ନୂଆଦିଲ୍ଲୀ,୧୦/୧୦: ଘରୋଇ ଭାରତ  ଓ ୱେଷ୍ଟ ଇଣ୍ଡିଜ ମଧ୍ୟରେ ଆରମ୍ଭ ହୋଇଛି ଦ୍ୱିତୀୟ ଟେଷ୍ଟ । ଅରୁଣ ଜେଟଲୀ ଷ୍ଟାଡିୟମରେ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି ଅଧିନାୟକ ଶୁବମନ ଗିଲ । ଭାରତ ତାର ଏକାଦଶରେ କୌଣସି ପରିବର୍ତ୍ତନ କରିନାହିଁ । ୱେଷ୍ଟଇଣ୍ଡିଜ ପ୍ଲେଇଂ ଇଲେଭେନରେ ୨ଟି ପରିବର୍ତ୍ତନ କରିଛି । ବ୍ରାଣ୍ଡନ କିଙ୍ଗ ଓ ଜୋହାନ ଲେନ ଦ୍ୱିତୀୟ ଟେଷ୍ଟରୁ ବାଦ ରହିଛନ୍ତି । ତାଙ୍କ ସ୍ଥାନରେ ଆଣ୍ଡସନ ଫିଲିପ୍ସ ଏବଂ ଟେବିମ ଇମଲାଚଙ୍କୁ ସ୍ଥାନ ମିଳିଛି । ପ୍ରଥମ ଟେଷ୍ଟରେ ଇନିଂସ ବିଜୟ ହାସଲ କରିଥିବା ଘରୋଇ ଦଳ  ଆଧିପତ୍ୟ ଜାରି ରଖି ସିରିଜ ମୂଳପୋଛ କରିବା ଲକ୍ଷ୍ୟରେ ରହିଛି । ୱେଷ୍ଟ ଇଣ୍ଡିଜ୍‌ ଦଳ ଏଥର ବାଜି ପଲଟାଇବା ପାଇଁ ତତ୍ପର ରହିଛି । ୨୮ ବର୍ଷ ପରେ  ଭାରତରେ ଏକ ଟେଷ୍ଟ ଜିତିବା ପାଇଁ ଇଣ୍ଡିଜ ଦଳ ସବୁ ଶକ୍ତି ଖଟାଇବାକୁ ପ୍ରସ୍ତୁତ ହେଉଛି । ୱେଷ୍ଟ ଇଣ୍ଡିଜ ଦଳ ଶେଷ ଥର ପାଇଁ ୧୯୯୭ରେ ଭାରତରେ ଟେଷ୍ଟ ମ୍ୟାଚ୍‌ ଜିତିଥିଲା । ଇତି ମଧ୍ୟରେ ୨୮ ବର୍ଷ ବିତି ଯାଇଥିଲେ ହେଁ ୱେଷ୍ଟ ଇଣ୍ଡିଜ ବିଜୟ ସ୍ୱାଦ ଚାଖି ନାହିଁ ।

କ୍ଲିନ୍‌ ସୁଇପ ଲକ୍ଷ୍ୟରେ ଭାରତ- ଇଣ୍ଡିଆ ଓ ଇଣ୍ଡିଜ ମଧ୍ୟରେ ୨ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳାଯାଉଛି । ଅହମ୍ମଦାବାଦରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ଭାରତ ଇନିଂସ ସହ ୧୪୦ରନ୍‌ରେ ଜିତିଥିଲା । ସିରିଜରେ ୧-୦ରେ ଆଗୁଆ ରହିଛି । ଏବେ ଭାରତ ପାଖରେ ଦିଲ୍ଲୀରେ କ୍ଲିନ ସୁଇପ ସୁଯୋଗ ରହିଛି । ୱେଷ୍ଟଇଣ୍ଡିଜ ଟିମ୍‌ ବର୍ତ୍ତମାନ ଯେଉଁ ପ୍ରଦର୍ଶନ ଦେଉଛି ସେଥିରୁ ସ୍ପଷ୍ଟ ଯେ ଭାରତ ସହ ଦଳର କୌଣସି ମୁକାବିଲା ନାହିଁ । ଏମିତିରେ ଇଣ୍ଡିଆର କ୍ଲିନସୁଇପ ଚାନ୍ସ ଅଧିକ ରହିଛି । ଅଧିନାୟକ ହିସାବରେ ପ୍ରଥମ ଥର ଟସ୍ ଜିତିଛନ୍ତି ଶୁବମନ ଗିଲ୍ । ସପ୍ତମ ଟେଷ୍ଟରେ ଟସ୍ ଜିତି ଲଜ୍ୟାଜନକ ରେକର୍ଡରୁ ନିଜକୁ ବଞ୍ଚାଇଛନ୍ତି କ୍ୟାପ୍ଟେନ ଗିଲ୍ । ଏହା ପୂର୍ବରୁ ଅଧିନାୟକ ହିସାବରେ ୬ଟି ଟେଷ୍ଟରେ ଟସ୍ ହାରିଛନ୍ତି ଶୁବମନ ।

