ନୂଆଦିଲ୍ଲୀ, ୨୦/୯ : ପାକିସ୍ତାନରେ ଅପରେଶନ ସିନ୍ଦୂର ଭୟ। ଠିକଣା ବଦଳାଉଛନ୍ତି ଆତଙ୍କୀ ସଙ୍ଗଠନ। ପିଓକେ ଛାଡ଼ି ଖୈବର ପଖତୁନଖ୍ଵା ପ୍ରାନ୍ତକୁ ସିପ୍ଟ କରୁଛନ୍ତି ଜୈଶ ଓ ହିଜବୁଲ। ତିଆରି କରୁଛି ନୂଆ ମୁଖ୍ୟାଳୟ। ସାହାଯ୍ୟ କରୁଛନ୍ତି ପାକ୍ ସେନା ଓ ସରକାର। କେପିକେର ମାନସେହରା ଜିଲ୍ଲାର ଗଢି ହବିବୁଲ୍ଲାହ ଗାଁରେ ସେପ୍ଟେମ୍ଵର ୧୪ରେ ଜୈଶ-ଏ-ମହମ୍ମଦ ଏକ ବଡ଼ ରାଲି କରିଛି। ଧାର୍ମିକ ସଭା ନାଁରେ ଆତଙ୍କୀ ସଙ୍ଗଠନ ଏହି କାର୍ଯ୍ୟକ୍ରମ ଆୟୋଜନ କରୁଛି। ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ହେଉଛି ଆତଙ୍କୀମାନଙ୍କୁ ଭର୍ତ୍ତି କରିବା।

​​​​​​​ଆଫଗାନିସ୍ତାନ ସୀମା ଏବେ ଆତଙ୍କୀ ସଙ୍ଗଠନ ପାଇଁ ପାଲଟିଛି ନୂଆ ଠିକଣା। ଜୈଶ-ଏ-ମହମ୍ମଦ ଓ ହିଜବୁଲ ମୁଜାହିଦ୍ଦିନ୍ ସେମାନଙ୍କର ମୁଖ୍ୟାଳୟ ପଞ୍ଜାବର ବାହାୱଲପୁରରୁ ଖୈବର ପଖତୁନଖ୍ଵାକୁ ସ୍ଥାନାନ୍ତରିତ କରିଛନ୍ତି। ଆଫଗାନିସ୍ତାନ ସୀମା ସଂଲଗ୍ନ ଏହି ଅଞ୍ଚଳ ଏବେ ଜୈଶ ଏବଂ ହିଜବୁଲର ଆତଙ୍କବାଦୀ କାର୍ଯ୍ୟକଳାପର କେନ୍ଦ୍ର ହେବ। ଭୌଗୋଳିକ ସ୍ଥିତି ଦୃଷ୍ଟିରୁ ଆତଙ୍କବାଦୀଙ୍କ ପାଇଁ ଏହା ଏବେ ସୁରକ୍ଷିତ ଆଡ୍ଡା ପାଲଟିଛି। ଜୈଶ ମାସୁଦ ଇଲିଆସ କାଶ୍ମୀରୀକୁ ଖୈବର ପଖତୁନଖ୍ଵାର ଦାୟିତ୍ୱ ଦେଇଛି। କାଶ୍ମୀରୀ ଜୈଶର ହିଲାଲ ଉଲ ହକ ବ୍ରିଗେଡର ଇନଚାର୍ଜ। ସେ ଭାରତ ବିରୋଧରେ ସୀମାପାର୍ ଆତଙ୍କୀ ଅପରେଶନରେ ପ୍ରମୁଖ ଭୂମିକା ଗ୍ରହଣ କରୁଛି। ଆତଙ୍କୀ ସଙ୍ଗଠନ ପାଇଁ ରାଲି କରିବା ଓ ଯୁବକଙ୍କୁ ନିୟୋଜିତ, ସେମାନଙ୍କୁ ଆତଙ୍କୀ ହେବା ପାଇଁ ପ୍ରଶିକ୍ଷଣ ଦେବା ମାସୁଦ ଇଲିଆସ କାଶ୍ମୀରୀର କାମ। ​​​​​​​​

ଜୈଶ-ଏ-ମହମ୍ମଦ ସେପ୍ଟେମ୍ଵର ୨୫ରେ ପେଶାୱରର ମରକଜ ଶହୀଦ ମକସୁଦାବାଦରେ ଆଉ ଏକ ବଡ଼ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ଯୋଜନା କରୁଛି। ମସୁଦ ଅଜହରର ଭାଇ ୟୁସୁଫ ଅଜହର ସ୍ମୃତିରେ ଏହି କାର୍ଯ୍ୟକ୍ରମ କରାଯିବ। ସେହିପରି ହିଜବୁଲ ମୁଜାହିଦିନ ମଧ୍ୟ ଖୈବର ପଖତୁନଖ୍ଵାରେ HM313 ନାମକ ଏକ ପ୍ରଶିକ୍ଷଣ କେନ୍ଦ୍ର ତିଆରି କରୁଛି। ଏହି ଟ୍ରେନିଂ ସେଣ୍ଟର ପୂର୍ବତନ ପାକିସ୍ତାନୀ କମାଣ୍ଡର ଖାଲିଦ ଖାନ ନେତୃତ୍ଵରେ ଚାଲିବ। ଏଥିପାଇଁ ଗତ ବର୍ଷ ଅଗଷ୍ଟ ମାସରେ ଜମି କିଣାଯାଇଥିଲା। ଭାରତର ଅପରେଶନ ସିନ୍ଦୂର ପରେ ଏଠାରେ ନିର୍ମାଣ କାର୍ଯ୍ୟ ଜୋରଶୋରରେ ଚାଲିଥିଲା।  
​​​​​​​