ନୂଆଦିଲ୍ଲୀ ୦୭/୦୭: ବିଶ୍ୱ ମାନଚିତ୍ରରେ ଏକ ଛୋଟିଆ ଦେଶ ଇସ୍ରାଏଲ୍‌ । ନିଜ ପ୍ରଯୁକ୍ତିବିଦ୍ୟା ବଳରେ ଏହା ବଡ଼ ବଡ଼ ଦେଶକୁ ଟକ୍କର ଦେଇଥାଏ । ପ୍ରଭାବଶାଳୀ ହାଇଟେକ୍‌ ଟେକନିକ୍‌ ଦ୍ୱାରା ନିଜର ଶତ୍ରୁ ଉପରେ ଗୋପନ ଭାବେ ସର୍ଜିକାଲ୍‌ ଷ୍ଟ୍ରାଇକ୍‌ କରିବାରେ ଏହା ବେଶ୍‌ ସିଦ୍ଧହସ୍ତ । ଏଭଳିସ୍ଥଳରେ ଇସ୍ରାଏଲ୍‌ର ପ୍ରଯୁକ୍ତିବିଦ୍ୟା ସଂପର୍କରେ ଜାଣିବାକୁ ଚୀନ୍‌ ଅଭିନବ ରାସ୍ତା ଆପଣାଇଛି । ଇଲେକ୍ଟ୍ରିକ୍‌ କାର୍‌ରେ ଏହା ସ୍ମାର୍ଟ ଡିଭାଇସ୍‌ ଲଗାଇ ଗୁଇନ୍ଦାଗିରି କରୁଛି । ମାମଲା ବାବଦରେ ଜଣାପଡ଼ିବା ପରେ ଇସ୍ରାଏଲ ପ୍ରତିରକ୍ଷା ମନ୍ତ୍ରଣାଳୟ ଇସ୍ରାଏଲ ଡିଫେନ୍ସ ଫୋର୍ସ(ଆଇଡିଏଫ୍‌)କୁ ଚାଇନିଜ୍‌ ଇଲେକ୍ଟ୍ରିକ୍‌ କାର୍‌ ଯୋଗାଣ ଉପରେ ରୋକ ଲଗାଇଛି । 

ପ୍ରତିରକ୍ଷା ମନ୍ତ୍ରଣାଳୟର ନିର୍ଦ୍ଦେଶ ମୁତାବକ, ଏବେ ଆଇଡିଏଫ୍‌ର ଲେଫ୍ଟନାଣ୍ଟ କର୍ଣ୍ଣେଲ କିମ୍ବା କୌଣସି ସୈନ୍ୟ ଅଧିକାରୀ ଚୀନ୍‌ ନିର୍ମିତ ଇଲେକ୍ଟ୍ରିକ୍‌ କାର୍‌ରେ ବୁଲିବେ ନାହିଁ । ସାଇବର ଓ ସୁରକ୍ଷା ବିଶେଷଜ୍ଞଙ୍କ ପକ୍ଷରୁ ଲଗାତର ଚାପ ସୃଷ୍ଟି କରାଯିବା ପରେ ମନ୍ତ୍ରଣାଳୟ ଚଳିତବର୍ଷ ଆରମ୍ଭରେ ଏହି ନିଷ୍ପତ୍ତି ନେଇଥିଲା । ନିକଟରେ ଏ ସଂପର୍କିତ ଖବର ସାମ୍ନାକୁ ଆସିଛି । ହୋଲେନ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି (ଏଚ୍‌ଆଇଟି)ରେ ସାଇବର ପ୍ରମୁଖ ଭାବେ କାର୍ଯ୍ୟରତ ଡ. ହରେଲ୍‌ ମେନାଶ୍ରୀ କହିଛନ୍ତି, ନେଟ୍‌ଫ୍ଲିକ୍ସର ଥ୍ରିଲର ଭଳି ଲାଗୁଥିଲେ ବି ଘଟଣା ସତ । ଚୀନ୍‌ର କାର୍‌ଗୁଡ଼ିକ ହେଉଛି ଅତ୍ୟାଧୁନିକ ଗୁପ୍ତଚର ତଥ୍ୟ ସଂଗ୍ରହ ପ୍ରଣାଳୀ । କାରଣ ଏଥିରେ ସଂଚାର କ୍ଷମତା ଥିବା ଆଡ୍‌ଭାନ୍ସଡ ସେନ୍ସର ସିଷ୍ଟମ ରହିଛି, ଯାହାକି ଯାନର ଯାତ୍ରୀ ଓ ଆଖପାଖର ପରିବେଶ ସଂପର୍କରେ ସହଜରେ ଦୃଶ୍ୟ, ଅଡିଓ, ଏପରିକି ବାୟୋମେଟ୍ରିକ ସୂଚନା ସଂଗ୍ରହ କରିପାରେ । ଏପରିକି ଚୀନ୍‌ର ସର୍ଭରକୁ ତାହା ସିଧାସଳଖ ସୂଚନା ପଠାଇପାରେ । ଖାସ୍‌ ଏହି କାରଣରୁ ଗତବର୍ଷ ଆମେରିକା ମଧ୍ୟ ଚୀନ୍‌ ନିର୍ମିତ ଇଲେକ୍ଟ୍ରିକ୍‌ କାର୍‌ ଉପରେ କଟକଣା ଲଗାଇଥିଲା । 

ଅନ୍ୟପଟେ ଚୀନ୍‌ର ଇଲେକ୍ଟ୍ରିକ୍‌ କାର୍‌ ସହିତ ସେଠାରେ ନିର୍ମିତ ସିସିଟିଭି କ୍ୟାମେରା ମଧ୍ୟ ଅନ୍ୟଦେଶର ସୁରକ୍ଷା ପାଇଁ ବିପଦ ବୋଲି ଦର୍ଶାଇଛନ୍ତି ମେନାଶ୍ରୀ । ତାଙ୍କ ଅନୁସାରେ, କୌଣସି ନେଟ୍‌ୱର୍କ ସହିତ ସଂଯୋଗ ହୋଇଯିବା ପରେ ଏହି କ୍ୟାମେରାଗୁଡିକ ତୁରନ୍ତ ଇଣ୍ଟରନେଟ୍‌ ସଂଯୋଗର ସନ୍ଧାନ କରିଥାନ୍ତି । ଏଥିସହ ଚୀନ୍‌ର ସରକାରୀ ସର୍ଭରକୁ ତଥ୍ୟ ପଠାଇଥାନ୍ତି । ଇସ୍ରାଏଲ୍‌ରେ ଏହାକୁ ବ୍ୟାପକ ଭାବେ ବ୍ୟବହାର କରାଯାଏ । ବିଭିନ୍ନ ସରକାରୀ ସଂଗଠନ, ସ୍ଥାନୀୟ ନଗର ପାଳିକା, ଏପରିକି ପୁଲିସ ଓ ଆଇଡିଏଫ୍‌ରେ ମଧ୍ୟ ଚାଇନା ନିର୍ମିତ ସିସିଟିଭି ବ୍ୟବହୃତ ହୋଇଥାଏ । ଏହା ଜାତୀୟ ସୁରକ୍ଷା ଲାଗି ବିପଦ ବୋଲି ସେ ପ୍ରକାଶ କରିଛନ୍ତି । ଚୀନ୍‌ ନିର୍ମିତ ରୋବୋଟିକ୍‌ ଭ୍ୟାକୁମ୍‌ କ୍ଲିନରକୁ ବି ସେ ବିପଜ୍ଜନକ ଦର୍ଶାଇଛନ୍ତି ।