ମୁମ୍ବାଇ, ୨୪/୧୦: ଚଳିତ ମହିଳା  ଦିନିକିଆ ବିଶ୍ୱକପ୍‌ରେ ଚତୁର୍ଥ ଦଳ ଭାବେ ଭାରତ  ସେମି ଫାଇନାଲ୍‌ରେ ପ୍ରବେଶ କରିଛି । ଗୁରୁବାର ଅନୁଷ୍ଠିତ ୨୪ତମ ଲିଗ୍‌ ମୁକାବିଲାରେ ଦଳ ୫୩ ରନ୍‌ରେ  ନ୍ୟୁଜିଲାଣ୍ଡକୁ ହରାଇଥିଲା । ଏହି ମ୍ୟାଚ୍‌ରେ ପ୍ରଥମେ  ବ୍ୟାଟିଂ କରି ଭାରତ ୩ ୱିକେଟ୍‌ ବିନିମୟରେ ୩୪୦  ରନ ସଂଗ୍ରହ କରିଥିଲା । ପରେ ବର୍ଷା ଯୋଗୁଁ ଡକ୍‌ ୱର୍ଥ  ଲୁଇସ ନିୟମ ଅନୁଯାୟୀ ନ୍ୟୁଜିଲାଣ୍ଡ ସମ୍ମୁଖରେ ବିଜୟ  ପାଇଁ ୪୪ ଓଭରରେ ୩୨୫ ରନର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା । ନ୍ୟୁଜିଲାଣ୍ଡ ୮ ୱିକେଟ୍‌ ହରାଇ ୨୭୧ ରନ କରିବାକୁ ସକ୍ଷମ ହୋଇଥିଲା । ଭାରତ ସେମିରେ ପ୍ରବେଶ କରିବା ଫଳରେ ନ୍ୟୁଜିଲାଣ୍ଡ, ଶ୍ରୀଲଙ୍କା  ଓ ବାଂଲାଦେଶଙ୍କ ଆଶା ଧୂଳିସାତ୍‌ ହୋଇଯାଇଛି ।  ଶତକୀୟ ଇନିଂସ୍‌ ଖେଳିଥିବା ସ୍ମୃତି ମନ୍ଧନା  ପ୍ଲେୟାର ଅଫ୍‌ ଦ ମ୍ୟାଚ୍‌ ବିବେଚିତ ହୋଇଥିଲେ ।

ଡିୱାଇ ପାଟିଲ ଗ୍ରାଉଣ୍ଡରେ ଟସ ଜିତି ଫିଲ୍ଡିଂ  ନିଷ୍ପତ୍ତି ନେବା ନ୍ୟୁଜିଲାଣ୍ଡ ପାଇଁ ମହଙ୍ଗା ପଡ଼ିଥିଲା ।  ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ଭାରତ ବିଶାଳ ସ୍କୋର  ସଂଗ୍ରହ କରିଥିଲା । ଦୁଇ ଓପନର ସ୍ମୃତି ମନ୍ଧନା ଓ  ପ୍ରତିକା ରାୱଲ୍‌ ପ୍ରାରମ୍ଭରୁ ବିସ୍ଫୋରକ ବ୍ୟାଟିଂ କରି ଦ୍ରୁତ  ବେଗରେ ଦଳୀୟ ସ୍କୋରକୁ ଆଗେଇ ନେଇଥିଲେ ।  ନ୍ୟୁଜିଲାଣ୍ଡ ବୋଲର ଏହି ଯୋଡ଼ି ଭାଙ୍ଗି ପାରି ନଥିଲେ ।  ଉଭୟ ଦର୍ଶନୀୟ ସଟ୍‌ମାନ ଖେଳି ଅର୍ଦ୍ଧଶତକ ପୂରଣ  କରିଥିଲେ । ନ୍ୟୁଜିଲାଣ୍ଡ ୭ଜଣ ବୋଲର ନିୟୋଜିତ  କରିଥିଲା । ହେଲେ କିଛି ଫଳ ମିଳି ନଥିଲା।  

