​​​​​​​
ନୂଆଦିଲ୍ଲୀ: ଇସ୍ରାଏଲର ପ୍ରତିରକ୍ଷା ମନ୍ତ୍ରୀ ଇସ୍ରାଏଲ କାଟଜ୍ ପୁଣି ଥରେ ହମାସକୁ କଡ଼ା ଚେତାବନୀ ଦେଇଛନ୍ତି । ସେ କହିଛନ୍ତି ଯେ, ଯଦି ତାଙ୍କର ସର୍ତ୍ତ ପୂରଣ ନ ହୁଏ, ତେବେ ଗାଜାରେ ନର୍କର ଦ୍ୱାର ଖୋଲାଯିବ  । ଇସ୍ରାଏଲ ସରକାର ଗାଜାକୁ କବଜା କରିବା ପାଇଁ ସାମରିକ କାର୍ଯ୍ୟାନୁଷ୍ଠାନକୁ ଅନୁମୋଦନ କରିବା ପରେ ପ୍ରତିରକ୍ଷା ମନ୍ତ୍ରୀଙ୍କ ଏହି ମନ୍ତବ୍ୟ ଆସିଛି । ସେ ଚେତାବନୀ ଦେଇଛନ୍ତି ଯେ, ଯେପର୍ଯ୍ୟନ୍ତ ହମାସ ଇସ୍ରାଏଲର ଅସ୍ତ୍ରବିରତି ଚୁକ୍ତିନାମାର ସର୍ତ୍ତାବଳୀରେ ରାଜି ନହୁଏ , ସେପର୍ଯ୍ୟନ୍ତ IDF ର ତୀବ୍ର କାର୍ଯ୍ୟାନୁଷ୍ଠାନ ଜାରି ରହିବ ।

ସେ କହିଛନ୍ତି ଯେ, ହମାସ ଯେପର୍ଯ୍ୟନ୍ତ ସମସ୍ତ ବନ୍ଧକଙ୍କୁ ମୁକ୍ତ ନକରେ ଏବଂ ଅସ୍ତ୍ର ନଛାଡ଼େ ସେପର୍ଯ୍ୟନ୍ତ କାର୍ଯ୍ୟାନୁଷ୍ଠାନ ଜାରି ରହିବ । ସର୍ତ୍ତ ନମାନିଲେ ସେମାନଙ୍କୁ ନିପାତ କରାଯିବ । ଇସ୍ରାଏଲୀ ପ୍ରତିରକ୍ଷା ମନ୍ତ୍ରୀଙ୍କ ଏହି ବୟାନ ଏପରି ସମୟରେ ଆସିଛି ଯେତେବେଳେ ଆଇଡିଏଫ ଗାଜା ସହରରେ ଆକ୍ରମଣକୁ ଆହୁରି ତୀବ୍ର କରିବାକୁ ପ୍ରସ୍ତୁତ ହେଉଛି । ଆଇଡିଏଫ ଗାଜାରେ ଥିବା ସମସ୍ତ ହମାସ ଘାଟିକୁ ଧ୍ବଂସ କରିବାକୁ ଯୋଜନା କରୁଛି ।

ଟାଇମ୍ସ ଅଫ୍ ଇସ୍ରାଏଲ ରିପୋର୍ଟ ଅନୁଯାୟୀ , ଆଇଡିଏଫ ମୁଖପାତ୍ର ବ୍ରିଗେଡିୟର ଜେନେରାଲ ଏଫି ଡେଫ୍ରିନ୍ କହିଛନ୍ତି ଯେ, ଇସ୍ରାଏଲୀ ସେନା ଏବେ ସହରର ପ୍ରାୟ ୪୦ ପ୍ରତିଶତ ନିୟନ୍ତ୍ରଣରେ ନେଇସାରିଛି । ଆଗାମୀ ଦିନରେ ଏହି ସହର ଉପରେ ପୂର୍ଣ୍ଣ ନିୟନ୍ତ୍ରଣ ନିଆଯିବ ବୋଲି ସେ ଚେତାବନୀ ଦେଇଛନ୍ତି