ପ୍ରମୁଖ ଖବର
  • ବଡ଼ଚଣା : ହାଇୱାକୁ ଧକ୍କା ଦେଲା ବସ୍, ଜଣେ ମୃତ ୧୦ରୁ ଅଧିକ ଆହତ
  • ||
  • ପୁରୀ : ଶ୍ରୀମନ୍ଦିର ହୁଣ୍ଡିରୁ ମିଳିଲା ୧ କେଜି ସୁନା, ବଜାର ମୂଲ୍ୟ ୭୦ଲକ୍ଷରୁ ଅଧିକ
  • ||
  • ଭୁବନେଶ୍ଵର : ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି, ବାଲେଶ୍ଵର, ବାରିପଦା, ଓ କେନ୍ଦ୍ରାପଡ଼ାରେ କରିବେ ପ୍ରଚାର
  • ||
  • ଭୁବନେଶ୍ଵର : କଂଗ୍ରେସ ପାଇଁ ପ୍ରଚାର କରିବାକୁ ଓଡ଼ିଶା ଆସୁଛନ୍ତି ଖଡଗେ, ଆସନ୍ତାକାଲି ସିମୁଳିଆରେ ରାହୁଲଙ୍କ ସମାବେଶ
  • ||
  • ଫେରିଲା ଗ୍ରୀଷ୍ମ ପ୍ରବାହ, ୩୧ ଯାଏଁ ତାପମାତ୍ରା ୨ ରୁ ୪ ଡିଗ୍ରୀ ବଢିବ, ଗୁଳୁଗୁଳି ସାଙ୍ଗକୁ କଲବଲ କରିବ ତାତି
  • ||

କଳା ଓ କଳାକାରଙ୍କୁ ଭୁଲିଲେ, ସିନେମା ପାଇଁ ଶୂନ, ସମସ୍ତଙ୍କୁ ମନେଇ ଆମକୁ ଠକିଲେ

ଭୁବନେଶ୍ୱର, ୧୫।୫: ନିର୍ବାଚନ ଜିତିଲେ ଅମକ ଦେବୁ, ସମକ କରିବୁ କହି ସବୁ ବର୍ଗଙ୍କୁ ସନ୍ତୁଷ୍ଟ କରିବାକୁ ଚେଷ୍ଟା କଲେ । ସ୍ୱପ୍ନ ଦେଖାଇ ପୂରା ଯୋଜନାର ଭଣ୍ଡାର ଖୋଲିଲେ । କେବଳ ଆମକୁ ଠକିଲେ । ଆମ ସହ ଛଳନା କଲେ । ରାଜନୈତିକ ଦଳଙ୍କ ସଂକଳ୍ପ, ଗ୍ୟାରେଣ୍ଟି ଓ ଇସ୍ତାହାରକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି କଳାକାର । ଏ ସମ୍ପର୍କରେ ସେମାନଙ୍କ ଅସନ୍ତୋଷ ସ୍ପଷ୍ଟ ବାରି ହୋଇପଡ଼ୁଛି । ସେମାନଙ୍କ ପ୍ରତି ଅବହେଳା ହୋଇଛି । ଭାଷା, ସଂସ୍କୃତି ଓ ଐତିହ୍ୟକୁ ଗୁରୁତ୍ୱ ଦେଇ ସମସ୍ତେ କଳା ଓ କଳାକାରଙ୍କୁ ଭୁଲିଯାଇଛନ୍ତି । ଯାହା ଘୋଷଣା କରିଛନ୍ତି, ସେଥିରେ କଳା ଓ କଳାକାରଙ୍କ ବିଶେଷ ଫାଇଦା ପହଞ୍ଚୁନି । ସେମାନଙ୍କ ଲାଗି ସିଧାସଳଖ କିଛି ନାହିଁ ବୋଲି କଳାକାରମାନେ କହିଛନ୍ତି । 

ସେହିପରି ମନୋରଞ୍ଜନ ଦୁନିଆରେ ଓଡ଼ିଆ ସିନେମା ଓ ଯାତ୍ରା ସବୁଠୁ ବଡ଼ ଶିଳ୍ପ । ସେ କ୍ଷେତ୍ର ପାଇଁ ଯୋଜନା ଶୂନ । କୌଣସି ଦଳଙ୍କ ଗ୍ୟାରେଣ୍ଟି ତାଲିକାରେ ହିଁ ନାହିଁ । ଏନେଇ ନିରାଶ ସିନେ କଳାକାର କହିଛନ୍ତି, ଉଭୟ ଶାସକ ଓ ବିରୋଧୀ ଦଳ ନଜରରେ ସିନେମା ଦୁନିଆ ରହିଲାନି ଏହାଠୁ ବଡ଼ ଦୁର୍ଭାଗ୍ୟ କ’ଣ ? ବହୁତ ବଡ଼ ଆଶା ରଖିଥିବା ଯାତ୍ରା କଳାକାର ବି ହତାଶ ହୋଇଛନ୍ତି । ସେମାନଙ୍କ କହିବା କଥା, ସବୁବେଳେ ସମସ୍ତେ ଆମର ପ୍ରଶଂସା କରନ୍ତି, କିନ୍ତୁ ଠିକ୍‌ ସମୟ ବେଳକୁ ଡ୍ରାମାରେ ଆମକୁ ବଳି ଯାଆନ୍ତି । ତେଣିକି ଶାସକ ଦଳରେ ଥାଇ ଯାହା, ନଥାଇ ବି ତାହା । କିଛି ଲାଭ ନାହିଁ । କିଛି କଳାକାରଙ୍କୁ ବ୍ୟକ୍ତିଗତ ପଦ ଦେଇ ଦଳରେ ରଖିଲେ କ’ଣ ହେବ ଯାତ୍ରା ଜଗତ ପାଇଁ କିଛି ନାହିଁ । ଜଣେ ବରିଷ୍ଠ କଳାକାର ତଥା କଳା ସମୀକ୍ଷକଙ୍କ ମତରେ³ ଓଡ଼ିଶାର ୩ଟି ମୁଖ୍ୟ ରାଜନୈତିକ ଦଳ ବିଜୁ ଜନତା ଦଳ (ବିଜେଡି), ଭାରତୀୟ ଜନତା ପାର୍ଟି (ବିଜେପି) ଓ କଂଗ୍ରେସ ତା’ର ଇସ୍ତାହାରରେ ‘ଓଡ଼ିଆ ଅସ୍ମିତା’କୁ ଗୁରୁତ୍ୱ ଦେଇଛନ୍ତି । ଭାଷା, ସଂସ୍କୃତି ଓ ଐତିହ୍ୟକୁ ମୁଖ୍ୟ ପ୍ରସଙ୍ଗ କରିଛନ୍ତି । ସେଥିରେ କଳା ଓ କଳାକାରଙ୍କ ଭୂମିକା ଯାହା, ତାହା ହିଁ ରଖିଛନ୍ତି । 

ଯଦିଓ ବିଜେଡି ଓ ବିଜେପି କଳା ଓ କଳାକାରଙ୍କ ସମ୍ପର୍କରେ ସାମାନ୍ୟ ଦୃଷ୍ଟି ଦେଇଛନ୍ତି, ସେଠି କଂଗ୍ରେସ କେବଳ ଦୁଇଟି କଳା ଭିତରେ ସୀମିତ ରହିଛି । ବାକି ସିନେମା ଶିଳ୍ପ ସମ୍ପର୍କରେ ସର୍ବାଧିକ ତାରକାପୂର୍ଣ୍ଣ ଦଳ ବିଜେପି ଏକ ଘୋଷଣା କରିଥିବାବେଳେ ଅନ୍ୟମାନେ ସେ ଦିଗକୁ ଛୁଇଁ ନାହାନ୍ତି । ବିଜେଡି ଇସ୍ତାହାରରେ ବୁଣାକାର ଓ କାରିଗର ଏବଂ ଜନଜାତି ସଂସ୍କୃତିର ସୁରକ୍ଷା ଓ ସମୃଦ୍ଧି କଥା ନେଇଛି । ଏହାଛଡ଼ା କଳା ଓ କଳାକାରଙ୍କ ବିକାଶ ପାଇଁ ‘ମିଶନ ଶକ୍ତି ମହାସଂଘ’ ଭଳି ‘କଳାକାର ମହାସଂଘ’ ଗଠନ ଏବଂ ‘କଳାକାର ଭତ୍ତା’କୁ ବ୍ୟାପକ କରାଯିବ । ଜାତୀୟ ସ୍ତରରେ ‘ପଦ୍ମ’ ପୁରସ୍କାର ଭଳି ‘କଳିଙ୍ଗଶ୍ରୀ’ ଓ ‘କଳିଙ୍ଗ ଭୂଷଣ’ ସମ୍ମାନ ଦିଆଯିବ । ପଦ୍ମ ବିଜେତାଙ୍କୁ ମାସକୁ ୨୫ ହଜାର ଟଙ୍କା ଭତ୍ତା ମିଳିବ । ବିଜେପିର ଇସ୍ତାହାରରେ ଜନଜାତି କଳା, ସଂସ୍କୃତି ଏବଂ ଭାଷାର ସଂରକ୍ଷଣ ସହ ଲୋକାଭିମୁଖୀ କରିବା ଲାଗି ‘ଓଡ଼ିଶା ଜନଜାତି ସ୍ୱାଭିମାନ ବିଶ୍ୱବିଦ୍ୟାଳୟ’ ପ୍ରତିଷ୍ଠା ସହ ବୁଣାକାର, କାରିଗରଙ୍କ କଥା ସ୍ୱତନ୍ତ୍ର ଭାବେ ରହିଛି । 

