ନୂଆଦିଲ୍ଲୀ,୦୩/୦୯: ବିଶ୍ଵ ପାଣିପାଗ ସଙ୍ଗଠନର ଚେତାବନୀ । ସେପ୍ଟେମ୍ବରରେ ପୁଣି ଫେରୁଛି ଲା-ନିନା। ପ୍ରଭାବିତ ହେବ କ୍ଲାଇମେଟ୍ ସିଷ୍ଟମ । ବଡ଼ ବର୍ଷା ପରେ ହାଡ଼ ଭଙ୍ଗା ଶୀତ। ପ୍ରଶାନ୍ତ ମହାସାଗରର ପେରୁ ତଟରେ ପେରୁ କରେଣ୍ଟ ଓଲଟା ବହିବା ଆରମ୍ଭ ହୋଇଗଲାଣି । ଆସନ୍ତା ସେପ୍ଟେମ୍ବର ସୁଦ୍ଧା ଲାନିନୋ ବିକଶିତ ହେବ । ଏହି ଥଣ୍ଡା ଜଳଧାରା ଭାରତ ମହାସାଗରରେ ପହଞ୍ଚି କ୍ଲାଇମେଟ୍ ସିଷ୍ଟମ ପ୍ରଭାବିତ କରିବ । ‘ଲା-ନିନା’ ପାଇଁ ସେପ୍ଟେମ୍ବର ମାସରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଛି । କେବଳ ବର୍ଷା ନୁହେଁ ଚଳିତ ବର୍ଷ ଭୀଷଣ ଶୀତର ପୂର୍ବାନୁମାନ କରି ଚେତାବନୀ ଦେଇଛି ବିଶ୍ବ ପାଣିପାଗ ସଂଗଠନ । ଦିନରେ ତାପମାତ୍ରା ସର୍ବନିମ୍ନ ସ୍ତରକୁ ଖସିଯିବ । ବିଶେଷ କରି ଉତ୍ତର ଭାରତରେ ହାଡ଼ ଭଙ୍ଗା ଶୀତ ଅନୁଭୂତ ହେବ ।
ଡବ୍ଲୁଏମଓ ରିପୋର୍ଟ କହୁଛି, ଲା-ନିନାର ଅସ୍ଥାୟୀ ଶୀତଳ ପ୍ରଭାବ ସତ୍ତ୍ବେ ଦୁନିଆ ଅଧିକାଂଶ ସ୍ଥାନରେ ବୈଶ୍ବିକ ତାପମାତ୍ରା ହାରହାରି ଠାରୁ ଅଧିକ ରହିବାର ସମ୍ଭାବନା ରହିଛି । ତେବେ ଏଲନିନୋ ଏବଂ ଲାନିନୋ ପ୍ରଶାନ୍ତ ମହାସାଗରରେ ଚାଲୁଥିବା ଜଳଚକ୍ର ଦୁଇଟି ବିପରୀତ ଧାରା । ଏଲନିନୋ ଦକ୍ଷିଣ ଆମେରିକାର ପେରୁ ନିକଟବର୍ତ୍ତୀ ସମୁଦ୍ରରେ ଚାଲୁଥିବା ଏକ ଗରମ ଜଳଧାରା । ଏହି ଓ୍ବର୍ମ କରେଣ୍ଟ ବିଶେଷ କରି ଟ୍ରେଡ୍ ଓ୍ବିଣ୍ଡକୁ ଦୁର୍ବଳ କରିବା ସହିତ ଭାରତରେ ମୌସୁମୀକୁ ପ୍ରଭାବିତ କରିଥାଏ । ଯାହା ଫଳରେ ଭାରତରେ ଜୁନ ଏବଂ ଜୁଲାଇ ମାସରେ ନିଅଣ୍ଟିଆ ବର୍ଷା ହେବା ସଙ୍ଗେ ସଙ୍ଗେ ଚାଷ ମଧ୍ୟ ପ୍ରଭାବିତ ହୋଇଥାଏ ।
ମାତ୍ର ଲା-ନିନା ହେଉଛି ଏଲ-ନିନୋର ବିପରୀତ । ଏହା ଦକ୍ଷିଣ ଆମେରିକା ତଟବର୍ତ୍ତୀ ଅଞ୍ଚଳରେ ସୃଷ୍ଟି ହୋଇଥିବା ଏକ ଥଣ୍ଡା ଜଳଧାରା । ସେପ୍ଟେମ୍ବର ମାସରେ ବିକଶିତ ହୋଇ ଭାରତରେ ମୌସୁମୀକୁ ଅଧିକ ସକ୍ରିୟ କରିଥାଏ । ଯାହା ଫଳରେ ଦେଶରେ ମୁସଳଧାରରେ ବର୍ଷା ହୋଇଥାଏ । ଏହାଛଡ଼ା ଶୀତ ଦିନରେ ହାଡ଼ ଭଙ୍ଗା ଥଣ୍ଡା ଅନୁଭୂତ ହୋଇଥାଏ । ହାରାହାରି ଠାରୁ ଅଧିକ ଥଣ୍ଡା ପଡ଼ିଥାଏ । ବିଶେଷ ଭାବେ ପ୍ରଭାବିତ ହୋଇଥାଏ ଉତ୍ତର ଭାରତ କ୍ଷେତ୍ର । ସାଧାରଣତଃ ବୁଝିବାକୁ ଗଲେ ଏଲ-ନିନୋ ଏକ ବର୍ଷରୁ କମ୍ ସମୟ ଏବଂ ଲା-ନିନା ଏକ ବର୍ଷରୁ ତିନି ବର୍ଷ ପର୍ଯ୍ୟନ୍ତ ରହିଥାଏ ।
ବିଶ୍ବ ପାଣିପାଗ ସଂଗଠନର ମହାସଚିବ ସେଲେଷ୍ଟ ସାଓଲୋ କହିଛନ୍ତି, ଏଲନିନୋ ଏବଂ ଲା-ନିନା ହେଉଛି ମହାସାଗରରେ ପ୍ରକୃତିକ ଭାବେ ସୃଷ୍ଟି ହେଉଥିବା ଜଳବାୟୁ ଘଟଣା । ଏହା ସାମାନ୍ୟ ଜଳବାୟୁକୁ ପ୍ରଭାବିତ କରିଥାଏ । ଏହା ଦ୍ବାରା କୃଷି, ଉର୍ଜା, ସ୍ବାସ୍ଥ୍ୟ ଏବଂ ପରିବହନ ଆଦି ପ୍ରମୁଖ କ୍ଷେତ୍ର ପ୍ରଭାବିତ ହୋଇଥାଏ । ଡବ୍ଲୁଏମଓର ପୂର୍ବାନୁମାନ ଦ୍ବାରା ଲକ୍ଷାଧିକ ଡଲାର ସମ୍ପତ୍ତି ନଷ୍ଟ ହେବାରୁ ବର୍ତ୍ତି ଯାଇଥାଏ । ପ୍ରାକୃତିକ ବିପର୍ଯ୍ୟୟରୁ ହଜାର ହଜାର ଲୋକଙ୍କ ଜୀବନ ବଞ୍ଚିଯାଏ । ହେଲେ ଭୂ-ପୃଷ୍ଠରେ ଜଳବାୟୁ ପରିବର୍ତ୍ତନର ଏକ ମାତ୍ର କାରକ ଏଲନିନୋ କିମ୍ବା ଲା-ନିନା ନୁହେଁ ...