ମାଲକାନଗିରି, ୧୧/୯ (ଆ.ପ୍ର) ଦୀର୍ଘ ତିନି ବର୍ଷହେଲା ନିର୍ମାଣ ସରୁନାହିଁ ୬କୋଟି ୧୩ଲକ୍ଷ ଟଙ୍କାର ନୂତନ ବସଷ୍ଟାଣ୍ଡ ଟର୍ମିନାଲ । ବସଷ୍ଟାଣ୍ଡ ଭିତରକୁ ଆସୁ ଥିବା ଓ ଯାଉଥିବା ବସ ଗୁଡିକ ରସ୍ତାରେ ଠିଆ ହେବା ଦ୍ୱାରା ଯାତାୟତରେ ବାଧା ସୃଷ୍ଟି ହେଉଛି। ଏହା ବ୍ୟତିତ ନିର୍ମାଣ ପାଇଁ ଇଟା ବାଲି ଗଦା ହୋଇ ରହିରହିବାରୁ ମରଣଯନ୍ତା ପାଲଟିଛି ମାଲକାନଗିରିଠାରେ ଥିବା ଆନ୍ତରାଜ୍ୟ ବସଷ୍ଟାଣ୍ଡ। ମାଲକାନଗିରି ଆନ୍ତଃ ରାଜ୍ୟ ବସଷ୍ଟାଣ୍ଡ ନୂତନ ଅଫିସ ଓ ବସଷ୍ଟାଣ୍ଡ ଟର୍ମିନାଲ ନିର୍ମାଣ ପାଇଁ ଗତ ୨୦୨୨ ମସିହାରୁ ୬କୋଟି୧୩ଲକ୍ଷ ଟଙ୍କା ଟେଣ୍ଡର ହୋଇଥିଲା। ୨୦୨୩ ମସିହା ରୁ କାମ ଚାଲିଥିଲେ ମଧ୍ୟ ତିନି ବର୍ଷ ହେଲା ସରୁନି କାମ।
ଗତ ୧୯୯୪ ମସିହାରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ମାଲକାନଗିରି ବିଜ୍ଞାପିତ ଅଚଂଳ ପରିଷଦ ବସଷ୍ଟାଣ୍ଡ ଉଦଘାଟନ କରିଥିଲେ । ପରବର୍ତ୍ତି ସମୟରେ ୨୦୧୨ ମସିହାରେ ପ୍ରାୟ ଦୁଇକୋଟି ଟଙ୍କାରୁ ଉଦ୍ଧ୍ବ ଖର୍ଚ୍ଚ ହୋଇ ଏହି ଜିଲ୍ଲାସ୍ତରୀୟ ବସଷ୍ଟାଣ୍ଡ ଟି ନିର୍ମାଣ ହୋଇଥିଲା । ବସ ଷ୍ଟାଣ୍ଡ ଉପରେ ଓଡିଶା, ଆନ୍ଧ୍ରପ୍ରଦେଶ ଛତିଶଗଡ,ତେଲାଙ୍ଗାନା ଚାରି ରାଜ୍ୟ ର ଯାତ୍ରୀ ମାନେ ନିର୍ଭର କରିଥାନ୍ତି । ଏହା ୪ଟି ରାଜ୍ୟର ସୀମାନ୍ତ ରେ ଥିବାରୁ ମାଲକାନଗିରି ଜିଲ୍ଲାବସଷ୍ଟାଣ୍ଡ ଟିକୁ ଆନ୍ତରାଜ୍ୟ ବସଷ୍ଟାଣ୍ଡ ମାନ୍ୟତା ଦିଆଯାଇ ଚାରୋଟି ରାଜ୍ୟକୁ ଏଠାରୁ ବସ ଚଳାଚଳ କରିଆସୁଛି । ଏହା ଆନ୍ତ ରାଜ୍ୟ ବସ ଷ୍ଟାଣ୍ଡ ହୋଇ ଥିଲେ ମଧ୍ୟ ବସ ଷ୍ଟାଣ୍ଡ ର ନାମ ଫଳକ ଟିଏ ଲଗା ଯାଇ ନଥିବାରୁ ବାହାରୁ ଆସୁଥିବା ଲୋକେ କେଉଁଠି ବସ ଷ୍ଟାଣ୍ଡ ଅଛି ଜାଣିପାରୁ ନାହାନ୍ତି।
