ପାଟନା,୧୩/୧୧: ବିହାର ବିଧାନସଭା ନିର୍ବାଚନକୁ ନେଇ ରବିବାର ଏନ୍ଡିଏ ନିଜ ଆସନ ଭାଗବଣ୍ଟା ବାବଦରେ ଘୋଷଣା କରିଛି । ଏହା ଅନୁସାରେ, ମେଣ୍ଟର ଦୁଇ ପ୍ରମୁଖ ଦଳ ଯଥା ବିଜେପି ଏବଂ ଜେଡିୟୁ ସମାନ ୧୦୧ ଲେଖାଏଁ ଆସନରେ ଲଢ଼ିବେ । ଚିରାଗ ପାଶ୍ୱାନଙ୍କ ଦଳ ଏଲ୍ଜେପି (ରାମବିଳାସ) ୨୯ ଆସନରେ ପ୍ରାର୍ଥୀ ଦେବ । ଜିତନ ରାମ ମାଁଝୀଙ୍କ ହିନ୍ଦୁସ୍ତାନ ଆୱାମ ମୋର୍ଚ୍ଚା (ହାମ୍)କୁ ୬ ଓ ଉପେନ୍ଦ୍ର କୁଶୱାହଙ୍କ ଦଳ ରାଷ୍ଟ୍ରୀୟ ଲୋକ ମୋର୍ଚ୍ଚା (ଆର୍ଏଲ୍ଏମ୍)କୁ ୬ଟି ଆସନ ଦିଆଯାଇଛି । ରାଜ୍ୟ ନିର୍ବାଚନ ଇତିହାସରେ ପ୍ରଥମ ଥର ପାଇଁ ଗୋଟିଏ ମେଣ୍ଟରେ ବିଜେପି ଓ ଜେଡିୟୁ ସମାନ ଆସନରେ ଲଢ଼ିବେ ।
ରବିବାର ଆସନ ଭାଗବଣ୍ଟା ଘୋଷଣା ପରେ ଜନତା ଦଳ ୟୁନାଇଟେଡ୍ (ଜେଡିୟୁ)ର ‘ବଡ଼ଭାଇ’ ଭୂମିକା ଚାଲିଯାଇଛି । ୨୦୦୫ରୁ ଆରମ୍ଭ କରି ଶେଷ ନିର୍ବାଚନ (୨୦୨୦) ପର୍ଯ୍ୟନ୍ତ ଜେଡିୟୁ ସବୁବେଳେ ବିଜେପିଠାରୁ ଅଧିକ ଆସନରେ ଲଢ଼ିଆସୁଥିଲା । ଅର୍ଥାତ ବିଗତ ୪ଟି ନିର୍ବାଚନରେ ‘ବଡ଼ଭାଇ’ ଭୂମିକାରେ ରହୁଥିଲା । ୨୦୨୦ରେ ଜେଡିୟୁ ୧୧୫ ଓ ବିଜେପି ୧୧୦ ଆସନରେ ନିର୍ବାଚନ ଲଢ଼ିଥିଲେ । କିନ୍ତୁ ୨୦୨୫ରେ ଉଭୟ ଦଳ ସମାନ ଆସନରେ ଲଢ଼ିବାକୁ ସହମତି ପ୍ରକାଶ କରିଛନ୍ତି । ଏ ନେଇ ରାଜନୀତି ବିଶାରଦମାନେ କରିଥିବା ଆକଳନ ପ୍ରାୟତଃ ସତ ହୋଇଛି ।
‘ଏକ୍ସ’ରେ ବିଜେପିର ନିର୍ବାଚନ ପ୍ରଭାରୀ ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆସନ ଭାଗବଣ୍ଟା ନେଇ ସୂଚନା ଦେଇଛନ୍ତି । ସେ ଲେଖିଛନ୍ତି, ଏନ୍ଡିଏର ସମସ୍ତ ଦଳର କାର୍ଯ୍ୟକର୍ତ୍ତା ଓ ନେତା ଏହାକୁ ହର୍ଷପୂର୍ବକ ସ୍ୱାଗତ କରିଛନ୍ତି । ବିହାର ପ୍ରସ୍ତୁତ ଏବଂ ଆଉଥରେ ଏନ୍ଡିଏ ସରକାର । ସୂତ୍ର ମୁତାବକ, ମାଁଝୀଙ୍କୁ ଟେକାରି, ଅତରୀ, ଇମାଗଞ୍ଜ, ବରାଚଟ୍ଟି ସମେତ ସାସାରାମର କୁଟୁମ୍ବା ଓ ଜମୁଈର ସିକନ୍ଦରା ବିଧାନସଭା ଆସନ ଦିଆଯାଇଛି । କୁଶୱାହଙ୍କ ଦଳର ପ୍ରାର୍ଥୀମାନେ ସାସାରାମ, ଦିନାରା, ଉଜିୟାପୁର, ମହୁଆ, ବାଜପଟ୍ଟି ଓ ମଧୁବନୀ ଆସନରୁ ନିର୍ବାଚନ ଲଢ଼ିବେ । ୪୦ ଆସନ ଦାବି କରୁଥିବା ମାଁଝୀଙ୍କୁ ୬ଟି ମିଳିବା ପରେ ସେ ଏଥିରେ ସନ୍ତୁଷ୍ଟ ଥିବା ଦର୍ଶାଇଛନ୍ତି । ଶେଷ ନିଃଶ୍ୱାସ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ରହିବେ ବୋଲି କହିଛନ୍ତି ।
୨୦୨୦ର ବିହାର ନିର୍ବାଚନରେ ଏନ୍ଡିଏ ଆସନ ଭାଗବଣ୍ଟା ଓ ଫଳାଫଳ କଥା ଯଦି କୁହାଯାଏ, ତେବେ ବିଜେପି ପଲା ଭାରୀ ରହିଥିଲା । ୨୦୨୦ରେ ବିଜେପି ୧୧୦ ଆସନରେ ଲଢ଼ି ୭୪ରେ ବିଜୟୀ ହୋଇଥିଲା । କିନ୍ତୁ ୧୧୫ ଆସନରେ ଲଢ଼ି ମାତ୍ର ୪୩ରେ ଜିତିଥିଲା ଜେଡିୟୁ । ତଥାପି ଦଳକୁ ବିଜେପି କୋଣଠେସା କରି ନ ଥିଲା । ପୁନର୍ବାର ମୁଖ୍ୟମନ୍ତ୍ରୀ ଆସନରେ ଅଧିଷ୍ଠିତ ହୋଇଥିଲେ ନୀତୀଶ କୁମାର । ଏଥର ଏନ୍ଡିଏର ସ୍ଥିତିକୁ ମଜଭୁତ ପାଇଁ ଉଭୟ ଦଳ ବୁଝି ବିଚାରି ନିଷ୍ପତ୍ତି ନେଇଥିବା କୁହାଯାଉଛି। ଜେଡିୟୁକୁ ଅଧିକ ଆସନ ମିଳିବା ଦ୍ୱାରା ଯଦି ଏହାର କମ୍ ପ୍ରାର୍ଥୀ ବିଜୟୀ ହୁଅନ୍ତି, ତେବେ ଏନ୍ଡିଏ ହାତରୁ କ୍ଷମତା ଚାଲିଯିବା ଆଶଙ୍କା ରହିଛି । ସେଥିପାଇଁ ବିଜେପି-ଜେଡିୟୁ ସମାନ ଆସନରେ ଲଢ଼ିବାକୁ ନିଷ୍ପତ୍ତି ନେଇଛନ୍ତି । ଚିରାଗଙ୍କ ଦଳକୁ ୨୯ ଆସନ ଦେଇ ଏନ୍ଡିଏ ନୂଆ ରଣନୀତି ଆପଣାଇଛି । ୨୦୨୦ରେ ଚିରାଗଙ୍କ ଲୋକ ଜନଶକ୍ତି ପାର୍ଟି (ରାମବିଳାସ) ଏନ୍ଡିଏର ଅଂଶବିଶେଷ ନ ଥିଲା । ଦଳ ୧୩୫ ଆସନରେ ଲଢ଼ି କେବଳ ୧ଟିରେ ଜିତିଥିଲା । ସେତେବେଳେ ଏଲ୍ଜେପି ବିଶେଷକରି ଜେଡିୟୁ ବିରୋଧରେ ନିଜ ପ୍ରାର୍ଥୀ ଦେଇଥିଲା । ବିଜେପି ସହ ପ୍ରତ୍ୟକ୍ଷ ଭାବେ ଲଢ଼ି ନଥିଲା ।
୨୦୨୦ ନିର୍ବାଚନରେ ଏନ୍ଡିଏ ସହଯୋଗୀ ଦଳ ହାମ୍କୁ ୭ଟି ଆସନ ମିଳିଥିଲା । ଯେବେ କି ଦଳ ୪ଟିରେ ଜିତିଥିଲା । ସେହିଭଳି ଭିଆଇପି ପାଇଥିବା ୧୧ ଆସନରୁ ୪ଟିରେ ଜିତିବାକୁ ସମର୍ଥ ହୋଇଥିଲା । ଏଥର ଚିରାଗଙ୍କ ଏଲ୍ଜେପି (ଆର୍) ଏନ୍ଡିଏ ପାଇଁ ଶୁଭଙ୍କର ସାଜିବା ନେଇ ଆଶା କରାଯାଉଛି । ବିହାରରେ ମୋଟ ୨୪୩ ବିଧାନସଭା ଆସନ ରହିଛି । ବହୁମତ ସଂଖ୍ୟା ୧୨୨ ।
ଏନ୍ଡିଏର ଆସନ ଭାଗବଣ୍ଟା ନେଇ ବିହାରର ଏନ୍ଡିଏ ନେତାମାନେ ଦିଲ୍ଲୀରେ ଏକାଠି ହୋଇ ଆଲୋଚନା କରିଥିଲେ । ଶନିବାର ବିଜେପିର ନିର୍ବାଚନ ପ୍ରଭାରୀ ଧର୍ମେନ୍ଦ୍ର ପ୍ରଧାନ, ବିହାର ପ୍ରଭାରୀ ବିନୋଦ ତାୱଡ଼େ ଏବଂ ଅନ୍ୟ ବରିଷ୍ଠ ନେତାମାନେ ପାଟନାରେ ପୃଥକ ଓ ମିଳିତ ବୈଠକମାନ କରିଥିଲେ । ଏଥିରେ ଏନ୍ଡିଏ ସହଯୋଗୀ ଦଳର ନେତାମାନେ ସାମିଲ ହୋଇଥିଲେ ।
ଏଲ୍ଜେପି(ଆର୍) ନେତା ଚିରାଗ ପାଶ୍ୱାନଙ୍କୁ ମନାଇବା ଏବଂ ଏନ୍ଡିଏ ଆସନ ଭାଗବଣ୍ଟା ଚୂଡ଼ାନ୍ତ କାହାଣୀ ପଛରେ ଧର୍ମେନ୍ଦ୍ର ପ୍ରଧାନ ଥିବା ସୂତ୍ରରୁ ଜଣାପଡ଼ିଛି । ନିକଟରେ ନିର୍ବାଚନ ତାରିଖ ଘୋଷଣା ହେବା କ୍ଷଣି ଚିରାଗଙ୍କ ଲୋକମାନେ ୪୦ ଆସନ ଦାବି କରିଥିଲେ । ଏଭଳି ସ୍ଥିତିରେ ଶ୍ରୀ ପ୍ରଧାନ ଏନ୍ଡିଏ ସହଯୋଗୀ ଦଳଗୁଡ଼ିକ ସହ ବିଚାରବିମର୍ଶ କରିଥିଲେ ।
ଚିରାଗଙ୍କୁ ବୁଝାଇବା କଷ୍ଟକର ଥିଲା । କାରଣ ୪୦ ଆସନକୁ ନେଇ ତାଙ୍କ ଦଳ ଅଡ଼ିବସିଥିଲା । କେନ୍ଦ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ହସ୍ତକ୍ଷେପ କରି ବିଜେପିର ୨୫ ଆସନ ଫର୍ମୁଲା ଆପଣାଇବାକୁ ଚିରାଗଙ୍କୁ ଅପିଲ କରିଥିଲେ । କିନ୍ତୁ ସେ ମାନି ନ ଥିଲେ । ସୂତ୍ର ମୁତାବକ, ଦୀର୍ଘ ସମୟ ଧରି ଚିରାଗଙ୍କ ସହ ଚର୍ଚ୍ଚା ପରେ ଧର୍ମେନ୍ଦ୍ର ପ୍ରଧାନ ଶେଷରେ ୨୯ ଆସନରେ ଅନ୍ତିମ ବୁଝାମଣା ନେଇ ସହମତି କରାଇଥିଲେ । ବୈଠକ ଶେଷ ହେବା କ୍ଷଣି ଉଭୟ ନେତା ହସି ହସି ହାତ ମିଳାଇ ବାହାରକୁ ବାହାରିଥିଲେ । ନିର୍ବାଚନ ପୂର୍ବରୁ ଏନ୍ଡିଏର ସବୁଠୁ ଗୁରୁତ୍ୱପୂର୍ଣ୍ଣ ଆଲୋଚନାଗୁଡ଼ିକ ମଧ୍ୟରୁ ଏହି ବୈଠକ ଅନ୍ୟତମ ଥିଲା । ‘ମିଶନ ବିହାର’ ପାଇଁ ବିଜେପିର ମାର୍ଗଦର୍ଶକ ବନିଥିବା ଧର୍ମେନ୍ଦ୍ରଙ୍କ ଯୋଗୁ ଏନ୍ଡିଏ ଆସନ ଭାଗବଣ୍ଟା ଚୂଡ଼ାନ୍ତ ହୋଇଛି ।
ଆସନ ଭାଗବଣ୍ଟା ଘୋଷଣା ପରେ ଜେଡିୟୁ ନେତା ରାଜୀବ ରଞ୍ଜନ ପ୍ରସାଦ କହିଛନ୍ତି, ବିଜୟ ଅଭିଯାନର ଶ୍ରୀଗଣେଶ ହୋଇଯାଇଛି । ୫ ଦଳ ମଧ୍ୟରେ ଲଗାତର ବୈଠକ ହୋଇଥିଲା । ଏବେ ଆସନ ଭାଗବଣ୍ଟା ଘୋଷଣା ବି ହୋଇଯାଇଛି । ପୂର୍ଣ୍ଣ ଉତ୍ସାହର ସହ ଆମେ ମିଳିତ ଭାବେ ଲଢ଼ିବୁ ଏବଂ ଏକ ବଡ଼ ବିଜୟ ହାସଲ କରିବୁ । ବିହାରରେ ନଭେମ୍ବର ୬ ଓ ୧୧ରେ ଦୁଇଟି ପର୍ଯ୍ୟାୟରେ ମତଦାନ ହେବ । ୧୪ ତାରିଖରେ ଭୋଟ ଗଣତି ହୋଇ ଫଳାଫଳ ପ୍ରକାଶ ପାଇବ ।