ମୁମ୍ବାଇ: ୨୦୨୩ ମସିହା ଜୁଲାଇରେ ଜୟପୁର-ମୁମ୍ବାଇ ସେଣ୍ଟ୍ରାଲ ସୁପରଫାସ୍ଟ ଏକ୍ସପ୍ରେସରେ ଘଟିଥିବା ଭୟଙ୍କର ଗୁଳିକାଣ୍ଡ ଘଟଣାରେ ନୂଆ ତଥ୍ୟ ସାମ୍ନାକୁ ଆସିଛି। ଏହି ମାମଲାରେ ଉକ୍ତ ଟ୍ରେନରେ ଯାତ୍ରା କରୁଥିବା ଜଣେ ସାକ୍ଷୀ ମୁମ୍ବାଇ ଅଦାଲତରେ ସାକ୍ଷ୍ୟ ଦେଇ ଗୁରୁତ୍ତ୍ୱପୂର୍ଣ୍ଣ ସୂଚନା ପ୍ରଦାନ କରିଛନ୍ତି।

ନିଜ ସାକ୍ଷ୍ୟରେ ସାକ୍ଷୀ ଜଣକ ପୂର୍ବତନ ରେଳ ସୁରକ୍ଷା ବାହିନୀ (ଆରପିଏଫ୍)ର କନଷ୍ଟେବଲ୍ ଚେତନ ସିଂହ ଚୌଧୁରୀ ଜଣେ ଦାଢୀବାଲା ବ୍ୟକ୍ତିଙ୍କୁ ଦୁଇଥର ଗୁଳି ମାରି ରକ୍ତାକ୍ତ ଅବସ୍ଥାରେ ଛାଡ଼ି ଦେଇଥିଲେ ବୋଲି ସୂଚନା ପ୍ରଦାନ କରିଛନ୍ତି।

ଆପଣଙ୍କୁ ଜଣାଇରଖୁ ଯେ, ଘଟଣାଟି ୨୦୨୩ ମସିହା ଜୁଲାଇ ୩୧ ତାରିଖ ମହାରାଷ୍ଟ୍ରର ପାଲଘର ଷ୍ଟେସନ ନିକଟରେ ଚଳନ୍ତା ଟ୍ରେନରେ ଘଟିଥିଲା। ଏହି ଘଟଣାରେ ସେ ସମୟରେ ଆରପିଏଫ୍‌ରେ କାର୍ଯ୍ୟ କରୁଥିଲେ ଅଭିଯୁକ୍ତ ଚେତନ ସିଂହ ଚୌଧୁରୀ, ନିଜର ସିନିୟର ଅଫିସର ଆସିଷ୍ଟାଣ୍ଟ ସବ୍‌-ଇନ୍ସପେକ୍ଟର ଟିକା ରାମ ମୀନା ଏବଂ ତିନି ଜଣ ଯାତ୍ରୀ ଜିନ୍ସୋନ ବିଶ୍ୱାସ, ଅଭିଜିତ ପ୍ରସାଦ ଓ ସାତ୍ୱିକ ରାଣାଙ୍କୁ ଗୁଳି ମାରି ହତ୍ୟା କରିଥିଲେ।