ଉନ୍ନତ ପ୍ରଶିକ୍ଷଣ ନେବାକୁ ଓଡ଼ିଶୀ ନୃତ୍ୟଶିଳ୍ପୀ ଏବଂ ସଙ୍ଗୀତଜ୍ଞଙ୍କୁ ଆର୍ଥିକ ସହାୟତା ଏବଂ ବୃତ୍ତି ପ୍ରଦାନ । ‘କଳାକାର ଗୌରବନିଧି ବ୍ୟବସ୍ଥା’ ମାଧ୍ୟମରେ କଳା, ସଂସ୍କୃତି ଓ କଳାକାରଙ୍କ ପାଇଁ କଳାକାର ପ୍ରଶିକ୍ଷଣ ଗ୍ରାମ ସୃଷ୍ଟିକରି ସେମାନଙ୍କ ଉନ୍ନତି ଏବଂ କାରିଗରଙ୍କୁ ପ୍ରୋତ୍ସାହିତ କରାଯିବ । ୫ ହଜାର ଟଙ୍କାର ସହଯୋଗ ରାଶି ଦିଆଯିବ । ଐତିହ୍ୟ ସମ୍ପନ୍ନ କଳାଗ୍ରାମ ରଘୁରାଜପୁର ଏବଂ ଓଡ଼ିଶୀ କଳାକେନ୍ଦ୍ରଗୁଡ଼ିକୁ ଯୋଡ଼ୁଥିବା ଏକ କଳା ଏବଂ ସାଂସ୍କୃତିକ ସର୍କିଟ୍‌ ସୃଷ୍ଟି ହେବ, ଯାହା ଦ୍ୱାରା କଳା ପର୍ଯ୍ୟଟନକୁ ପ୍ରୋତ୍ସାହନ ମିଳିବ । ଓଡ଼ିଆ ଚଳଚ୍ଚିତ୍ର ବିକାଶ ଦିଗରେ ଫିଲ୍ମ ଆଣ୍ଡ୍‌ ଟେଲିଭିଜନ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆ (ଏଫ୍‌ଟିଆଇଆଇ) ଭଳି ଏକ ଶିକ୍ଷା ସଂସ୍ଥା ନିର୍ମାଣ କରାଯିବ । ରାଜ୍ୟରେ ଏକ ବୃହତ୍‌ ଫିଲ୍ମସିଟି ନିର୍ମାଣ ହେବ । 

