ପ୍ରମୂଖ ଖବର
  • ଭୁବନେଶ୍ୱର: ୧୯ରେ ବିଜେଡି ବିଧାୟକ ଦଳ ବୈଠକ, ଅଧକ୍ଷତା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ
  • ||
  • ଦାର୍ଜିଲିଂରେ ଭୟଙ୍କର ଟ୍ରେନ୍ ଦୁର୍ଘଟଣା, ଏକ୍ସପ୍ରେସ୍ ଟ୍ରେନ୍‌କୁ ପଛ ପଟୁ ଧକ୍କା ଦେଲ ମାଲବାହୀ ଟ୍ରେନ୍, ୮ ଯାତ୍ରୀ ମୃତ, ୨୦ରୁ ଅଧିକ ଆହତ
  • ||
  • ନୀଳଗିରି: ରଜ ଉତ୍ସବରେ ଅଘଟଣ।ଝାଡ଼ାବାନ୍ତି ରେ ୯ ଗୁରୁତର ,୨ ଅସୁସ୍ଥ
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ରାଜେନ୍ଦ୍ରାଭିଷେକ ନୀତି, ମଙ୍ଗଳବାର ଋକ୍ମିଣୀ ବିବାହ ଉତ୍ସବ
  • ||
  • ସରିଲା ଗ୍ରୀଷ୍ମ ଛୁଟି, କାଲିଠୁ ଖୋଲିବ ସ୍କୁଲ: ଶିକ୍ଷକ ଆସି କରିବେ ସମସ୍ତ ବ୍ୟବସ୍ଥା
  • ||
  • ନୂଆପଡା ଲଛିପୁର ଛକରେ ଟ୍ରାକ୍ଟର୍କୁ ପିଟିଲା କାର, ମର୍ମନ୍ତୁଦ ଦୁର୍ଘଟଣାରେ ଚାଲିଗଲା ୪ ଜୀବନ
  • ||
  • ନାକେଦମ୍‌ କଲାଣି ଭୀଷଣ ତାତି ସାଙ୍ଗକୁ ଗୁଳୁଗୁଳି: ଆଗଉନି ମୌସୁମୀ, ବର୍ଷା ଗାଏବ
  • ||

୨୫ରେ ୬ ଲୋକସଭା ଆସନରେ ମତଦାନ, କଂଗ୍ରେସ ଭୋଟ୍ ବ୍ୟାଙ୍କ ନେବ ନିର୍ଣ୍ଣାୟକ ଭୂମିକା

ଭୁବନେଶ୍ୱର, ୨୨।୫: ବିଜେଡିର ଅଭେଦ୍ୟ ଦୁର୍ଗ ଭାବେ ଜଣାଶୁଣା ଆଠମଲ୍ଲିକ ମତଦାତା କେଉଁ ଲୋକସଭା ପ୍ରାର୍ଥୀଙ୍କ ପଟକୁ ଢଳିବେ? ସେଠାକାର ବିଜେଡି ବିଧାୟକ ଏବେ ବିଜେପିରେ । ବିଜେପିର ଗଡ଼ ସମ୍ବଲପୁର ଓ ଦେବଗଡ଼ ବିଧାନସଭା କ୍ଷେତ୍ରରେ ବଦଳିବ କି ମତଦାତାଙ୍କ ମତ ? କଂଗ୍ରେସ ଭୋଟ ରହିବ କି ଉଡ଼ିଯିବ ପଦ୍ମ କି ଶଙ୍ଖକୁ ? ଏଭଳି ପ୍ରଶ୍ନ ଭିତରେ ଛନ୍ଦି ହୋଇଛି ସମ୍ବଲପୁର ଲୋକସଭା ପ୍ରାର୍ଥୀଙ୍କ ଭାଗ୍ୟ । ଗୋଟିଏ ପଟେ ବିଜେପିର