ନୂଆଦିଲ୍ଲୀ: ଅନଲାଇନ ଠକେଇ ରୋକିବାକୁ ମିଆଁମାର ସେନାର ବଡ କାର୍ଯ୍ୟାନୁଷ୍ଟାନ। ସେନା ସୋମବାର ଥାଇଲ୍ୟାଣ୍ଡ ସୀମା ନିକଟରେ ଏକ ବଡ଼ ଅନଲାଇନ୍ ଠକେଇ ଅଭିଯାନକୁ ବନ୍ଦ କରିବାରେ ସଫଳ ହେବା ସହ ହଜାରରୁ ଅଧିକ ଲୋକଙ୍କୁ ଅଟକ ରଖିଛି। ଖାଲି ଏତିକି ନୁହେଁ ଘଟଣାସ୍ଥଳରୁ ଏକାଧିକ ଷ୍ଟାରଲିଙ୍କ ସାଟେଲାଇଟ୍ ଇଣ୍ଟରନେଟ୍ ଟର୍ମିନାଲକୁ ମଧ୍ୟ ଜବତ କରାଯାଇଥିବା ନେଇ ସରକାରୀ ଗଣମାଧ୍ୟମ ରିପୋର୍ଟ ପ୍ରକାଶ କରିଛି।

ସୂଚନା ମୁତାବକ, ସାରା ବିଶ୍ୱରେ ଲୋକଙ୍କୁ ଠକିବା ପାଇଁ ଦାୟୀ ସାଇବରସ୍କାମ ଅପରେସନଗୁଡ଼ିକ ପାଇଁ ମିଆଁମାର ନାମ ବେଶ କୁଖ୍ୟାତ। ଏଥିରେ ସାଧାରଣତଃ ରୋମାଣ୍ଟିକ କଲ ଏବଂ ମିଥ୍ୟା ନିବେଶ ମାଧ୍ୟମରେ ଅନଲାଇନରେ ବିଶ୍ୱାସ ହାସଲ କରି ପରେ ସେମାନଙ୍କୁ ଧୋକା ଦେବା ସାମିଲ ରହିଥାଏ। ସେହିପରି ଏହି କେନ୍ଦ୍ରଗୁଡ଼ିକ ମିଥ୍ୟା ପ୍ରଲୋଭନ ଦେଖାଇ ଅନ୍ୟ ଦେଶରୁ ଶ୍ରମିକମାନଙ୍କୁ ନିଯୁକ୍ତି ଦେବା ସହ ବୈଧ ଚାକିରିର ପ୍ରତିଶ୍ରୁତି ଦେଇଥାନ୍ତି। ତେବେ ପରେ ସେମାନଙ୍କୁ ବନ୍ଦୀ କରି ଅପରାଧିକ କାର୍ଯ୍ୟକଳାପ କରିବାକୁ ବାଧ୍ୟ କରାଯାଇଥାଏ।

ଗତ ସପ୍ତାହରେ ଆମେରିକା ଏବଂ ବ୍ରିଟେନ ଏକ ପ୍ରମୁଖ କାମ୍ବୋଡିଆନ୍ ସାଇବରସ୍କାମ୍ ଗ୍ୟାଙ୍ଗର ମୁଖିଆ ବିରୁଦ୍ଧରେ ପ୍ରତିବନ୍ଧକ ଲାଗୁ କରିଥିଲେ। ତେବେ ଏଥିରେ ସାମିଲ ଥିବା ମୁଖ୍ୟ ଅଭିଯୁକ୍ତକୁ ନ୍ୟୁୟର୍କର ଏକ ଫେଡେରାଲ୍ କୋର୍ଟ ଦୋଷୀ ସାବ୍ୟସ୍ତ କରିଥିଲା। ସେତେବେଳେ ଏହି ସ୍କାମ୍ ଆନ୍ତର୍ଜାତୀୟ ସ୍ତରରେ ଖୁବ୍ ଚର୍ଚ୍ଚାରେ ରହିଥିଲା।