କଂଗ୍ରେସ ତା’ର ସଂକଳ୍ପ ପତ୍ରରେ ରଖିଛି କି, ସମସ୍ତ ପଞ୍ଜିକୃତ ସଂକୀର୍ତ୍ତନ ମଣ୍ଡଳୀ, ପାଲା ମଣ୍ଡଳୀକୁ ୨୦ ହଜାର ଟଙ୍କା ଓ ଦାସକାଠିଆ ମଣ୍ଡଳୀକୁ ବାର୍ଷିକ ୧୦ ହଜାର ଟଙ୍କା ଅନୁଦାନ ଦିଆଯିବ । ବାକି ହସ୍ତଶିଳ୍ପ ବୁଣାକାର ଓ କାରିଗରଙ୍କ ସମ୍ପର୍କରେ ମଧ୍ୟ ଉଲ୍ଲେଖ କରିଛି । ତିନିଦଳଙ୍କ ଇସ୍ତାହାରକୁ ନେଇ ଜନୈକ କଳା ସମୀକ୍ଷକ କହିଛନ୍ତି, ଆମର କଳାର ଦେଶ । ଏଠି କଳାର ପରିସର ବ୍ୟାପକ । କେବଳ ନାଚ, ଗୀତ ଯଥା ଓଡ଼ିଶୀ ନୃତ୍ୟ ଓ ସଙ୍ଗୀତ ଭିତରେ ଏହା ସୀମିତ ନାହଁ । ରାଜ୍ୟରେ ୪୭୨ ପ୍ରକାରର ଲୋକକଳା ଏବଂ ଦେଢ଼ ଲକ୍ଷରୁ ଅଧିକ ଲୋକ କଳାକାର ଅଛନ୍ତି । ଏହାଛଡ଼ା ରାଜ୍ୟର ବିଭିନ୍ନ ପ୍ରାନ୍ତରେ ଭିନ୍ନ ଭିନ୍ନ ପ୍ରକାରର ହସ୍ତକଳା ଓ ଅନ୍ୟାନ୍ୟ କଳା ସହ ଶହ ଶହ ସଂଖ୍ୟକ କଳାକାର ରହିଛନ୍ତି । ଇସ୍ତାହାର ଘୋଷଣା ପୂର୍ବରୁ ଏଥିପ୍ରତି ଦୃଷ୍ଟି ଦେଇଥିଲେ ଆଜି ଏ ପ୍ରକାରର ଅଭିଯୋଗ ଉଠି ନଥାନ୍ତା । ବିଶେଷକରି ପ୍ରତି ଦଳଙ୍କୁ ସବୁଠୁ ଅବହେଳିତ କ୍ଷେତ୍ର ଓଡ଼ିଆ ସିନେମା ଶିଳ୍ପ ପାଇଁ କିଛି କରିବାର ଥିଲା । ଯାହାକୁ ସମ୍ପୂର୍ଣ୍ଣ ଅଣଦେଖା କରାଯାଇଛି । ଏଥିରୁ ଅନୁମେୟ, କଳା ଓ କଳାକାରଙ୍କ ପାଇଁ ରାଜନୈତିକ ଦଳମାନଙ୍କ ଦରଦ କେତେ ? 

ଏତେ ପରେ ବି କଳାକାର ଓ ସିନେ ତାରକାମାନେ ଚେତୁନାହାନ୍ତି । କଳା ବୁଡ଼ିଲାଣି ହେଲେ କାହାରି ଚିନ୍ତା ନାହିଁ । ୮୯ ବର୍ଷ ହେଲା ଓଡ଼ିଆ ସିନେମା ତା’ ଭାଗ୍ୟ ନେଇ ଚାଲିଛି । ଏମାନେ ସାହାରା ହେବା ବଦଳରେ ତା’ ପିଠିରେ ବୋଝ ହେଇ ବୋହି ହେଉଛନ୍ତି । ବିକାଶ ହେଲେ କେତେ ନହେଲେ କେତେ? କାହାର କିଛି ଫରକ୍‌ ପଡ଼ୁନି । ଏପଟେ କିଛି କଲେନି କହି ଗହଳି କରୁଛନ୍ତି, ଦେଖିଲାବେଳକୁ ତାଙ୍କ ପାଇଁ ପ୍ରଚାରରେ ବୁଲି ଭୋଟ୍‌ ମାଗୁଛନ୍ତି । ତେଣୁ ଏଠି କଳା ଓ କଳାକାର ବୁଡ଼ିବେନି ଆଉ କିଏ ବୁଡ଼ିବ ବୋଲି ଜନୈକ କଳା ସମୀକ୍ଷକ ପ୍ରଶ୍ନ କରିଛନ୍ତି ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.