କଟକ,୧୭/୦୯: ସ୍ତ୍ରୀ ରୋଗ ଓ ପ୍ରସୂତି ବିଭାଗର ଲେବର ରୁମ୍ ଇନଚାର୍ଜ ଏବଂ ସାଲାଇନ୍ ସେକ୍ସନ ଇନଚାର୍ଜଙ୍କ ବିରୋଧରେ ସହକର୍ମୀ ଓ ଅଧୀନସ୍ଥ କର୍ମଚାରୀମାନେ ସଙ୍ଗୀନ ଅଭିଯୋଗ କରିଛନ୍ତି । ଫଳରେ ସେମାନେ ଏବେ ବିବାଦରେ ରହିଛନ୍ତି । ସମ୍ପୃକ୍ତ କର୍ମଚାରୀ ଦ୍ୱୟଙ୍କ କାର୍ଯ୍ୟକଳାପକୁ ନେଇ ବିବାଦ ମୁଣ୍ଡ ଟେକିବାରୁ ଏସ୍ସିବି ଅଧୀକ୍ଷକଙ୍କ ନିର୍ଦ୍ଦେଶ କ୍ରମେ ପ୍ରଶାସନିକ ଅଧିକାରୀ ଦୁଇଟି ପୃଥକ ଟିମ୍ ଗଠନ କରି ତଦନ୍ତ ରିପୋର୍ଟ ପ୍ରଦାନ କରିଥିବା ଖବର ମିଳିଛି । ତଦନ୍ତରେ ଲେବର୍ ରୁମ୍ ଇନଚାର୍ଜ ଓ ସାଲାଇନ୍ ସେକ୍ସନ ଇନଚାର୍ଜଙ୍କ ଗଫଲତି ଏବଂ ମନମାନି କାର୍ଯ୍ୟ ଧରାପଡ଼ିଥିବାରୁ ସେମାନେ ଏବେ ଅକଳରେ ପଡ଼ିଛନ୍ତି ।
ସୂଚନାଯୋଗ୍ୟ, ଗାଇନିକ୍ ଲେବର ରୁମ୍ ଇନ୍ଚାର୍ଜ ନର୍ସିଂ ଅଫିସରଙ୍କୁ ଦୁର୍ବ୍ୟବହାର କରିବା ସହ ଶୋଷଣ କରୁଥିବା ନେଇ ନିକଟରେ ଅଭିଯୋଗ ହୋଇଥିଲା । ପ୍ରସବ କେନ୍ଦ୍ରରେ ନର୍ସିଂ ଅଫିସରମାନଙ୍କୁ ଦାୟିତ୍ୱ ବଣ୍ଟନରେ ପ୍ରିୟାପ୍ରୀତି କରାଯିବା ସହ ଶୋଷଣ କରାଯାଉଥିବା ସମ୍ପର୍କରେ ନର୍ସିଂ ଅଫିସରଙ୍କୁ ମିଶାଇ ୧୭ ଜଣ କର୍ମଚାରୀ ଅଧୀକ୍ଷକଙ୍କୁ ଲିଖିତ ଅଭିଯୋଗ କରିଥିଲେ । ସେହିପରି ସାଲାଇନ୍ ସେକ୍ସନ ଦାୟିତ୍ୱରେ ଥିବା ଫାର୍ମାସିଷ୍ଟ କର୍ମଚାରୀଙ୍କୁ ଘରେ ଖଟାଉଥିବା ଠିକା ସଂସ୍ଥାର କର୍ମଚାରୀମାନେ ଅଭିଯୋଗ କରିଥିଲେ । ଅଭିଯୋଗ ସତ୍ୟାସତ୍ୟ ଜଣାପଡ଼ିବା ପରେ ସମ୍ପୃକ୍ତ ଫାର୍ମାସିଷ୍ଟ ପାଇଁ ଅଡ଼ୁଆ ବଢ଼ିଛି । ତେଣୁ ସେ ସାଲାଇନ୍ ସେକ୍ସନ ଇନ୍ଚାର୍ଜରୁ ବଦଳି କରିବା ପାଇଁ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି । ତେବେ ଏ ସମ୍ପର୍କରେ ଅଧୀକ୍ଷକ ପ୍ରଫେସର ଗୌତମ ଶତପଥିଙ୍କ କହିବା କଥା, କର୍ମଚାରୀମାନେ ଶୃଙ୍ଖଳା ମଧ୍ୟରେ ରହି କାମ କରିବା ଉଚିତ୍ । ବିଶୃଙ୍ଖଳା କିମ୍ବା କର୍ତ୍ତବ୍ୟରେ ଅବହେଳା କଲେ ଆଇନ୍ ଅନୁସାରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦେଇଛନ୍ତି