ମିଆଁମା ଆଲିନ୍ ଖବରକାଗଜର ରିପୋର୍ଟ ଅନୁସାରେ, ଅନଲାଇନ୍ ଠକେଇ, ଅବୈଧ ଜୁଆ ଏବଂ ସୀମାପାର ସାଇବର ଅପରାଧକୁ ଦମନ କରିବା ପାଇଁ ସୋମବାର ସେନା କେକେ ପାର୍କରେ ଚଢାଉ କରିଥିଲା। ଏହି ରିପୋର୍ଟରେ ଜବତ ହୋଇଥିବା ଷ୍ଟାରଲିଙ୍କ ଉପକରଣ ଏବଂ ସୈନିକମାନେ ଚଢାଉ କରୁଥିବାର ଫଟୋ ପ୍ରକାଶ ପାଇଛି।

କେକେ ପାର୍କ ମିଆଁମାରର କାୟିନ୍ ରାଜ୍ୟର ଥାଇଲ୍ୟାଣ୍ଡ ସୀମାରେ ଥିବା ଏକ ପ୍ରମୁଖ ବାଣିଜ୍ୟ ସହର ମାୟାୱାଡିର ଉପକଣ୍ଠରେ ଅବସ୍ଥିତ। ଏହି ଅଞ୍ଚଳଟି ବର୍ତ୍ତମାନ ମିଆଁମାରର ସାମରିକ ସରକାରଙ୍କ ନିୟନ୍ତ୍ରଣରେ ରହିଛି। ଏହି ଅଞ୍ଚଳରେ ମିଆଁମାରର ସଂଖ୍ୟାଲଘୁ ମିଲିସିଆର ମାନେ ବସବାସ କରୁଥିବା ସୂଚନା ରହିଛି।

ସାମରିକ ସରକାରଙ୍କ ମୁଖପାତ୍ର ମିଆଁମା ଆଲିନ୍ ଘଟଣା ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ ଏହି ଅଞ୍ଚଳରେ ନିର୍ମିତ ୨୬୦ରୁ ଅଧିକ କୋଠା ପଞ୍ଜିକୃତ ନୁହେଁ। ଏଣୁ ଚଢାଉ ସମୟରେ ଷ୍ଟାରଲିଙ୍କ ସାଟେଲାଇଟ୍ ଇଣ୍ଟରନେଟ୍ ଟର୍ମିନାଲର ୩୦ ସେଟ୍ ଉପକରଣ ଜବତ କରିଛି। ଏହା ସହିତ ୨,୧୯୮ ଜଣଙ୍କୁ ଅଟକ ରଖାଯାଇଛି, ତେବେ ଅଟକ ରହିଥିବା ଲୋକମାନଙ୍କର ଜାତୀୟତା ପ୍ରଦାନ କରାଯାଇନାହିଁ।

ଷ୍ଟାରଲିଙ୍କ୍ ହେଉଛି ଏଲନ ମସ୍କଙ୍କ ସ୍ପେସଏକ୍ସ କମ୍ପାନୀର ଏକ ଅଂଶ, ଏହି ଟର୍ମିନାଲଗୁଡ଼ିକ ଏହାର ସାଟେଲାଇଟଗୁଡ଼ିକ ସହ ସଂଯୋଗ ରକ୍ଷା କରି କାର୍ଯ୍ୟ କରିଥାନ୍ତି। ତେବେ ସବୁଠୁ ଆଶ୍ଚର୍ଯ୍ୟର ବିଷୟ ହେଉଛି, ମିଆଁମାରରେ କାର୍ଯ୍ୟ କରିବା ପାଇଁ ଷ୍ଟାରଲିଙ୍କକୁ କୌଣସି ଲାଇସେନ୍ସ ପ୍ରଦାନ କରାଯାଇ ନାହିଁ। ତେଣୁ ଏହି ଟର୍ମିନାଲ ଗୁଡିକୁ ଚୋରା ଚାଲାଣ କରାଯାଇଛି ବୋଲି ସୂଚନା ମିଳିଛି।