ବୈପାରୀଗୁଡା, ୧।୩ : - ଗଞ୍ଜେଇ ମାଫିଆଙ୍କୁ ପିଛା କରିବାକୁ ଯାଇ ପୁଲିସ ଗାଡି ଦୁର୍ଘଟଣାଗ୍ରସ୍ତ। ଦୁଇ ପୁଲିସ କର୍ମଚାରୀ ଗୁରୁତର । ଗୁରୁତରଙ୍କୁ କୋରାପୁଟ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଛି l ଏଭଳି ଏକ ଘଟଣା ବୈପାରୀଗୁଡା ଥାନା ଅନ୍ତର୍ଗତ ଧଳପୁର ନିକଟରେ ଘଟିଛି l
ସୂଚନା ଅନୁଯାଇ ରାମଗିରି ଫାଣ୍ଡି ଦେଇ ତିନି ଜଣ ଗଞ୍ଜେଇ ମାଫିଆ ଗୋଟିଏ ବାଇକରେ ଯାଉଥିବା ପୁଲିସ ଖବର ପାଇଥିଲା। ମାଫିଆଙ୍କୁ କାବୁ କରିବା ପାଇଁ ରାମଗିରି ପୋଲିସ ପିଛା କରିଥିଲା l ରାମଗିରି ଫାଣ୍ଡି ଏଏସଆଇ ବିଷ୍ଣୁ ମାଡକାମୀ ଏବଂ ଡ୍ରାଇଭର ଡମ୍ବରୁ ଚାଲାଣ ଦୁଇଟି ପୃଥକ ବାଇକରେ ମାଫିଆଙ୍କୁ ପିଛା କରୁଥିଲେ l ସେହିସମୟରେ ଧଳପୁର ନିକଟରେ ଏକ ବୁଲାଣି ରାସ୍ତାରେ ରାମଗିରି ପୁଲିସର ଦୁଇଟି ବାଇକ୍ ମଧ୍ୟରେ ଧକ୍କା ହୋଇଥିଲା । ଫଳରେ ଦୁଇ ପୁଲିସ କର୍ମଚାରୀ ଗୁରୁତର ଆହତ ହୋଇ ରାସ୍ତା ଉପରେ ଛିଟିକି ପଡ଼ିଯାଇଥିଲେ। ସ୍ଥାନୀୟ ଲୋକେ ଏବଂ ବୈପାରିଗୁଡା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତୁରନ୍ତ ଦୁଇ ଆହତ ପୁଲିସଙ୍କୁ ଆମ୍ବୁଲାନ୍ସ ଯୋଗେ ବୈପାରିଗୁଡା ଡାକ୍ତରଖାନାରେ ଭର୍ତ୍ତି କରାଇଥିଲେ। ଦୁହିଁଙ୍କ ପ୍ରାଥମିକ ଚିକିତ୍ସା ପରେ ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ଥିବାରୁ କୋରାପୁଟ ମେଡିକାଲ କଲେଜକୁ ସ୍ଥାନାନ୍ତର କରିଛନ୍ତି ଡାକ୍ତର।
ଆହୁରି ପଢନ୍ତୁ : ପହଁରା ଶିଖିବା ହେଲା କାଳ, ମହାନଦୀରେ ବୁଡି ନାବାଳକ ମୃତ