ରେମୁଣା,୨୧/୦୯ : ୩ ମାସ ତଳେ ବିବାହ କରିଥିଲେ । ନୂଆ କରି ସଂସାର ଆରମ୍ଭ କରିଥିଲେ । ହେଲେ କାହିଁକି ଏମିତି ନିଷ୍ପତ୍ତି ନେଲେ ନବବିବାହିତା ମହିଳା ? ଦାମ୍ପତ୍ୟ ଜୀବନରେ କ'ଣ ଏମିତି ଘଟିଲା ଯେ ଆତ୍ମହତ୍ୟା ପରି ଚରମ ନିଷ୍ପତ୍ତି ନେବାକୁ ବାଧ୍ୟ ହେଲେ । ବାଲେଶ୍ୱର ଟାଉନ ଥାନା ଗୋପାଳ ଗାଁରେ ଭଡାଘରୁ ଲ୍ୟାବ ଟେକନିସିଆନଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ଏହା ଆତ୍ମହତ୍ୟା ନା ହତ୍ୟା ତାହା ତ ତଦନ୍ତ ପରେ ଜଣାପଡିବ । ଘଟଣାକୁ ନେଇ ପରିବାରରେ ଶୋକର ଛାୟା ଖେଳିଯାଇଛି ।
ପୁରୀ ଜିଲ୍ଲା କାକଟପୁର ଅଞ୍ଚଳରେ ମୃତ ଯୁବତୀଙ୍କ ଘର । ସେ ବାଲେଶ୍ବର ମୁଖ୍ୟ ଚିକିତ୍ସାଳୟ ପାଥୋଲ୍ୟାବରେ କାମ କରୁଥିଲେ। ସେ ଗତ ଜୁନ ମାସରେ ବିବାହ କରିଥିଲେ । ଗୋପାଳ ଗାଁରେ ଭଡାରେ ରହୁଥିଲେ । ଗତକାଲି (ଶନିବାର) ବିଳମ୍ବିତ ରାତିରେ ତାଙ୍କ ଭଡ଼ା ଘରୁ ତାଙ୍କର ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମାତ୍ର ତିନିମାସ ପୂର୍ବରୁ ବିବାହ ହୋଇଥିଲା । ହେଲେ କେଉଁ କାରଣ ପାଇଁ ସେ ଏଭଳି ନିଷ୍ପତ୍ତି ନେଲେ ? ଏହା ହତ୍ୟା ନା ଆତ୍ମହତ୍ୟା ଏ ନେଇ ଟାଉନଥାନା ପୁଲିସ ତଦନ୍ତ ଆରମ୍ଭ କରିଛି ।
ଅନ୍ୟପଟେ ତାଙ୍କ ଏଭଳି ମୃତ୍ୟୁକୁ ସହଜରେ ଗ୍ରହଣ କରିପାରି ନାହାନ୍ତି ସହକର୍ମୀ । ସେ ଭଲ କାମ କରୁଥିଲେ । ତାଙ୍କ ପାଖରେ ଦକ୍ଷତା ଥିଲା । ସେ ସମୟାନୁବର୍ତ୍ତିତା ଥିଲେ । ହେଲେ ଏଭଳି ଚରମ ନିଷ୍ପତ୍ତି କାହିଁକି ନେଲେ ? ତଦନ୍ତ ପରେ ତାଙ୍କ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ସହକର୍ମୀ କହିଛନ୍ତି ।