​​​​​​​ଅନୁଗୁଳ,୧୪୧୦(ବ୍ୟୁରୋ): ମହଙ୍ଗା ପଡ଼ିଲା ଅର୍ଥ ହେରଫେର୍ । ସରକାରୀ ଚହବିଲ୍‌ରୁ ଟଙ୍କା ହଡ଼ପ ପ୍ରମାଣ ହସ୍ତଗତ ହେବା ପରେ ନିଲମ୍ବିତ ହୋଇଛନ୍ତି ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟର ଆକାଉଣ୍ଟସ୍ ବିଭାଗର କନିଷ୍ଠ ସହାୟ ସୁବ୍ରତ ବେହେରା । ଅର୍ଥ ହେରଫେର୍ କରିବା ଅଭିଯୋଗରେ ତାଙ୍କୁ ମଙ୍ଗଳବାର ନିଲମ୍ବନ କରାଯାଇଥିବା ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ମଦନ ମୋହନ ପ୍ରଧାନ ପ୍ରକାଶ କରିଛନ୍ତି ।

 ୨୦୦୭ ମସିହାରୁ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗରେ ସୁବ୍ରତ କାର୍ଯ୍ୟ କରୁଛନ୍ତି । ସୁବ୍ରତ ଆକାଉଣ୍ଟସ୍ ବିଭାଗ ସମ୍ଭାଳିବା ପରଠାରୁ କର୍ମଚାରୀଙ୍କ ଦରମାରେ କୋଟି କୋଟି ଟଙ୍କା ହେରଫେର୍‌ ହୋଇଛି । ସେ ତାଙ୍କର ମୂଳ ଦରମାଠାରୁ କାହିଁ କେତେଗୁଣ ଉଠାଇ ନେଇଛନ୍ତି । ଏପରିକି ଡାକ୍ତର, କର୍ମଚାରୀଙ୍କୁ ମନଇଚ୍ଛା ଦରମା ବାଣ୍ଟିଛନ୍ତି । ଏହି ଟଙ୍କା ହଡପ ନେଇ ଖୋଦ୍ ଆକାଉଣ୍ଟାଣ୍ଟ୍ ଜେନେରାଲ୍(ଏଜି) ଅଫିସ୍ ଧରିଛି। ଆକାଉଣ୍ଟାଣ୍ଟ୍ ଜେନେରାଲ୍ ଓ ରାଜ୍ୟ ଅର୍ଥ ବିଭାଗର ଏକ ୪ ଜଣିଆ ଟିମ୍ ଗତ ଗୁରୁବାର ଓ ଶୁକ୍ରବାର ଦୁଇ ଦିନ ଅନୁଗୁଳ ସିଡିଏମ୍ଓ ଓ ଏଡିଏମ୍ଓ (ମେଡ଼ିକାଲ)ଙ୍କ କାର୍ଯ୍ୟାଳୟରେ ଛାନ୍‌ଭିନ୍ କରି ବସ୍ତା ବସ୍ତା କାଗଜାତ୍‌ ଧରି ଫେରିଥିଲେ। ଏ ନେଇ ସ୍ବାସ୍ଥ୍ୟ ବିଭାଗର ଟିମ୍ ଅଡିଟ୍ ଜାରି ରଖିଥିବା ବେଳେ ସୁବ୍ରତ ଛୁଟିରେ ଅଛନ୍ତି । ଯଦିଓ ସିଡିଏମ୍ଓ ଛୁଟି ପାଇଁ ଅନୁମତି ଦେଇନଥିଲେ, ସେ ମେଲ୍ ପଠାଇ ଛୁଟିରେ ରହିଥିବା ବେଳେ ତାଙ୍କୁ ନିଲମ୍ବନ କରାଯାଇଛି।