ଶକ୍ତିଶାଳୀ ନେତା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅନ୍ୟପଟେ ବିଜେଡିର ଶକ୍ତିଶାଳୀ ସଂଗଠକ ପ୍ରଣବ ପ୍ରକାଶ ଦାସ (ବବି) । ସବୁ କଳ, ବଳ, କୌଶଳ ଖଟାଇ ଦେଇଛନ୍ତି ଉଭୟ ନେତା । ପ୍ରଚାର ଶିଖରରେ । ଧର୍ମେନ୍ଦ୍ରଙ୍କ ପାଇଁ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ, ବିଜେପି ଅଧ୍ୟକ୍ଷ ଜେ.ପି ନଡ୍ଡା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଭଳି ତୁଙ୍ଗ ନେତା ପ୍ରଚାରକୁ ଓହ୍ଲାଇଛନ୍ତି । 

ପ୍ରଣବଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କାର୍ତ୍ତିକ ପାଣ୍ଡିଆନ ଘନଘନ ପ୍ରଚାର କରିଛନ୍ତି । ସବୁଠି ପ୍ରଶ୍ନ- ବାଜି ମାରିବ କିଏ ? ଧର୍ମେନ୍ଦ୍ର ନା ବବି ? ଭୁବନେଶ୍ୱର ଲୋକସଭା କ୍ଷେତ୍ରର ଗୋଟିଏ ବି ବିଧାନସଭା ଆସନରେ ଜିତିପାରି ନ ଥିଲା ବିଜେପି । କିନ୍ତୁ ୭ଟିରୁ ୬ଟି ବିଧାନସଭା କ୍ଷେତ୍ରରେ ବିଜେପି ସାଂସଦ ପ୍ରାର୍ଥୀ ବିଜେଡିଠାରୁ ଆଗରେ ଥିଲେ । ଭୁବନେଶ୍ୱର ଲୋକସଭାରେ ବାଜି ମାରି ନେଇଥିଲେ ଅପରାଜିତା ଷଡ଼ଙ୍ଗୀ । ଏଥର ଚିତ୍ର ବଦଳିଛି ଏ ଲୋକସଭା ଲଢ଼େଇ ମଇଦାନରେ । ଜଣେ ଯୁବ ଚେହେରା ମନ୍ମଥ ରାଉତରାୟ ପ୍ରଥମ ଥର ପାଇଁ ଓହ୍ଲାଇଛନ୍ତି ନିର୍ବାଚନ ମଇଦାନକୁ ଶଙ୍ଖ ପ୍ରାର୍ଥୀ ସାଜି । କୁହାଯାଉଛି, ତାଙ୍କ ବାପା ତଥା ଜଟଣୀ ବିଧାୟକ ସୁର ରାଉତରାୟଙ୍କ ବଳରେ ଜଟଣୀରେ ବଳିଆନ ହେବେ ମନ୍ମଥ । କେତେ ସତ ହେବ ଏ ଆଶା ? ଅନ୍ୟପଟେ ଦୁଇ ଜଣ ବିଜେଡି ବିଧାୟକ ଅରବିନ୍ଦ ଢାଲି ଓ ପ୍ରଶାନ୍ତ ଜଗଦେବ ଏବେ ବିଜେପି ବିଧାୟକ ପ୍ରାର୍ଥୀ । ଜଣେ ଜୟଦେବରୁ ଆଉ ଜଣେ ଖୋର୍ଦ୍ଧାରୁ । 