ମନ୍ଧନା ୮୮ଟି ବଲ୍‌ରେ ଶତକ ପୂରଣ  କରିଥିଲେ । ଦିନିକିଆରେ ଏହା ତାଙ୍କର ୧୪ତମ  ଶତକ ରହିଥିଲା । ତାଙ୍କ ସହ ତାଳ ଦେଇ ପ୍ରତିକା  ଦ୍ୱିତୀୟ ଦିନିକିଆ ଶତକ ଅର୍ଜନ କରିଥିଲେ ।  ଉଭୟ ରେକର୍ଡ ୨୧୨ ରନ୍‌ର ଭାଗିଦାରୀ ଗଠନ  କରିଥିଲେ । ଶେଷରେ ୩୪ତମ ଓଭରରେ ସୁଜି  ବେଟ୍ସ ଯୋଡ଼ି ଭାଙ୍ଗିଥିଲେ । ମନ୍ଧନା ୯୫ଟି ବଲ୍‌ରୁ ୧୦ଚୌକା ଓ ୪ଛକା ବଳରେ ୧୦୯ ରନ କରି ଆଉଟ୍‌  ହୋଇଥିଲେ । ପ୍ରତିକାଙ୍କ ସହ ଜେମିମା ରୋଡ୍ରିଗ୍ସ  ମିଶି ଆଉ ୭୬ ରନ୍‌ର ଭାଗିଦାରୀ ଗଢ଼ିବା ଫଳରେ  ଦଳୀୟ ସ୍କୋର ୨୮୮ରେ ପହଞ୍ଚିଥିଲା । ୪୩ତମ  ଓଭରରେ ରାୱଲ୍‌ଙ୍କୁ ଆଉଟ୍‌ କରି ଆମେଲିଆ  କେର ନ୍ୟୁଜିଲାଣ୍ଡକୁ ସାମାନ୍ୟ ଆଶ୍ୱସ୍ତ  କରିଥିଲେ । ରାୱଲ୍‌ ୧୩ଚୌକା ଓ  ୨ଛକା ବଳରେ ୧୨୨ ରନ କରିଥିଲେ ।  ଫିଟ୍‌ ହୋଇ ଫେରିଥିବା ଜେମିମା  ବିସ୍ଫୋରକ ବ୍ୟାଟିଂ ଜାରି ରଖି ଦଳୀୟ  ସ୍କୋରକୁ ୩୪୦ରେ ପହଞ୍ଚାଇଥିଲେ ।  ସେ ୭୬ (୧୧ଚୌକା) ରନ କରି ଅପରାଜିତ ରହିଥିଲେ ।

୩୨୫ ରନ୍‌ର ବିଶାଳ ବିଜୟ ଲକ୍ଷ୍ୟର ପିଛା  କରିବା ସହଜ ନଥିଲା । ତଥାପି ନ୍ୟୁଜିଲାଣ୍ଡ  ଲଢୁଆ ବ୍ୟାଟିଂ କରିଥିଲା । ଓପନର  ସୁଜି ବେଟ୍ସ ୧ ରନ କରି ଆଉଟ୍‌  ହୋଇଥିଲେ । ଏହାପରେ ଜର୍ଜିୟା  ପ୍ଲିମର ଓ ଆମେଲିଆ କେର ୫୦  ରନର ଭାଗିଦାରୀ ଗଠନ କରିଥିଲେ ।  ପ୍ଲିମର ୩୦ ରନ କରି ଆଉଟ୍‌ ହେବା  ପରେ ଅଧିନାୟକ ଶୋଫି ଡିଭାଇନ (୬)ଙ୍କୁ ମଧ୍ୟ ନ୍ୟୁଜିଲାଣ୍ଡ ସହଳ ହରାଇଥିଲା ।  ଆମେଲିଆଙ୍କ ସହ ବ୍ରୁକ ହାଲିଡେ ମିଶି ୫୬  ରନର ଭାଗିଦାରୀ ଗଢ଼ିଥିଲେ । ଦଳୀୟ ସ୍କୋର  ୧୧୫ ବେଳେ ଆମେଲିଆ ବ୍ୟକ୍ତିଗତ ୪୫ ରନ  କରି ବିଦାୟ ନେଇଥିଲେ । ପରେ ପରେ ମାଡି ଗ୍ରୀନ  (୧୮) ମଧ୍ୟ ଆଉଟ୍‌ ହୋଇଥିଲେ । ହାଲିଡେଙ୍କ ସହ ଇସାବେଲ ଗେଜ ମିଶି ଆକ୍ରମଣାତ୍ମକ  ବ୍ୟାଟିଂ କରିଥିଲେ । ଉଭୟ ଏକ ସମୟରେ ବିଜୟ  ଆଶା ସଂଚାର କରିଥିଲେ । ଷଷ୍ଠ ୱିକେଟ୍‌ରେ ୭୨  ରନ୍‌ର ଭାଗିଦାରୀ ଗଢ଼ି ଉଠିଥିଲା । ଦଳୀୟ ସ୍କୋର  ୨୨୬ରେ ପହଞ୍ଚି ସାରିଥିଲା । ୩୨ ବଲରେ ଆଉ  ୯୯ ରନ୍‌ ଆବଶ୍ୟକ ଥିଲା । ୩୯ତମ ଓଭରରେ  ହାଲିଡେଙ୍କୁ ଆଉଟ୍‌ କରିଥିଲେ ଶ୍ରୀଚରଣୀ ଓ ବିଜୟ ନିଶ୍ଚିତ ହୋଇଯାଇଥିଲା । ସେ ୯ଚୌକା ଓ ୧ଛକା  ବଳରେ ୮୧ ରନ କରିଥିଲେ । ପରେ ଦଳ ଆଉ  ୨ଟି ୱିକେଟ୍‌ ହରାଇ ୨୭୧ରେ ସୀମିତ ରହିଥିଲା ।  ଗେଜ ୬୫ ରନ କରି ଅପରାଜିତ ରହିଥିଲେ ।