ଭୁବନେଶ୍ବର,୧୧।୯ : ଜାନୁଆରୀ ମାସରେ କାର୍ଯ୍ୟକ୍ଷମ ହେବ କଳିଙ୍ଗ ଷ୍ଟୁଡ଼ିଓ । ଜୋରଦାର ଚାଲିଛି ପ୍ରସ୍ତୁତି। ପୁଣି କଳିଙ୍ଗ ଷ୍ଟୁଡ଼ିଓରେ ସୁଟିଂ କରିପାରିବେ ଓଡ଼ିଆ ସିନେ ନିର୍ମାତା । ୭ ଜଣିଆ ବିଧାୟକଙ୍କୁ ନେଇ ଗଠିତ କମିଟି ଗୁରୁବାର କଳିଙ୍ଗ ଷ୍ଟୁଡ଼ିଓ ପରିଦର୍ଶନ କରିଥିବା ବେଳେ ଭିତ୍ତିଭୂମିର ଯାଞ୍ଚ ସାଙ୍ଗକୁ ବିଭିନ୍ନ ଆଲୋଚନା କରିଥିଲେ ।
କମିଟି ଚେୟାରମ୍ୟାନ ବିଦୁଷ୍ମନ୍ତ ସ୍ବାଇଁଙ୍କ ସମେତ ଛବି ମଲ୍ଲିକ, ଅରବିନ୍ଦ ମହାପାତ୍ର, ଲକ୍ଷ୍ମଣ ବାଗ, ପ୍ରତାପ ଚନ୍ଦ୍ର ପ୍ରଧାନ, ରୂପେଶ କୁମାର ପାଣିଗ୍ରାହୀ, ସତ୍ୟଜିତ ଗମାଙ୍ଗ ପ୍ରମୁଖ କଳିଙ୍ଗ ଷ୍ଟୁଡ଼ିଓର କାର୍ଯ୍ୟ ସମୀକ୍ଷା କରିଛନ୍ତି। ପରିଦର୍ଶନ କରି କମିଟି ଚେୟାରମ୍ୟାନ ଦୁଷ୍ମନ୍ତ ସ୍ୱାଇଁ କହିଛନ୍ତି ଖୁବ ଶୀଘ୍ର କିଭଳି କାର୍ଯ୍ୟକ୍ଷମ ହେବ ଏ ଦିଗରେ ସରକାର ସମସ୍ତ ଚେଷ୍ଟା କରୁଛନ୍ତି । ଜାନୁଆରୀ ମାସ ସୁଦ୍ଧା କାମ ଶେଷ ହୋଇ ଏହା କାର୍ଯ୍ୟକ୍ଷମ ହେବା ଲକ୍ଷ୍ୟ ରଖାଯାଇଛି । ଏହା ପୂର୍ବରୁ ଜୁନ ୧ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ସମେତ ଶିକ୍ଷାମନ୍ତ୍ରୀ, ସଂସ୍କୃତି ମନ୍ତ୍ରୀ କଳିଙ୍ଗ ଷ୍ଟୁଡ଼ିଓ ପରିଦର୍ଶନ କରିଥିଲେ । ଏକ ସ୍ଵତନ୍ତ୍ର ଡିପିଆର ପ୍ରସ୍ତୁତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଇଥିଲେ ।