ନୂଆଦିଲ୍ଲୀ,୧୨/୧୦: ବିଶ୍ୱକପ୍ରେ ଆଜି ସବୁଠୁ ଚର୍ଚ୍ଚିତ ମୁକାବିଲା ରହିଛି । ଆୟୋଜକ ଭାରତ ଓ ଡିଫେଣ୍ଡିଂ ଚାମ୍ପିଅନ ଅଷ୍ଟ୍ରେଲିଆ ପରସ୍ପରକୁ ସାମ୍ନା କରିବାକୁ ଯାଉଛନ୍ତି । ସମଗ୍ର କ୍ରିକେଟ୍ ପ୍ରେମୀଙ୍କ ନଜର ଏହି ମ୍ୟାଚ୍ ଉପରେ ରହିଛି । ପୂର୍ବ ମ୍ୟାଚ୍ରେ ଦକ୍ଷିଣ ଆଫ୍ରିକାଠୁ ପରାଜିତ ହୋଇଥିବା ଭାରତ ଯଥା ସମ୍ଭବ ବିଜୟ ଧାରାକୁ ଫେରିବାକୁ ଜୋରଦାର ପ୍ରସ୍ତୁତି ଚଳାଇଛି । ସେହିପରି ଅଷ୍ଟ୍ରେଲିଆ ବିଜୟ ଜାରି ରଖି ପଏଣ୍ଟ ତାଲିକାର ଶୀର୍ଷକୁ ପ୍ରତ୍ୟାବର୍ତ୍ତନ କରିବାକୁ ପ୍ରସ୍ତୁତ । ପୂର୍ବ ରେକର୍ଡକୁ ଦେଖିଲେ ଅଷ୍ଟ୍ରେଲିଆର ପଲା ଭାରି ରହୁଥିବା ସ୍ପଷ୍ଟ ଭାବେ ଜଣା ପଡ଼ୁଛି । କିନ୍ତୁ ଅଷ୍ଟ୍ରେଲିଆକୁ ହରାଇବାର କ୍ଷମତା ଭାରତ ନିକଟରେ ରହିଛି । ଅଷ୍ଟ୍ରେଲିଆକୁ ହରାଇବାକୁ ହେଲେ ଭାରତକୁ ପ୍ରଥମେ ବ୍ୟାଟିଂ ବିଭାଗରେ ଉନ୍ନତି ଆଣିବାକୁ ହେବ ।
ସ୍ମୃତି ମନ୍ଧନା, ହର୍ମନପ୍ରୀତ, ଜେମିମାଙ୍କ ଭଳି ଅଭିଜ୍ଞ ବ୍ୟାଟର ଏପର୍ଯ୍ୟନ୍ତ ସଫଳ ହୋଇ ନାହାନ୍ତି । ଅଷ୍ଟ୍ରେଲିଆର ପ୍ରମୁଖ ବ୍ୟାଟର ଏଲିସ ପେରୀ, ଆଲିସା ହିଲି, ଫୋଏବ ଲିଚଫିଲ୍ଡ, ଆନାବେଲ ସୁଦରଲାଣ୍ଡଙ୍କ ବ୍ୟାଟରୁ ମଧ୍ୟ ରନ ବାହାରି ନାହିଁ । ଆସନ୍ତାକାଲି ମନ୍ଧନା ଓ ଗାର୍ଡନରଙ୍କ ମଧ୍ୟରେ ଏକ ଲଢ଼େଇ ଦେଖିବାକୁ ମିଳିପାରେ । ସେ ମନ୍ଧନାଙ୍କୁ ୯ଥର ଆଉଟ୍ କରିସାରିଛନ୍ତି । ସେହିପରି କ୍ରାନ୍ତି ଗୌଡ଼ ଓ ଆଲିସା ହିଲିଙ୍କ ମଧ୍ୟରେ ଏକ ଲଢ଼େଇ ଦେଖିବାକୁ ମିଳିବ । ମାତ୍ର ୧୦ଟି ଦିନିକିଆ ଖେଳିଥିବା କ୍ରାନ୍ତି ଇତି ମଧ୍ୟରେ ହିଲିଙ୍କୁ ୩ଥର ଆଉଟ୍ କରିସାରିଛନ୍ତି । ଆସନ୍ତାକାଲି କିଛି ରେକର୍ଡ ଦେଖିବାକୁ ମିଳିପାରେ । ମନ୍ଧନା ଆଉ ୫୮ ରନ କଲେ ଦିନିକିଆରେ ୫୦୦୦ ରନ ପୂରଣ କରିବେ । ସେହିପରି ବେଥ ମୁନି ୯୩ ରନ କଲେ ୩୦୦୦ ଦିନିକିଆ ରନ୍ କ୍ଲବରେ ସାମିଲ ହେବେ । ଦୀପ୍ତ ଶର୍ମା ଆଉ ୩ଟି ୱିକେଟ୍ ନେଲେ ଦିନିକିଆରେ ୧୫୦ ୱିକେଟ୍ ପୂରଣ କରିବେ । ବିଶାଖାପଟ୍ଟନମ ପିଚ୍ ସ୍ପିନରଙ୍କୁ ବେଶ୍ ସହାୟତା କରୁଛି । ମାତ୍ର ଟସ୍ ଏଠାରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବ । ରାତ୍ରିରେ କାକର ପଡ଼ୁଥିବାରୁ ଓଦା ବଲ୍ରେ ରନ ସଂଗ୍ରହ ସହଜ ହେବ । ତେଣୁ ଟସ ବିଜୟୀ ଦଳ ଫିଲ୍ଡିଂ ନିଷ୍ପତ୍ତି ନେବା ଏକ ପ୍ରକାର ନିଶ୍ଚିତ ।