​​​​​​​ଦଳର ଦୁଇ ଯୁବ ବ୍ୟାଟର ଯଶସ୍ୱୀ ଜୈସ୍ୱାଲ  ଓ ସାଇ ସୁଦର୍ଶନଙ୍କ ବ୍ୟାଟ୍‌ରୁ ରନ୍‌ ବାହାରି ନାହିଁ ।  ଗିଲ୍‌ ମଧ୍ୟ ବଡ଼ ଇନିଂସ ଖେଳି ନାହାନ୍ତି । ଏମାନଙ୍କ  ବ୍ୟାଟ୍‌ରୁ ବଡ଼ ଇନିଂସ ଦେଖିବାକୁ ଦର୍ଶକ ଅପେକ୍ଷା କରିଛନ୍ତି । କ୍ରିକେଟ୍‌ ପ୍ରେମୀଙ୍କ ନଜର  ରବିନ୍ଦ୍ର ଜାଡ଼େଜାଙ୍କ ଉପରେ ରହିବ । ସେ ଆଉ  ୧୦ ରନ କଲେ ଟେଷ୍ଟ କ୍ରିକେଟ୍‌ରେ ୪୦୦୦ ରନ  ପୂରଣ କରିବେ । ଟେଷ୍ଟ କ୍ରିକେଟ୍‌ରେ କେବଳ କପିଳ ଦେବ, ଇଆନ ବୋଥାମ ଓ ଡାନିଏଲ  ଭିଟ୍ଟୋରୀ ୪୦୦୦ରୁ ଅଧିକ ରନ ଓ ୩୦୦ରୁ  ଅଧିକ ୱିକେଟ୍‌ ଅକ୍ତିଆର କରିଛନ୍ତି । ଜାଡ଼େଜା ଏହି ତାଲିକାରେ ସ୍ଥାନ ପାଇବାକୁ ଯାଉଛନ୍ତି । ଏହା ସହିତ ପ୍ରଥମ ଟେଷ୍ଟର ଶତକବୀର କେଏଲ ରାହୁଲ ଓ ଧ୍ରୁବ ଜୁରେଲଙ୍କ ଉପରେ ମଧ୍ୟ ନଜର ରହିବ । ସେହିପରି ସ୍ପିନ ବୋଲିଂ ଜାଲେ ଇଣ୍ଡିଜକୁ ଫସାଇବାକୁ ପ୍ରସ୍ତୁତ ଟିମ୍ ଇଣ୍ଡିଆ 

ଭାରତୀୟ ଚୂଡାନ୍ତ ଏକାଦଶ- ଯଶସ୍ୱୀ ଜୈସ୍ୱାଲ୍‌, କେଏଲ ରାହୁଲ, ସାଇ ସୁଦର୍ଶନ, ଶୁଭମନ ଗିଲ୍‌ (ଅଧିନାୟକ), ଧ୍ରୁବ ଜୁରେଲ, ରବିନ୍ଦ୍ର ଜାଡ଼େଜା, ନୀତିଶ କୁମାର ରେଡ୍ଡୀ, ୱାସିଂଟନ ସୁନ୍ଦର, କୁଲଦୀପ ଯାଦବ, ଯଶପ୍ରୀତ ବୁମରା, ମହମ୍ମଦ ସିରାଜ ।

ୱେଷ୍ଟଇଣ୍ଡିଜ ଚୂଡାନ୍ତ ଏକାଦଶ- ତେଜନାରାୟଣ ଚନ୍ଦରପଲ, ଜନ କ୍ୟାମ୍ପବେଲ, ଆଲିକ ଆଥାଞ୍ଜି, ଟି. ଇମଲାଚ, ସାଇ ହୋପ୍‌, ଜଷ୍ଟିନ ଗ୍ରୀଭ୍‌ସ, ରଷ୍ଟନ ଚେଜ (ଅଧିନାୟକ), ଖାରି ପିୟର, ଜେଡେନ ସିଲ୍ସ, ଏ.ଫିଲିପ୍ସ, ଜୋମେଲ ୱାରିକାନ ।