ରାଞ୍ଚି: ଝାରଖଣ୍ଡରେ ଅଦିବାସୀ କୁର୍ମୀ ସମାଜ (AKS)ର ଆନ୍ଦୋଳନ ଯୋଗୁଁ ହନ୍ତସନ୍ତ ହେଉଛନ୍ତି ଲାକ୍ଷାଧିକ ରେଳ ଯାତ୍ରୀ। ଶନିବାର ଏହି ଆନ୍ଦୋଳନର କର୍ମକର୍ତ୍ତାମାନେ ରାଜ୍ୟର ବିଭିନ୍ନ ସ୍ଥାନରେ ରେଳ ରୋକ କରିଥିଲେ। ଯାହାଫଳରେ ଶତାଧିକ ଯାତ୍ରୀବାହି ଟ୍ରେନକୁ ରଦ୍ଦ କରାଯାଇଥିବା ବେଳେ କେତେକ ଟ୍ରେନକୁ ବିକଳ୍ପ ମାର୍ଗରେ ପଠାଯାଇଛି କିମ୍ବା କେତେକ ସ୍ଥାନରେ ଅଟକାଯାଇଛି। ଏହା ରାଞ୍ଚି ଡିଭିଜନ ଅଧୀନର ଦକ୍ଷିଣ ପୂର୍ବ ରେଳବାଇ ଏବଂ ଧାନବାଦ ଡିଭିଜନ ଅଧୀନର ପୂର୍ବ କେନ୍ଦ୍ରୀୟ ରେଳବାଇର ବିଭିନ୍ନ ଷ୍ଟେସନରେ ବିପର୍ଯ୍ୟୟ ସୃଷ୍ଟି କରିଛି।

କୁର୍ମୀ ସମାଜର ସଦସ୍ୟମାନେ ନିଜ ଜାତିକୁ ଅନୁସୂଚିତ ଜନଜାତି(ST)ରେ ସାମିଲ କରିବା ଏବଂ କୁର୍ମାଳୀ ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ସ୍ୱୀକୃତି ଦେବାକୁ ଦାବି କରିଛନ୍ତି। ଗୋଟିଏପଟେ ଏହା ଏହି ସମାଜର ଦୀର୍ଘଦିନର ଦାବି ହୋଇଥିବା ବେଳେ ଅନେୟପଟେ ରାଜ୍ୟ ସରକାରଙ୍କ ଅବହେଳା ଯୋଗୁଁ ଏହା ଆନ୍ଦୋଳନର ରୂପ ନେଇଛି ବୋଲି ସେମାନେ ଦାବି କରିଛନ୍ତି।

ଆନ୍ଦୋଳନକାରିମାନେ ମୁରୀ, ରାଇ, ତାଟିସିଲ୍ୱାଇ (ରାଞ୍ଚି ଜିଲ୍ଲା), ବର୍କାକାନା (ରାମଗଡ), ପରସନାଥ (ଗିରିଡିହ), ଚାର୍ହି (ହଜାରୀବାଗ), ପ୍ରଧାନଖଣ୍ଟା (ଧାନବାଦ), ଗାଲୁଦିହ (ପୂର୍ବ ସିଂହଭୁମି) ଏବଂ ଚନ୍ଦ୍ରପୁରା (ବୋକାରୋ ଜିଲ୍ଲା) ଆଦି ସ୍ଥାନରେ ରେଳ ଧାରଣାରେ ଧାରଣା ଦେଇଛନ୍ତି ଓ ଏହି ଆନ୍ଦୋଳନ ଦାର୍ଘ ୧୨ ଘଣ୍ଟାରୁ ଅଧିକ ସମୟ ଧରି ଜାରି ରହିଛି।