ଏଠାରୁ ଓଡିଶାର ରାଜଧାନୀ ଭୁବନେଶ୍ୱର, କଟକ, ବ୍ରହ୍ମପୁର, ଆସିକା, ଭବାନିପାଟଣା, ନୟାଗଡ, ସମ୍ବଲପୁର, କଳାହାଣ୍ଡି, କୋରାପୁଟ, ନବରଙ୍ଗପରୁ, ରାୟଗଡା, ସହିତ ଆନ୍ଧ୍ରପ୍ରଦେଶର ବିଜୟନଗରମ, ବିଶାଖାପାଟଣା,ଖମାମ, ଭଦ୍ରାଚଳମ, ହାଇଦ୍ରାବାଦ, ଛତିଶଗଡ ରାଜ୍ୟର ସୁକୁମା, ଜଗଦଲପୁର, ରାଇପୁର, ଆଦି ୩୧ଟି ସ୍ନାନକୁ ଦୂରଗାମି ଓ ଆଚଂଳିକ ବସଗୁଡିକ ଯାତାୟତ କରିଥାଏ । ହେଲେ ଏହି ବସଷ୍ଟାଣ୍ଡ ଟି ଏବେ ମରଣ ଯନ୍ତାପାଲଟିଛି । ବସଷ୍ଟାଣ୍ଡ ଭିତରେ ବଡ ବଡ ଖାଲ ଖମା ହୋଇ ବର୍ଷା ପାଣି ଜମି ରହୁଛି। ବସଷ୍ଟାଣ୍ଡ ଭିତରେ ଯାତ୍ରୀଙ୍କ ବିଶ୍ରାମ ସ୍ଥଳ ଓ ଚେୟାର ଗୁଡିକ ମଧ୍ୟ ଭଙ୍ଗିଗଲାଣି। ଡଷ୍ଟବିନ ନାହିଁ, ପାନୀୟ ଜଳ ବ୍ୟବସ୍ଥା ନାହିଁ,ଯାତ୍ରୀ ମାନଙ୍କ ପାଇଁ ବ୍ୟବସ୍ଥା କରାଯାଇଥିବା ଶୌଚାଳୟ କଥା ନକହିଲେ ଭଲ । ବସ ଷ୍ଟାଣ୍ଡ ମଧ୍ୟରେ ଗୋଟିଏ ମାତ୍ର ଦେୟ ଯୁକ୍ତ ଶୌଚାଳୟ ଥିବାରୁ ଅନେକ ସମୟରେ ଭିଡ ହୋଇଥାଏ। ମହିଳା ଯାତ୍ରୀ ମାନେ ବହୁତ ହଇରାଣ ହୋଇଥାନ୍ତି ।
ଏହି ବସ ଷ୍ଟାଣ୍ଡ କୁ ପ୍ରତିଦିନ ନିୟମିତ ଭାବେ ଘରୋଇବସ ୪୦ ଟି, ସରକାରୀ ବସ ୧୦ ଟି ଓ ମୁଖ୍ୟମନ୍ତ୍ରୀ ବସ ସେବା ଯୋଜନା ରେ ୩୬ ଟି ବସ ଚଲାଚଳ କରିଥାଏ। ବସ ଷ୍ଟାଣ୍ଡ ରେ ବସ ରହିବା ପାଇଁ ସ୍ଥାନ ନଥିବା ବେଳେ ଭଙ୍ଗା ଅଚଳ ସରକାରୀ ବସ ଗୁଡିକ ରଖା ଯାଇଛି। ବସ ଗୁଡିକ ମରାମତ ପାଇଁ ଏକ ସ୍ୱତନ୍ତ୍ର ଗ୍ୟାରେଜର ଆବଶ୍ୟକ ରହିଛି । ତୁରନ୍ତ ମାଲକାନଗିରି ଜିଲ୍ଲା ସଦର ମହାକୁମା ଆନ୍ତରାଜ୍ୟ ବସ ଷ୍ଟାଣ୍ଡଟିର ନବୀକରଣ କରାଯାଇ ଯାତ୍ରୀମାନଙ୍କ ସୁବିଧା କରିବା ପାଇଁ ଜିଲ୍ଲା ବାସୀ ଦାବି କରିଛନ୍ତି।