ବିଜେଡି ଭୋଟ ଟାଣି ପାରିବେ କି ଏମାନେ ଅପରାଜିତାଙ୍କ ସପକ୍ଷରେ ? ଅପରାଜିତାଙ୍କ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୁବନେଶ୍ୱରରେ ରୋଡ୍‌ ସୋ କରିଛନ୍ତି । ବିଜେଡି ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବି ଏକାଧିକ ରୋଡ ସୋ’ରେ ବାହାରିଛନ୍ତି । କାହା ଦଖଲକୁ ଯିବ ଭୁବନେଶ୍ୱର ଲୋକସଭା ? ପୁରୀରେ କିଏ ଉଡ଼ାଇବ ବିଜୟ ବାନା ? ବିଜେଡି ନା ବିଜେପି ? ବିଜେଡି ହାତରୁ ପୁରୀ ଆସନ ଛଡ଼ାଇ ନେବାକୁ ବିଜେପିର ରାଷ୍ଟ୍ରୀୟ ଚେହେରା ସମ୍ବିତ ପାତ୍ର ରାତିଦିନ ଏକ୍‌ କରି ଦେଇଛନ୍ତି । ଅନ୍ୟପଟେ ଅବସରପ୍ରାପ୍ତ ଆଇପିଏସ ଅରୁପ ପଟ୍ଟନାୟକ ସାଜିଛନ୍ତି ବିଜେଡି ଯୋଦ୍ଧା । ଏହାବାଦ୍‌ କଟକ, ଢେଙ୍କାନାଳ, କେନ୍ଦୁଝର ଲୋକସଭା ଆସନରେ ବି ତଗଡ଼ା ଟକ୍କର । ଏ ତିନୋଟି ଯାକ ଆସନରେ ବିଜେଡିର ଲୋକସଭା ପ୍ରାର୍ଥୀ ବଦଳିଛନ୍ତି । ଏଥିମଧ୍ୟରୁ ବିଜେପି ଗୋଟିଏ ଆସନରେ ପ୍ରାର୍ଥୀ ବଦଳାଇଛି । ରାଜ୍ୟରେ ଦୁଇଟି ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଛି । 

୨୫ରେ ତୃତୀୟ ପର୍ଯ୍ୟାୟ ଭୋଟ ହେବ ୬ଟି ଲୋକସଭା ଆସନ ପାଇଁ । ଏହି ପର୍ଯ୍ୟାୟରେ ସବୁଠୁ ଜୋରଦାର ଲଢ଼େଇ ଦେଖିବାକୁ ମିଳୁଛି । ପ୍ରାୟତଃ ବିଜେଡି-ବିଜେପି ସିଧା ଟକ୍କର । କଂଗ୍ରେସ ବି ଭୋଟ ବ୍ୟାଙ୍କ ବଢ଼ାଇବାକୁ ପ୍ରାଣମୂର୍ଚ୍ଛା ଉଦ୍ୟମ ତେଜିଛି ।  ୨୦୧୯ରେ ସମ୍ବଲପୁର ଓ ଭୁବନେଶ୍ୱର ଲୋକସଭା ଆସନକୁ ସ୍ୱଳ୍ପ ଭୋଟ ବ୍ୟବଧାନରେ ଜିତିଥିଲା ବିଜେପି । ବିଜେଡି ଖାତାକୁ ଯାଇଥିଲା କଟକ, କେନ୍ଦୁଝର, ପୁରୀ ଓ ଢେଙ୍କାନାଳ । ଢେଙ୍କାନାଳ ଓ ପୁରୀରେ ଭୋଟ ବ୍ୟବଧାନ କମ୍‌ ଥିଲା । ମୋଦି ସରକାରଙ୍କ ପାୱାରଫୁଲ୍‌ ଫେଭରାଇଟ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର । ପ୍ରଣବ ହେଉଛନ୍ତି ବିଜେଡିର ସାଂଗଠନିକ ସମ୍ପାଦକ । ଦୁଇ ମହାଯୋଦ୍ଧାଙ୍କ ଲଢ଼େଇ ନେଇ ସମ୍ବଲପୁର ଲୋକସଭା ଆସନ ଉପରେ ସାରା ରାଜ୍ୟ ରାଜନୀତିର ଆଖି । ପୂର୍ବତନ ବିଜେଡି ସାଂସଦ ନଗେନ୍ଦ୍ର ପ୍ରଧାନ ପ୍ରାର୍ଥୀ ହେବା ପରେ କଂଗ୍ରେସର ବଳ ବି ବଢ଼ିଛି । ୨୦୧୯ରେ ବିଜେପିରୁ ନିତେଶ ଗଙ୍ଗଦେବ ୪ ଲକ୍ଷ ୭୩ ହଜାର, ବିଜେଡିରୁ ନଳିନୀକାନ୍ତ ପ୍ରଧାନ ୪ ଲକ୍ଷ ୬୪ ହଜାର, କଂଗ୍ରେସର ଶରତ ପଟ୍ଟନାୟକ ୧ ଲକ୍ଷ ୩୫ ହଜାର ଭୋଟ ପାଇଥିଲେ ସମ୍ବଲପୁର ଲୋକସଭା ଆସନରେ । କଡ଼ା ସଂଘର୍ଷରେ ୯ ହଜାର ଭୋଟରେ ବାଜି ମାରିଥିଲା ବିଜେପି । ସମ୍ବଲପୁରରୁ ୩୫ ହଜାରରୁ ଅଧିକ, ଦେବଗଡ଼ରୁ ୧୫ ହଜାର, ରେଙ୍ଗାଲିରୁ ୧୭ ହଜାର ଭୋଟରେ ଆଗୁଆ ଥିଲା ବିଜେପି । ଆଠମଲ୍ଲିକରେ ୫୦ ହଜାରରୁ ଅଧିକ ଭୋଟରେ ଆଗୁଆ ଥିଲା ବିଜେଡି । ଏହାବାଦ୍‌ ଛେଣ୍ଡିପଦାରୁ ୧୫ ହଜାର, ରେଢ଼ାଖୋଲରୁ ୪ ହଜାର ଆଗୁଆ ଥିଲେ ବିଜେଡି ସାଂସଦ ପ୍ରାର୍ଥୀ । ସମ୍ବଲପୁର ସଂସଦୀୟ କ୍ଷେତ୍ରର ୭ ବିଧାନସଭା ଆସନରୁ ବିଜେଡି ୪, ବିଜେପି ୩ ଜିତିଥିଲା । ଏଥର ଲୋକସଭା ଲଢ଼େଇ ପୂରା ରୋମାଞ୍ଚକ ସ୍ଥିତିରେ । 

ଧର୍ମେନ୍ଦ୍ର-ପ୍ରଣବଙ୍କ ଟକ୍କରକୁ ନେଇ ଦୁଇ ଦଳର କର୍ମୀ ବେଶ୍‌ ଉତ୍ସାହିତ । ଫଳାଫଳ ଆକଳନ କଷ୍ଟକର । ୧୯୯୮ରୁ ପୁରୀ ଲୋକସଭା ରହିଛି ବିଜେଡି ପାଖରେ । ୨୦୧୯ରେ ବିଜେପି କଡ଼ା ଟକ୍କର ଦେଇଥିଲା । ମାତ୍ର ୧୧ ହଜାର ୭୧୪ ଖଣ୍ଡ ଭୋଟରେ ପଛରେ ରହିଗଲେ ବିଜେପିର ସମ୍ବିତ ପାତ୍ର । ଏଥର ପୁଣି ସମ୍ବିତ ଲଢ଼ୁଛନ୍ତି ବିଜେପିରୁ । ବିଜେଡିର ୩ ଥରିଆ ସାଂସଦ ପିନାକୀ ମିଶ୍ର ଏଥର ମଇଦାନରେ ନାହାନ୍ତି । ବିଜେଡିରୁ ଲଢ଼ୁଛନ୍ତି ଅରୁପ ପଟ୍ଟନାୟକ । କଂଗ୍ରେସ ପ୍ରଥମେ ସୁଚରିତା ମହାନ୍ତିଙ୍କୁ ଟିକଟ ଦେଇଥିବାବେଳେ ପରେ ଜୟନାରାୟଣ ପଟ୍ଟନାୟକଙ୍କୁ ପ୍ରାର୍ଥୀ କରିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପୁରୀ ରୋଡ୍‌ ସୋ’ ପରେ ପୁରୀ ରାଜନୀତି ଆହୁରି ତାତିଛି । କାର୍ତ୍ତିକ ପାଣ୍ଡିଆନଙ୍କ ଗସ୍ତ ବିଜେଡିର ମନୋବଳ ବଢ଼ାଇଛି । ୨୦୧୯ରେ ପୁରୀ ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେପି ସାଂସଦ ପ୍ରାର୍ଥୀ ୨୬ ହଜାର, ବ୍ରହ୍ମଗିରିରେ ୪ ହଜାର ଭୋଟରେ ଆଗୁଆ ଥିଲା । ବାକି ସବୁଠି ବିଜେଡି ଆଗରେ ଥିଲା । ସତ୍ୟବାଦୀରୁ ୧୪ ହଜାର, ପିପିଲିରୁ ୧୩ ହଜାର, ନୟାଗଡ଼ରୁ ୧୨ ହଜାର ଭୋଟରେ ଆଗୁଆ ରହିଥିଲା ବିଜେଡି । ରଣପୁର, ଚିଲିକାରେ ଥିଲା କଡ଼ା ଟକ୍କର । 

ଏଥର ବିଜେପି ପିପିଲିରୁ ବିଜେଡି ଭୋଟ ଭାଙ୍ଗିବାକୁ ଜୋରଦାର କସରତ ଚଳାଇଛି । ଅଧିକାଂଶ ଆସନରେ କଡ଼ା ଟକ୍କର । ନୟାଗଡ଼ ପଟୁ ବିଜେଡି ତା’ର ଭୋଟ ବଢ଼ାଇବାକୁ ଲାଗିଛି । ସ୍ଥିତି ଏମିତି, କୌଣସି ଗୋଟିଏ ଆସନରେ ଅଙ୍କ ଏପାଖ ସେପାଖ ହେଲେ ବାଜି ପଲଟିପାରେ । ଭୁବନେଶ୍ୱର ଜିତ୍‌ହାର୍‌ ସମ୍ମାନର ପ୍ରଶ୍ନ । ହାରିଲେ ନାକ କଟିଯିବା ଭଳି ସ୍ଥିତି । ଲଗାତାର ୫ ଥର ଜିତି ଆସୁଥିବା ବିଜେଡିର ବିଜୟ ରଥକୁ ୨୦୧୯ରେ ଅଟକାଇଥିଲେ ବିଜେପିର ଫାୟାରବ୍ରାଣ୍ଡ ନେତ୍ରୀ ଅପରାଜିତା ଷଡ଼ଙ୍ଗୀ । ୨୩ ହଜାର ଭୋଟ ବ୍ୟବଧାନରେ ଜିତିଥିଲେ ସେ । ଭୁବନେଶ୍ୱରର ତିନୋଟି ଯାକ ଆସନରୁ ଅପରାଜିତା ପ୍ରାୟ ୨୫ ହଜାର ଭୋଟରେ ଆଗୁଆ ଥିଲେ ବିଜେଡିଠାରୁ । ଖୋର୍ଦ୍ଧାରୁ ୧୫ ହଜାର ଅଧିକ ଭୋଟ ପାଇଥିଲେ ବିଜେଡିଠାରୁ । କଂଗ୍ରେସ ପ୍ରାର୍ଥୀଙ୍କ ଅନୁପସ୍ଥିତିରେ ବେଗୁନିଆ ଓ ଜଟଣୀରୁ ବମ୍ପର ଭୋଟ ପାଇଥିଲା ବିଜେପି । ବେଗୁନିଆରୁ ୭୪ ହଜାର, ଜଟଣୀରୁ ୭୩ ହଜାର ଭୋଟ ହାତେଇଥିଲା ପଦ୍ମ ଦଳ । ଜୟଦେବରୁ ୨୦ ହଜାର ଭୋଟ ବ୍ୟବଧାନ ସତ୍ତ୍ୱେ ବିଜେଡି ଅନ୍ୟ କୌଣସି ଆସନର ଲିଡ୍‌ ନେଇପାରିନଥିଲା । ମୋଟ ଉପରେ ବିଜେପି ୪ ଲକ୍ଷ ୮୬, ବିଜେଡି ୪ ଲକ୍ଷ ୬୩, ସିପିଆଇଏମ ୨୩ ହଜାର ଭୋଟ ପାଇଥିଲେ ।

 ଏଥର ବିଜେପିରୁ ପୁଣି ଅପରାଜିତା ମଇଦାନରେ ଅଛନ୍ତି । ତାଙ୍କ ବିରୋଧରେ ବିଜେଡିରୁ ମନ୍ମଥ ଲଢ଼ୁଛନ୍ତି । କଂଗ୍ରେସରୁ ଲଢ଼ୁଛନ୍ତି ଛାତ୍ର ନେତା ୟାସିର ନୱାଜ । ଅପରାଜିତା ନିଜ ସଂଗଠନ ଓ ମୋଦିଙ୍କ ଲୋକପ୍ରିୟତାକୁ ଆଧାର କରି ଆଗକୁ ବଢ଼ୁଥିବାବେଳେ ମନ୍ମଥଙ୍କୁ ପ୍ରାର୍ଥୀ କରି କଂଗ୍ରେସ ଭୋଟ ବି ଝାମ୍ପିବାକୁ ବିଜେଡି ଲକ୍ଷ୍ୟ ରଖିଛି । ଜୟଦେବରେ ଢାଲି ଓ ଖୋର୍ଦ୍ଧାରେ ଜଗଦ୍ଦେବ ବିଜେପିରୁ ପ୍ରାର୍ଥୀ ହେବା ଓ କାଳୁ ଖଣ୍ଡାୟତରାୟ ବିଜେପି ବିରୋଧରେ ବିଦ୍ରୋହ କରିବା ଘଟଣା ପୁରୁଣା ହିସାବ ବିଗାଡ଼ିଛି । ଖୋର୍ଦ୍ଧା, ମଧ୍ୟ ଭୁବନେଶ୍ୱର ଓ ଏକାମ୍ର ନିର୍ବାଚନମଣ୍ଡଳୀର ଟିକଟ ଅସନ୍ତୋଷ ବିଜେଡି ପାଇଁ ଭିତିରିଆ ସମସ୍ୟା ବି ସୃଷ୍ଟି କରିପାରେ । ୨୦୧୯ରେ କଂଗ୍ରେସ ପ୍ରାର୍ଥୀ ନଥିବାରୁ ଦଳର ଭୋଟ ଉଭୟ ବିଜେପି ଓ ବିଜେଡିକୁ ମୁହାଁଇଥିଲା । ଏଥର କଂଗ୍ରେସରୁ ୟାସିର ଓହ୍ଲାଇବା ପରେ ଉଭୟ ଦଳର ଭୋଟ ଗଣିତ ଗୋଳମାଳିଆ ହୋଇଛି । କଟକ ଲୋକସଭାରେ ଦୃଶ୍ୟପଟ୍ଟ ବଦଳିଛି । ୬ ଥରିଆ ସାଂସଦ ଭର୍ତ୍ତୃହରି