ଲକ୍ଷ୍ନୌ, ୯/୧୦ : ଆକ୍ଟିଭ୍ ମୋଡ୍‌ରେ ମାୟାବତୀ। ଉତ୍ତର ପ୍ରଦେଶରେ ୪ଥରର ମୁଖ୍ୟମନ୍ତ୍ରୀ ଥିବା ମାୟାବତୀ ବହୁଜନ ସମାଜ ପାର୍ଟିର ପ୍ରତିଷ୍ଠାତା କାଂଶୀରାମଙ୍କ ପୁଣ୍ୟତିଥିରେ ଲକ୍ଷ୍ନୌରେ ବଡ଼ ରାଲି କରିଛନ୍ତି। ଏହି ରାଲିରେ ସମ୍ବୋଧିତ କରି ବିଏସପି ପ୍ରମୁଖ ମାୟାବତୀ ସମାଜବାଦୀ ପାର୍ଟି ଓ କଂଗ୍ରେସକୁ ଟାର୍ଗେଟ୍ କରିଛନ୍ତି। ଏହା ସହ ଯୋଗୀ ସରକାରଙ୍କୁ ଭୁରି ଭୁରି ପ୍ରଶଂସା କରିଛନ୍ତି। ମାୟାବତୀ କହିଛନ୍ତି ଯେ, ବର୍ତ୍ତମାନର ୟୁପି ସରକାର ସମାଜବାଦୀ ପାର୍ଟି ଭଳି ନୁହେଁ। କାଂଶୀରାମଙ୍କ ସ୍ମାରକ ସ୍ଥଳରେ ଲୋକମାନଙ୍କ ଠାରୁ ଆଦାୟ ହେଉଥିବା ଟିକଟ ବାବଦ ଟଙ୍କାକୁ ଯୋଗୀ ସରକାର ରକ୍ଷଣାବେକ୍ଷଣା ପାଇଁ ଖର୍ଚ୍ଚ କରୁଛନ୍ତି। ଏଥିପାଇଁ ତାଙ୍କୁ ଧନ୍ୟବାଦ। ସମାଜବାଦୀ ପାର୍ଟିର ସରକାର ଥିବା ସମୟରେ ଏଠାରେ ଟଙ୍କାଟିଏ ବି ଖର୍ଚ୍ଚ ହେଉନଥିଲା। ବିଜେପି ସରକାର ଆସିବା ପରେ ଟିକଟ ଟଙ୍କାରେ ଏହି ସ୍ଥାନର ମରାମତି ପାଇଁ ମୁଁ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖିଥିଲି। ସରକାର ନିବେଦନକୁ ଗ୍ରହଣ କରି ଏହି ସ୍ଥାନର ମରାମତି କରିଛନ୍ତି। 

ମାୟାବତୀ ଏସପିକୁ ଟାର୍ଗେଟ୍ କରି କହିଛନ୍ତି ଯେ, ଯେତେବେଳେ ଏସପି ସରକାର ଥିଲା, ସେତେବେଳେ ଆମ ଗୁରୁ, ସନ୍ଥ ଓ ମହାପୁରୁଷଙ୍କ କଥା ମନେ ପଡୁନଥିଲା। ଏବେ ବିପକ୍ଷକୁ ଗଲା ପରେ ହଠାତ୍ ପିଡିଏ କଥା ମନେ ପଡିଗଲା। ଆମେ ସରକାରରେ ଥିବା ସମୟରେ କାସଗଞ୍ଜ ଜିଲ୍ଲାର ନାମ ପରିବର୍ତ୍ତନ କରି କାଂଶୀରାମଙ୍କ ନାମ ରଖିଥିଲୁ, ହେଲେ ଏସପି ଶାସନକୁ ଆସିବା ପରେ ପୁଣି ଥରେ ନାମ ପରିବର୍ତ୍ତନ କରିଦେଲା। ବିଏସପି ସରକାରରେ ଥିବା ସମୟରେ ମହାତ୍ମା ଜ୍ୟୋତିବା ଫୁଲେ, ନାରାୟଣା ଗୁରୁ ସମେତ ଆମ ସନ୍ଥଙ୍କୁ ସମ୍ପୂର୍ଣ୍ଣ ସମ୍ମାନ ଦେଇଥିଲୁ, ହେଲେ ଜାତିବାଦୀ ପାର୍ଟି ଏହାକୁ ସହ୍ୟ କରିପାରିଲାନି। 

​​​​​​​ମାୟାବତୀ ପୁଣି କହିଛନ୍ତି ଯେ, ବାବା ସାହେବ ଭୀମରାଓ ଆମ୍ଵେଦକର କହୁଥିଲେ ଯେ, ଶାସନ ଏକ ଏଭଳି ମାଷ୍ଟର ଚାବି ଯାହାଦ୍ଵାରା ଦଳିତ ବର୍ଗର ଲୋକଙ୍କ ସମସ୍ୟାର ସମାଧାନ ହୋଇପାରିବ। ସେମାନେ ଏକ ସୁନ୍ଦର ଓ ସ୍ଵାଭିମାନ ଜୀବନ ବଞ୍ଚିପାରିବେ। ବାବା ସାହେବଙ୍କ ଏହି ସ୍ଵପ୍ନ ପୂରଣ କରିବା ପାଇଁ କାଂଶୀରାମ ତାଙ୍କ ପୁରା ଜୀବନକୁ ଉତ୍ସର୍ଗ କରି ଦେଇଥିଲେ। ୟୁପିରେ ଦଳିତଙ୍କ ସରକାର ଗଢିଥିଲେ। ଦିଲ୍ଲୀରେ ବି ଉପେକ୍ଷିତ ବର୍ଗଙ୍କ ସରକାର ଆଣିବାକୁ ଚାହୁଁଥିଲେ। ହେଲେ ତାଙ୍କ ସ୍ଵପ୍ନ ଅଧୁରା ରହିଗଲା।