍ଟ ସିରିଜ୍ ନୁହେଁ ବରଂ ଦିନିକିଆ ଏବଂ  ଟି-ଟ୍ୱେଣ୍ଟି ସିରିଜ୍ ମଧ୍ୟ ସାମିଲ ଅଛି । ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ପ୍ରକାଶ ପାଇଛି । କୋଲକାତାରେ ପ୍ରଥମ ଟେଷ୍ଟ୍ ନଭେମ୍ବର ୧୮ରେ ଶେଷ ହେବା ପରେ, ଦ୍ୱିତୀୟ ଟେଷ୍ଟ ନଭେମ୍ବର ୨୨ ତାରିଖରୁ ଗୌହାଟିରେ ଖେଳାଯିବ । ଦୁଇ ଟେଷ୍ଟ ସିରିଜ ପରେ ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ଖେଳାଯିବ । ଯାହା ନଭେମ୍ବର ୩୦, ଡିସେମ୍ବର ୩ ଏବଂ ଡିସେମ୍ବର ୬ ତାରିଖରେ ଖେଳାଯିବ । ପ୍ରଥମ ଦିନିକିଆ ରାଞ୍ଚିରେ, ଦ୍ୱିତୀୟ ରାୟପୁରରେ ଏବଂ ତୃତୀୟ ବିଶାଖାପାଟଣାରେ ଖେଳାଯିବ ।

ଗସ୍ତ ଶେଷରେ, ଦକ୍ଷିଣ ଆଫ୍ରିକା ଏକ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-ଟ୍ୱେଣ୍ଟି ସିରିଜ ଖେଳିବ । ପ୍ରଥମ ମ୍ୟାଚ ଡିସେମ୍ବର ୯ ତାରିଖରେ କଟକରେ, ଦ୍ୱିତୀୟ ମ୍ୟାଚ ଡିସେମ୍ବର ୧୧ ତାରିଖରେ ଚଣ୍ଡିଗଡ଼ରେ, ଡିସେମ୍ବର ୧୪ରେ ଧର୍ମଶାଳାରେ ତୃତୀୟ ମ୍ୟାଚ, ଡିସେମ୍ବର ୧୭ ତାରିଖରେ ଲକ୍ଷ୍ନୌରେ ଚତୁର୍ଥ ଏବଂ ଡିସେମ୍ବର ୧୯ ତାରିଖରେ ଅହମ୍ମଦାବାଦରେ ଖେଳାଯିବ ।

ପ୍ରଥମ ୪ ଦିନିଆ ମ୍ୟାଚ ପାଇଁ ଭାରତୀୟ ସ୍କ୍ୱାଡ- ଋଷବ ପନ୍ତ (ଅଧିନାୟକ), ଆୟୁଷ ମାତ୍ରେ, ନୀତିଶ ଜଗଦେସନ (ୱିକେଟକିପର), ସାଇସୁଦର୍ଶନ (ଉପ-ଅଧିନାୟକ), ଦେବଦତ୍ତ ପାଡିକଲ, ରଜତ ପଟିଦାର, ହର୍ଷ ଦୁବେ, ତନୁଷ କୋଟିନ, ମାନବ ସୁଥାର, ଅଶୁଂଲ କମ୍ବୋଜ, ୟଶ ଠାକୁର, ଆୟୁଷ ବଦୋନୀ, ସରାଂଶ ଜୈନ ।

ଦ୍ୱିତୀୟ ୪ ଦିନିଆ ମ୍ୟାଚ ପାଇଁ ଭାରତୀୟ ସ୍କ୍ୱାଡ- ଋଷବ ପନ୍ତ (ଅଧିନାୟକ), କେଏଲ ରାହୁଲ, ଧ୍ରୁବ ଜୁରେଲ, ଦେବଦତ୍ତ ପାଡିକଲ, ଋତୁରାଜ ଗାଏକ୍ୱାଡ, ହର୍ଷ ଦୁବେ,  ତନୁଷ କୋଟିନ, ମାନବ ସୁଥାର, ଖାଲିଲ ଅହମ୍ମଦ. ଗୁନୁର ବରାର, ଅଭିମନ୍ୟୁ ଇଶ୍ୱରନ, ପ୍ରସିଦ୍ଧ କ୍ରିଷ୍ଣା, ମହମ୍ମଦ ସିରାଜ, ଆକାଶ ଦୀପ ।