ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

କୋରାପୁଟ ବିଜେଡିରେ ହଲଚଲ୍‌, ରଘୁରାମ ବହିଷ୍କୃତ: ପଦ୍ମ ପୋଖରୀକୁ ଡେଇଁବେ କି ମାଛ ?

କୋରାପୁଟ,୦୭/୧୧: ଜିଲ୍ଲା ବିଜେଡିର ଦକ୍ଷ ସଂଗଠକ ତଥା ୨୦୧୪ ନିର୍ବାଚନର ବିଧାୟକ ପ୍ରାର୍ଥୀ ରଘୁରାମ ମାଛଙ୍କୁ ସୋମବାର ଦଳରୁ ବହିଷ୍କାର କରାଯାଇଛି । ଦଳ ବିରୋଧୀ କାର୍ଯ୍ୟ କରୁଥିବା ଦର୍ଶାଇ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ତାଙ୍କ ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ ନେଇଛନ୍ତି । ଅଥଚ ସେ କି ପ୍ରକାର ଦଳ ବିରୋଧୀ କାର୍ଯ୍ୟ କରିଛନ୍ତି, ତାହା ନିର୍ଦ୍ଦିଷ୍ଟ ଭାବେ କିଛି ଦର୍ଶାଯାଇନି । 

ନିର୍ବାଚନମଣ୍ଡଳୀର ଜଣେ ଭଲ ସଂଗଠକ ଶ୍ରୀ ମାଛ ୨୦୧୪ ନିର୍ବାଚନରେ ବିଜେଡିରୁ କୋରାପୁଟ ବିଧାୟକ ପ୍ରାର୍ଥୀ ହୋଇଥିଲେ । ପ୍ରାୟ ୫ ହଜାର ଭୋଟ୍‌ ବ୍ୟବଧାନରେ କଂଗ୍ରେସ ପ୍ରାର୍ଥୀ କୃଷ୍ଣଚନ୍ଦ୍ର ସଗରିଆଙ୍କଠାରୁ ପରାସ୍ତ ହୋଇଥିଲେ । ୨୦୦୯ରେ ବିଧାୟକ ଥିବା ବିଜେଡିର ରଘୁରାମ ପଡାଲଙ୍କୁ ଦଳୀୟ ଟିକଟରୁ ବଞ୍ଚିତ କରାଯାଇ ଶ୍ରୀ ମାଛଙ୍କୁ ଦିଆଯାଇଥିଲା । ଶ୍ରୀ ମାଛ ହାରିବା ପରେ ବି ଦଳ ସହିତ ରହି ସଙ୍ଗଠନ କରିଆସୁଥିଲେ । ୨୦୧୯ରେ ଦଳ ପୁନର୍ବାର ପୂର୍ବତନ ବିଧାୟକ ଶ୍ରୀ ପଡାଲଙ୍କ ଉପରେ ଭରସା କରି ଟିକଟ ଦେଇଥିଲା ଓ ସେ ବିଜୟୀ ହୋଇଥିଲେ । 

୨୦୨୪ରେ ବିଜେଡିରୁ ସେ ଆଶାୟୀ ଥିଲେ । ଦଳୀୟ ଟିକଟରୁ ବଞ୍ଚିତ ହେଲେ ବିକଳ୍ପ ଭାବେ ବିଜେପିକୁ ଚୟନ କରିବେ ବୋଲି କୁଆଡ଼େ କହି ଆସୁଥିଲେ । ଏମିତିକି ବିଜେପିର କେତେକ ରାଜ୍ୟସ୍ତରୀୟ ବରିଷ୍ଠ ନେତାଙ୍କ ସହ ଯୋଗାଯୋଗରେ ଥିଲେ । ଏ ସମ୍ପର୍କରେ ବିଜେଡି ଫୋରମ୍‌ରେ ଅଭିଯୋଗ ହୋଇଥିଲା । ଯାହାକୁ ନେଇ ତାଙ୍କ ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ଦଳୀୟ ସୂତ୍ରରୁ ଜଣାପଡ଼ିଛି । ରାଜନୈତିକ ବିଶେଷଜ୍ଞଙ୍କ ମତରେ କୋରାପୁଟ ନିର୍ବାଚନମଣ୍ଡଳୀରେ ବିଧାୟକ ପଡାଲଙ୍କ ଅପେକ୍ଷା ଶ୍ରୀ ମାଛଙ୍କ ସଙ୍ଗଠନ ସୁଦୃଢ଼ ରହିଥିଲା । ଆସନ୍ତା ନିର୍ବାଚନରେ ବିଜେଡି ତାଙ୍କୁ ବ୍ୟବହାର କରି ଦଳୀୟ ପ୍ରାର୍ଥୀଙ୍କୁ ଜିତାଇ ପାରିଥାନ୍ତା । ଅଥଚ ଠିକଣା ସମୟରେ ତାଙ୍କ ହାତ ଛାଡ଼ିଦେଲା । ଯାହାର ପ୍ରଭାବ ଆଗାମୀ ନିର୍ବାଚନରେ ପଡ଼ିବ । 

 ପ୍ରତିକ୍ରିୟାରେ ଶ୍ରୀ ମାଛ କହିଛନ୍ତି, ସେ ଦଳରେ ଜଣେ ଶୃଙ୍ଖଳିତ କର୍ମୀ ଭାବେ ସଙ୍ଗଠନ କାର୍ଯ୍ୟ କରୁଥିଲେ । ତାଙ୍କ ସାଙ୍ଗଠନିକ ଦକ୍ଷତା ବୃଦ୍ଧି ହେଉଥିବା ଦେଖି କୋରାପୁଟ ବିଧାୟକ ରଘୁରାମ ପଡ଼ାଲ ଚକ୍ରାନ୍ତ କରି ଏଭଳି କାର୍ଯ୍ୟ କରିଛନ୍ତି । ଦଳର ଏହି ନିଷ୍ପତ୍ତି ତାଙ୍କ ପାଇଁ ଶୁଭଙ୍କର ହେବ । ନିଜେ କୌଣସି ଦଳକୁ ଯାଇ ଯୋଗ ଦେବେନି । ଯଦି କୌଣସି ଦଳ ତାଙ୍କ ସାଙ୍ଗଠନିକ ଦକ୍ଷତା ଦେଖି ଆମନ୍ତ୍ରଣ କରେ, ସେ ବିଚାର କରିବେ । 

 ଶ୍ରୀ ମାଛଙ୍କ ଅଭିଯୋଗ ସମ୍ପର୍କରେ ବିଧାୟକ ପଡ଼ାଲଙ୍କୁ ପଚାରିବାରୁ କହିଛନ୍ତି, କାର୍ଯ୍ୟାନୁଷ୍ଠାନ ଉପରସ୍ତରରେ ହୋଇଛି । ଶ୍ରୀ ମାଛ କେଉଁ ଦଳ ବିରୋଧୀ କାର୍ଯ୍ୟ କରିଛନ୍ତି, ତାହା ସେ ଜାଣିନାହାନ୍ତି । ଦଳରେ ବହୁ ଗୁଇନ୍ଦା କାର୍ଯ୍ୟ କରୁଛନ୍ତି । ସେମାନେ ହିଁ ପ୍ରକୃତ କାରଣ କହିପାରିବେ । 

ଏହି ପ୍ରସଙ୍ଗରେ ପୂର୍ବତନ ମନ୍ତ୍ରୀ ରବି ନାରାୟଣ ନନ୍ଦ କହିଛନ୍ତି ଯେ, ବିଜେଡିରେ ସ୍ୱତନ୍ତ୍ର ଅନୁଶାସନ ରହିଛି । ନେତା ଓ କର୍ମୀମାନଙ୍କୁ ଶୃଙ୍ଖଳିତ ହୋଇ ସାମାଜିକସ୍ତରରେ ଆଚରଣ ଓ ଉଚ୍ଚାରଣ ଠିକ୍‌ ରଖିବାକୁ ପଡ଼ିବ । ଶ୍ରୀ ମାଛ ଅନେକ ବିଶୃଙ୍ଖଳିତ କର୍ଯ୍ୟରେ ଲିପ୍ତ ରହୁଥିଲେ । ଏଥିପାଇଁ ଦଳ ତାଙ୍କୁ ପୂର୍ବରୁ ନିଲମ୍ବନ କରିଥିଲା । ପରେ ସେ କ୍ଷମା ପ୍ରାର୍ଥନା କରିବା ପରେ ନିଲମ୍ବନ ଆଦେଶ ପ୍ରତ୍ୟାହାର କରାଯାଇଥିଲା । ଏହାସତ୍ତେ୍ୱ ପୁନର୍ବାର ବିଶୃଙ୍ଖଳା ସୃଷ୍ଟି କରିବାରୁ ଦଳ ତାଙ୍କ ବିରୋଧରେ ଏଭଳି ନିଷ୍ପତ୍ତି ନେଇଛି । 

ଅନ୍ୟପକ୍ଷରେ ବିଜେଡିରୁ ବିଦା ହେବା ପରେ ଶ୍ରୀ ମାଛ ଖୁବ୍‌ଶୀଘ୍ର ବିଜେପିରେ ଯୋଗଦେବେ ବୋଲି ତାଙ୍କ ନିକଟତମ ସମର୍ଥକମାନେ କହିଛନ୍ତି । ବିଜେପି ରାଜ୍ୟ ନେତୃବୃନ୍ଦଙ୍କ ଉପସ୍ଥିତିରେ ସେ ପଦ୍ମ ପୋଖରୀକୁ ଡେଇଁବା ସମ୍ଭାବନା ରହିଛି । ଏଥିପାଇଁ କୁଆଡ଼େ ସମସ୍ତ ପ୍ରସ୍ତୁତି ଓ ଆଲୋଚନା ସରିଛି । ଏମିତିକି ନିର୍ବାଚନମଣ୍ଡଳୀରେ ଥିବା ବିଜେଡିର ସିଂହଭାଗ ସଙ୍ଗଠନ ତାଙ୍କ ସହ ବିଜେପିରେ ସାମିଲ ହେବ ବୋଲି ଆଲୋଚନା ଚାଲିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.