ମହତାବ ବିଜେଡି ଛାଡ଼ି ବିଜେପିରୁ ପ୍ରାର୍ଥୀ ହୋଇଛନ୍ତି । ତାଙ୍କ ବିରୋଧରେ ବିଜେଡି ଛିଡ଼ା କରିଛି କର୍ପୋରେଟ ଗୁରୁ ସଂତୃପ୍ତ ମିଶ୍ରଙ୍କୁ । କଂଗ୍ରେସରୁ ପ୍ରାର୍ଥୀ ହୋଇଛନ୍ତି ନଗର କଂଗ୍ରେସ ସଭାପତି ସୁରେଶ ମହାପାତ୍ର । ଲମ୍ବା ଅଭିଜ୍ଞତା ଭର୍ତ୍ତୃହରିଙ୍କ ବଳ ହୋଇଥିବାବେଳେ ସଂତୃପ୍ତଙ୍କ ସହ ଛିଡ଼ା ହୋଇଛି ବିଜେଡିର ସୁଦୃଢ଼ ସଂଗଠନ । ୨୦୧୯ରେ ବିଜେଡି ଟିକଟରେ ଭର୍ତ୍ତୃହରି ୫ ଲକ୍ଷ ୨୫ ହଜାର ଭୋଟ ପାଇଥିବାବେଳେ ପ୍ରଥମ ଥର ନିର୍ବାଚନ ଲଢ଼ୁଥିବା ବିଜେପିର ପ୍ରକାଶ ମିଶ୍ର ୪ ଲକ୍ଷ ଭୋଟ ଭିଡ଼ିଥିଲେ । କଂଗ୍ରେସରୁ ପଞ୍ଚାନନ କାନୁନଗୋ ପାଇଥିଲେ ପାଖାପାଖି ୧ ଲକ୍ଷ ଭୋଟ । ୧ ଲକ୍ଷ ୨୧ ହଜାର ଭୋଟ ବ୍ୟବଧାନରେ ବାଜି ମାରିଥିଲା ବିଜେଡି । ଖଣ୍ଡପଡ଼ାରୁ ୫୦ ହଜାର, ଆଠଗଡ଼ରୁ ୩୩ ହଜାର, ବାଙ୍କୀରୁ ୨୫ ହଜାର, କଟକ ସଦରରୁ ୨୫ ହଜାର, ବଡ଼ମ୍ବାରୁ ୧୫ ହଜାର ଭୋଟରେ ଆଗୁଆ ଥିଲା ବିଜେଡି । କିନ୍ତୁ, ସହରୀ ଭୋଟ ବିଜେପିକୁ ମୁହାଁଇଥିଲା । 

ଚୌଦ୍ୱାର କଟକ, ବାରବାଟୀ କଟକରୁ ୩୦ ହଜାର ଭୋଟ ଆଗେଇଥିଲା ବିଜେପି । ବିଧାୟକ ସୌମ୍ୟ ପଟ୍ଟନାୟକ ବିଜେଡିରୁ ବିଦା ହୋଇ ଯାଇଥିବାରୁ ଏଥର ଖଣ୍ଡପଡ଼ା ଭୋଟ ଉପରେ ସଭିଙ୍କ ନଜର ଅଟକିଛି । ୨୦୦୪ରୁ ଢେଙ୍କାନାଳ ବିଜେଡିର ଗଡ଼ । ଏଥର ଏ ଗଡ଼ ଭାଙ୍ଗିବାକୁ ବିଜେପିର ଭେଟେରାନ ରୁଦ୍ର ନାରାୟଣ ପାଣି ପୂରା ବଳ କଷି ଦେଇଛନ୍ତି । ବିଜେଡି ଏ ଗଡ଼ ରକ୍ଷା ପାଇଁ ଯୁବ ଚେହେରା ଅବିନାଶ ସାମଲଙ୍କୁ ଦାୟିତ୍ୱ ଦେଇଛି । କଂଗ୍ରେସ ବି ଟାଣୁଆ ନେତ୍ରୀ ସସ୍ମିତା ବେହେରା ଲଢ଼ୁଛନ୍ତି । ଏଥର ବିଜେଡି-ବିଜେପି ଆରପାର୍‌ ଲଢ଼େଇ । ୨୦୧୯ରେ ବି ବିଜେଡି ମାତ୍ର ୩୫ ହଜାର ଭୋଟରେ ଜିତିଥିଲା । ଗତ ଥର ହିନ୍ଦୋଳରୁ ୧୪ ହଜାର, ତାଳଚେରରୁ ୧୦ ହଜାର, କାମାକ୍ଷାନଗରରୁ ୬୫୦୦, ଅନୁଗୁଳରୁ ୫୩୪୬ ଭୋଟରେ ଆଗୁଆ ରହିଥିଲା ବିଜେଡି । ପର୍ଜଙ୍ଗ ଓ ପାଲଲହଡ଼ାରେ ବିଜେପି ଛୋଟ ବ୍ୟବଧାନରେ ଆଗରେ ଥିଲା । ଏଥର ବି ସ୍ଥିତି ଅତି ସଂଘର୍ଷପୂର୍ଣ୍ଣ । କିଏ ଜିତିବ କେନ୍ଦୁଝର ଲୋକସଭା ଆସନ? ବିଜେଡି-ବିଜେପି ଭିତରେ ଟଣାଓଟରା ସ୍ଥିତି । ୨୦୦୪ରେ ଶେଷ ଥର ପାଇଁ ଏ ଆସନରେ ବିଜେପି ଜିତିଥିଲା । ଏହାପରଠାରୁ ଅନନ୍ତ ନାୟକ ଲଗାତାର ବିଜେପିରୁ ଲଢ଼ି ହାରୁଛନ୍ତି । 

୨୦୧୯ରେ ବିଜେଡି ଜିତିଥିଲେ ବି ୨୦୧୪ ତୁଳନାରେ ଭୋଟ ବ୍ୟବଧାନ ବହୁତ କମିଯାଇଥିଲା । ୨୦୧୯ରେ ବିଜେପିକୁ ୬୬ ହଜାର ଭୋଟରେ ହରାଇଥିଲା ବିଜେଡି । ୨୦୧୪ରେ ଦେଢ଼ ଲକ୍ଷ ଓ ୨୦୦୯ରେ ୧ ଲକ୍ଷ ୨୬ ହଜାର ଭୋଟ ବ୍ୟବଧାନରେ ବିଜେଡି ଜିତିଥିଲା । ବିଜେଡି ଏଥର ଚନ୍ଦ୍ରାଣୀ ମୁର୍ମୁଙ୍କ ବଦଳରେ ଧର୍ନୁଜୟ ସିଦ୍ଧୁଙ୍କୁ ମଇଦାନକୁ ଆଣିଛି । ବିଜେପିରୁ ପୁଣି ଅନନ୍ତ ଲଢ଼ୁଛନ୍ତି । କଂଗ୍ରେସରୁ ଅଛନ୍ତି ବିନୋଦ ବିହାରୀ ନାୟକ । ୨୦୧୯ରେ ଘସିପୁରାରୁ ପ୍ରାୟ ୩୯ ହଜାର, ଆନନ୍ଦପୁରରୁ ୨୮ ହଜାର ଭୋଟ ବଡ଼ ବ୍ୟବଧାନରେ ଆଗୁଆ ଥିଲା ବିଜେଡି । କେନ୍ଦୁଝରରେ ବିଜେପି ୧୫ ହଜାର ଓ ପାଟଣାରେ ୩୯୦୦ ଭୋଟରେ ଆଗେଇଥିଲା । ବାକି ଆସନରେ ୫ ହଜାରରୁ ୭ ହଜାର ଭୋଟରେ ବିଜେଡି ପ୍ରାର୍ଥୀ ଆଗୁଆ ଥିଲା । ଏଥର ସ୍ଥିତି କାହା ପାଇଁ ସହଜ ନୁହେଁ । ଘସିପୁରା, ଚମ୍ପୁଆ, ପାଟଣା ଓ ଆନନ୍ଦପୁରରେ ସଂଘର୍ଷ ଜୋରଦାର ଉଭୟ ଦଳ ଭିତରେ । 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.