ଘଟଣା ସମୟରେ ଉକ୍ତ ଟ୍ରେନ କମ୍ପାଟମେଣ୍ଟରେ ୨୯ ବର୍ଷୀୟ ସାକ୍ଷୀ, ତାଙ୍କ ବନ୍ଧୁଙ୍କ ସହ ଟ୍ରେନରେ ଯାତ୍ରା କରୁଥିଲେ। ଏହି ଘଟଣା ସମ୍ପର୍କରେ ସୂଚନା ଦେଇ ସେ କହିଛନ୍ତି ଯେ, ମୁଁ ଭୋର ଟା ୩୦ ମିନିଟ ସମୟରେ ନିଦରୁ ଉଠିଯାଇଥିଲି। ଏହି ସମୟରେ ଜଣେ ବ୍ୟକ୍ତି ପ୍ୟାଣ୍ଟ୍ରି କାର ଭିତରୁ କମ୍ପାଟମେଣ୍ଟ ଭିତରକୁ ଦଉଡି ପଶି ଆସିଥିଲେ। ଏହି ସମୟରେ ଅଭିଯୁକ୍ତ ଚୌଧୁରୀ ମଧ୍ୟ ଉକ୍ତ ବ୍ୟକ୍ତିଙ୍କ ପଛେପଛେ ଧାଇଁ ଆସିଥିଲା। ଏହି ଦୃଶ୍ୟ ଦେଖି ମୁଁ ଆରପିଏଫ୍(ଚେତନ)କୁ କଣ ହେଲା ବୋଲି ପଚାରିଥିଲି। ଜବାବରେ ସେ ମତେ କିଛି ଉତ୍ତର ନଦେଇ ରାଗି ଅନାଇଥିଲେ। ମୁଁ ଡରିଯାଇ ନିଜ ସିଟକୁ ପଳାଇଥିଲି।

ଏହି ଘଟଣା ଘଟିବାର କିଛି ସମୟ ପରେ ଜଣେ ଦାଢିବାଲା (ସମ୍ଭବତଃ ଜିନ୍ସୋନ ବିଶ୍ୱାସ) ବ୍ୟକ୍ତି ସେଠାରେ ପହଞ୍ଚି ଉକ୍ତ ଆରପିଏଫ୍(ଚେତନ) ପୋଲିସଙ୍କ ସହ ଯୁକ୍ତି କରିଥିଲେ। ହେଲେ ଏହି ପ୍ରଶ୍ନରେ ସେ ହଠାତ୍ ରାଗି ଉଠି ଦାଢିବାଲା ବ୍ୟକ୍ତିଙ୍କ ଉପରେ ଅତି ନିକଟରୁ ତାଙ୍କ ଉପରକୁ ଦୁଇଥର ଗୁଳି ଚଳାଇଥିଲେ। ଏହା ଦେଖି ଆମେ ସମସ୍ତେ ଭୟଭିତ ହୋଇପଡିଥିଲୁ ଆଉ କେହି ସେ ଯାଗାକୁ ଯିବାକୁ ସାହାସ କରିନଥିଲୁ ବୋଲି ସାକ୍ଷୀ ଜଣଙ୍କ ପ୍ରକାଶ କରିଛନ୍ତି।

ପରେ ଉକ୍ତ ଆରପିଏଫ ପୋଲସକୁ ତାଙ୍କ ଘରୁ ଗିରଫ କରାଯାଇଥିବା ନେଇ ଖବର ପ୍ରକାଶ ପାଇବାରୁ ସେ ସମସ୍ତ ଘଟଣା ଜାଣି ପାରିଥିଲେ। ଉକ୍ତ ସାକ୍ଷୀ ଜଣଙ୍କ ଭିଡିଓ କନଫରେନ୍ସ ଯୋଗେ ଏହି ଘଟଣାର ମୁଖ୍ୟ ଆସାମୀ ଚେତନଙ୍କୁ ଚିହ୍ନଟ କରିଥିଲେ।

ଚେତନଙ୍କ ବିରୁଦ୍ଧରେ ଭାରତୀୟ ଦଣ୍ଡ ସଂହିତା (IPC) ଧାରା 302 (ହତ୍ୟା), 153-A (ଧର୍ମ, ଜାତି, ଜନ୍ମସ୍ଥାନ, ବାସସ୍ଥାନ, ଭାଷା ଇତ୍ୟାଦି ଆଧାରରେ ବିଭିନ୍ନ ଗୋଷ୍ଠୀ ମଧ୍ୟରେ ଶତ୍ରୁତାକୁ ପ୍ରୋତ୍ସାହିତ କରିବା) ଏବଂ ରେଳବାଇ ଆଇନ ଓ ମହାରାଷ୍ଟ୍ର ସମ୍ପତ୍ତି ନଷ୍ଟ କରିବା ଅଭିଯୋଗ ଆଧାରରେ ଗିରଫ ହୋଇଛନ୍ତି।