ଏହି ଆନ୍ଦୋଳନ ଯୋଗୁଁ ଟ୍ରେନ ଚଳାଚଳ ଉପରେ ଗୁରୁତର ପ୍ରଭାବ ପଡିଛି। ଯେଉଁଥିପାଇଁ ୬୪ଟି ଟ୍ରେନକୁ ସଂପୂର୍ଣ୍ଣ ରଦ୍ଦ କରାଯାଇଥିବା ବେଳେ ୪୧ଟି ଟ୍ରେନକୁ ବିକଳ୍ପ ମାର୍ଗରେ ଗନ୍ତବ୍ୟସ୍ଥଳିକୁ ପଠାଯାଇଛି। ଏହାସହ ପ୍ରାୟ ୨୧ଟି ବିଭିନ୍ନ ଟ୍ରେନକୁ ବିଭିନ୍ନ ସ୍ଥାନରେ ଅଟକାଯାଇଛି। ଯେଉଁଥିପାଇଁ ଏହା ଦିଲ୍ଲୀ, କୋଲକାତା, ମୁମ୍ବାଇ ଆଦି ପ୍ରଧାନ ସହରକୁ ଯାଉଥିବା ମାର୍ଗକୁ ଗୁରୁତର ଭାବେ ପ୍ରଭାବିତ କରିଛି।

ଏହି ଆନ୍ଦୋଳନ ଯୋଗୁଁ ଲକ୍ଷଲକ୍ଷ ଯାତ୍ରୀ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ରାଞ୍ଚି, ଧାନବାଦ ଆଦି ଷ୍ଟେସନରେ ପ୍ରବଳ ଭିଡ଼ ବଢ଼ିବା ସହ ଅନ୍ୟ ପରିବହନ ସେବାରେ ମଦ୍ୟ ଚାପ ପଡ଼ିଛି। ରେଳବାଇ ଅଧିକାରୀମାନେ ଯାତ୍ରୀଙ୍କୁ IRCTC ଆପ୍ ବା ହେଲ୍ପଲାଇନ୍ (୧୩୯) ମାଧ୍ୟମରେ ଅପଡେଟ୍ ନେବାକୁ ପରାମର୍ଶ ଦେଇଛନ୍ତି। ଆଗକୁ ଆନ୍ଦୋଳନ ଜାରି ରହିଲେ ଅଧିକ ଟ୍ରେନ୍ ପ୍ରଭାବିତ ହେବାର ସମ୍ଭାବନା ରହିଛି।

ଏନେଇ AKS ନେତାମାନେ କହିଛନ୍ତି, "ସରକାର ଦାବି ପୂରଣ ନକରିବା ଯାଏ ଆନ୍ଦୋଳନ ଜାରି ରହିବ।" ସେମାନେ ରାଜ୍ୟ ସରକାରଙ୍କୁ ଚିଠି ଲେଖି ଦାବି ପୂରଣ ଦିଗରେ ସହାୟତା ପ୍ରଦାନ କରିବାକୁ ଅନୁରୋଧ କରିଛନ୍ତି।

ଦକ୍ଷିଣ ପୂର୍ବ ରେଳବାଇ ଏକ ବୟାନ ଜାରି କରି କହିଛି ଯେ, "ଯାତ୍ରୀମାନଙ୍କ ସୁରକ୍ଷା ଓ ସୁବିଧା ପାଇଁ ସମସ୍ତ ପଦକ୍ଷେପ ନିଆଯାଉଛି।" ଅନ୍ୟପଟେ ଝାରଖଣ୍ଡ ସରକାର ଆନ୍ଦୋଳନକାରୀମାନଙ୍କ ସହ ଆଲୋଚନା ଜାରି ରଖିଥିବା ନେଇ  ସୂଚନା ପ୍ରଦାନ କରିଛନ୍ତି। ସେହିଭଳି କୌଣସି ଅପ୍ରିତିକର ପରିସ୍ଥିତି ଏଡାଇବାକୁ ପୋଲିସ ଘଟମାସ୍ଥଳରେ ଉପସ୍ଥିତ ରହିଛି।