ମାଲକାନଗିରି, ୩/୧୧ : ଓଡ଼ିଶାର ଶେଷ ସୀମାନ୍ତ ମୋଟୁ ତହସିଲ ଅଞ୍ଚଳ ପରିଦର୍ଶନ କଲେ ମାଲକାନଗିରି ଜିଲ୍ଲାପାଳ ଶୋମେଶ ଉପାଧ୍ୟାୟ ଓ ଏସପି ବିନୋଦ ପାଟିଲ। ତିନି ରାଜ୍ୟ ସୀମାନ୍ତର ପ୍ରତୀକ ମୁଗିପଏଣ୍ଟ, ମଧୁସୂଦନ ପାର୍କର ଉନ୍ନତିକରଣ ସହ ସୀମାନ୍ତରେ ପର୍ଯ୍ୟଟନ କ୍ଷେତ୍ରରେ ବିକାଶ ନେଇ କଲେ ସମୀକ୍ଷା। 

ତିନୋଟି ରାଜ୍ୟ ଆନ୍ଧ୍ରପ୍ରଦେଶ, ଛତିଶଗଡ଼ ଓ ଓଡ଼ିଶା ସୀମାନ୍ତରେ ମାଲକାନଗିରି ଜିଲ୍ଲାର ମୋଟୁ ତହସିଲ ଅବସ୍ଥିତ। ଏଠାରେ ସାବେରୀ, ସିଲେରୁ ଦୁଇଟି ନଦୀର ମିଳନ ହୋଇ ଆନ୍ଧ୍ରପ୍ରଦେଶର ଚିନାଗୋଦାବରୀ ସୃଷ୍ଟି ହୋଇଛି। ତିନୋଟି ନଦୀର ସଙ୍ଗମ ସ୍ଥଳରେ ତିନି ରାଜ୍ୟ ସୀମାନ୍ତ ପ୍ରତୀକ ପିଲାର ମୁଗିପଏଣ୍ଟ, ମଧୁସୂଦନ ପାର୍କ ଅବସ୍ଥିତ। ଏହା ଧିରେଧିରେ ନଦୀରେ ଲୀନ ହେବାକୁ ଯାଉଛି। ତେଣୁ ମାଲକାନଗିରି ଜିଲ୍ଲାପାଳ ଶୋମେଶ ଉପାଧ୍ୟାୟ ଓ ଏସପି ମୁଗିପଏଣ୍ଟ ଓ ମଧୁସୂଦନ ପାର୍କ ପରିଦର୍ଶନ କରି ଏହାର ଉନ୍ନତିକରଣ ସହିତ ସୀମାନ୍ତରେ ପର୍ଯ୍ୟଟନ ବିକାଶ ନେଇ ସମୀକ୍ଷା କରିଛନ୍ତି।

 ଏହା ବ୍ୟତୀତ କାଲିମେଳା ବ୍ଲକ ଅଧିନସ୍ଥ ମାନ୍ୟମକୋଣ୍ଡା ପଞ୍ଚାୟତର ଟାଗୋରକୋଟା ପାହାଡ଼ ଶିଖରରେ ନିର୍ମାଣାଧିନ ଶିବ ଶମ୍ଭୁ, ମାନ୍ୟମକୋଣ୍ଡା ବଡ଼ଯାତ୍ରା ଠାକୁରଙ୍କ ଜନ୍ମ ବେଦି ଗୁମ୍ଫା ପରିଦର୍ଶନ କରିଛନ୍ତି। ଏହି ସମୟରେ ମାନ୍ୟମକୋଣ୍ଡାଠାରେ ଥିବା ଗୁମ୍ଫା, ଟାଗୋରକୋଟାଠାରେ ଥିବା ଶିବ ମନ୍ଦିର ଓ ମୋଟୁର 'ମୁଗି' ପଏଣ୍ଟର ଭିତ୍ତଭୂମିର ଉନ୍ନତିକରଣ ଉପରେ ଗୁରୁତ୍ବ ଦେବା ପାଇଁ ଅଧିକାରୀମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହିତ ଏହି ପର୍ଯ୍ୟଟନସ୍ଥଳୀ ଗୁଡ଼ିକର ବିକାଶ ଏବଂ ସେଗୁଡ଼ିକୁ ଆକର୍ଷଣୀୟ କରିବା ପାଇଁ ଯୋଜନା କରିବାକୁ କହିଛନ୍ତି। 

ମାଲକାନଗିରିରେ ଅନୁଷ୍ଠିତ ବଡ଼ ଯାତ୍ରାରେ ପୂଜା ପାଉଥିବା ତିନି ଠାକୁର କାନାମରାଜୁ, ବାଲାରାଜ୍ ଏବଂ ପୋତରାଜ୍ ମାନ୍ୟମକୋଣ୍ଡା ନିକଟ ପାଲକୋଣ୍ଡା ପର୍ବତର ବିରାଟ ପଥର ଗୁମ୍ଫା ହେଉଛି ଠାକୁରଙ୍କ ଆବିର୍ଭାବ ସ୍ଥଳ। ଜିଲ୍ଲାପାଳ ଏହି ଗୁମ୍ଫା ମଧ୍ୟରେ ପ୍ରବେଶ କରି ବଡ଼ ଠାକୁରଙ୍କ ଦର୍ଶନ କରିବା ସହ ଏହି ପ୍ରାକୃତିକ ସ୍ଥାନଗୁଡିକର ବିକାଶ ଓ ପର୍ଯ୍ୟଟନ କ୍ଷେତ୍ର ପ୍ରତି ଗୁରୁତ୍ୱ ଦେବା ପାଇଁ କାଲିମେଳା ବିଡିଓ ଓ ତହସିଲଦାରଙ୍କ ସହ ଆଲୋଚନା କରିଛନ୍ତି।