ମାଲକାନଗିରି,୧୯/୯ : ମାଲକାନଗିରି ବ୍ଲକ ଚେୟାରମ୍ୟାନଙ୍କ ବିରୋଧରେ ଉପାଧ୍ୟକ୍ଷ ସହ ୯ ସଭ୍ୟସଭ୍ୟା ଆଣିଛନ୍ତି ଅନାସ୍ଥା ପ୍ରସ୍ତାବ । ସେହିଭଳି ଚେୟାରମ୍ୟାନଙ୍କୁ ସମର୍ଥନ ଜଣାଇ ୨୦ଜଣ ଲୋକ ପ୍ରତିନିଧି ଉପଜିଲ୍ଲାପାଳଙ୍କୁ ଦେଲେ ଦରଖାସ୍ତ। ମାଲକାନଗିରି ସଦର ବ୍ଲକ ବିଜେଡି ଅଧ୍ୟକ୍ଷା ଗୌରୀ ପଡ଼ିଆମୀଙ୍କ ମନମୁଖି କାର୍ଯ୍ୟକୁ ବିରୋଧ କରି ଉପାଧ୍ୟକ୍ଷ ନିରଞ୍ଜନ ହାଲଦାରଙ୍କ ସହ ୯ଜଣ ସଭ୍ୟ ଓ ସଭ୍ୟା ଆଣିଛନ୍ତି ଅନାସ୍ଥା ପ୍ରସ୍ତାବ ।
ମାଲକାନଗିରି ବ୍ଲକର ୧୯ଜଣ ସମିତି ମେମ୍ବରଙ୍କ ମଧ୍ୟରୁ ପୂର୍ବରୁ ଜଣେ ମେମ୍ବର ଇସ୍ତଫା ଦେଇଛନ୍ତି । ୧୭ଜଣ ସମିତି ସଭ୍ୟସଭ୍ୟାଙ୍କ ମଧ୍ୟରୁ ବିଜେପି ଓ କଂଗ୍ରେସ ସମର୍ଥିତ ୯ଜଣ ଆଣିଛନ୍ତି ଅନାସ୍ଥା ପ୍ରସ୍ତାବ । ଏହି ଅନାସ୍ଥା ପ୍ରସ୍ତାବ ନେଇ ମାଲକାନଗିରି ଉପଜିଲ୍ଲାପାଳଙ୍କୁ ଓ ମାଲକାନଗିରି ବିଡିଓଙ୍କୁ ଲିଖିତ ଭାବେ ଜଣାଇଛନ୍ତି ପଞ୍ଚାୟତ ସମିତି ଉପାଧ୍ୟକ୍ଷ ସମତେ ୯ଜଣ ସମିତି ମେମ୍ବର । ଅଧ୍ୟକ୍ଷାଙ୍କ ବିପକ୍ଷରେ ଅଧାରୁ ଅଧିକ ଭାଗ ଭୋଟ ଆସିଲେ ଅନାସ୍ଥା ପ୍ରସ୍ତାବ ହେବ କାଏମ । ଏହି ଅନାସ୍ଥା ପ୍ରସ୍ତାବ ସମ୍ପର୍କରେ ଉପାଧ୍ୟକ୍ଷ ନିରଞ୍ଜନ ହାଲଦାର କୁହନ୍ତି ଦୀର୍ଘ ୩ବର୍ଷରୁ ଊର୍ଦ୍ଧ୍ବ ପଞ୍ଚାୟତ ସମିତି ଚେୟାରମ୍ୟାନ ହୋଇଥିଲେ ମଧ୍ୟ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଓ କାର୍ଯ୍ୟାଦେଶ ଦେବାରେ ସମିତି ସଭ୍ୟା ଓ ସଭ୍ୟଙ୍କ ମତାମତ ନିଆଯାଉ ନାହିଁ । ସେ ମନମୁଖୀ ଭାବେ କାର୍ଯ୍ୟ କରୁଛନ୍ତି, ଠିକ୍ ସମୟରେ ବୈଠକ ଡାକୁନାହାନ୍ତି । ଏପରି ଅନେକ ଅଭିଯୋଗ ନେଇ ତାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଅଣାଯାଇଛି । ଉପ ଜିଲ୍ଲାପାଳଙ୍କ ଦ୍ବାରା ଭୋଟିଂ ତାରିଖ ଘୋଷଣା ପରେ ଜଣାପଡ଼ିବ ପଲ୍ଲା କାହାର ଭାରି ହେଉଛି । ଭୋଟିଂ ପରେ ମାଲକାନଗିରି ବ୍ଲକ ବିଜେଡି ଅଧ୍ୟକ୍ଷାଙ୍କ ଭାଗ୍ୟ ହେବ ନିର୍ଦ୍ଧାରଣ ।
ସୂଚନାଯୋଗ୍ୟ ଯେ, ମାଲକାନଗିରି ବ୍ଲକରେ ବିଜେଡିରୁ ୧୦ଜଣ, ବିଜେପିରୁ ୫ଜଣ ଓ କଂଗ୍ରେସରୁ ୪ଜଣ ସମିତି ମେମ୍ବର ଭାବେ ନିର୍ବାଚିତ ହୋଇଥିଲେ । ସେମାନଙ୍କ ମଧ୍ୟରୁ ବିଏଲପୁର ଓ ଶିଖପାଲି ପଞ୍ଚାୟତର ଦୁଇ ଜଣ ବିଜେଡି ସମର୍ଥିତ ମେମ୍ବର ଚାକିରୀ ପାଇଯିବାରୁ ଇସ୍ତପା ଦେଇଛନ୍ତି । ଅପରପକ୍ଷରେ ଏହି ଅନାସ୍ଥା ପ୍ରସ୍ତାବକୁ ବିରୋଧ କରି ଆଜି ମାଲକାନଗିରି ବ୍ଲକରେ ଚେୟାରମ୍ୟାନ ଗୌରୀପଡିଆମୀଙ୍କ ଅଧ୍ୟକ୍ଷତାରେ ସମିତି ମେମ୍ବର ଓ ସରପଞ୍ଚଙ୍କୁ ନେଇ ସ୍ୱତନ୍ତ୍ର ଭାବେ ଏକ ବୈଠକ ବସିଥିଲା । ମାଲକାନଗିରି ବ୍ଲକ ଅଧ୍ୟକ୍ଷା ଗୌରୀ ପଡ଼ିଆମୀଙ୍କ ସପକ୍ଷରେ ପ୍ରସ୍ତାବ ଗୃହୀତ କରାଯାଇ ଉପଜିଲ୍ଲାପାଳଙ୍କୁ ଆଜି ଦିଆଯାଇଥିବା ଜଣାପଡ଼ିଛି । ଏହି ଦରଖାସ୍ତରେ ଉଲ୍ଲେଖ ରହିଛି କି କିଛି ନ୍ୟସ୍ତ ସ୍ବାର୍ଥ ଗୋଷ୍ଠି ବ୍ଲକକୁ ନିଜ ସ୍ବାର୍ଥ ପାଇଁ ବ୍ୟବହାର କରିବା ପାଇଁ ଚେଷ୍ଟା କରି ବିଫଳ ହେବାରୁ ଏହିଭଳି ମିଛ ବାହାନା କରି ଅନାସ୍ଥା ପ୍ରସ୍ତାବ ପାଇଁ ଦରଖାସ୍ତ ଦେଇଛନ୍ତି । ଏହାକୁ ଆମେ ସମସ୍ତେ ଘୋର ବିରୋଧ କରୁଅଛୁ ।
ବ୍ଲକର ଅଧ୍ୟକ୍ଷାଙ୍କ କାର୍ଯ୍ୟକଳାପରେ ଖୁସି ଅଛୁ । ବ୍ଲକର ସମସ୍ତ ଉନ୍ନତିମୂଳକ କାର୍ଯ୍ୟରେ ଆମ ସମସ୍ତଙ୍କ ମତାମତରେ କାର୍ଯ୍ୟ କରାଯାଏ । କୌଣସି କାର୍ଯ୍ୟକୁ ଅଧ୍ୟକ୍ଷ କିମ୍ବା ଅଧିକାରୀମାନେ ଗୋପନ ରଖନ୍ତି ନାହିଁ । ଆମ ବ୍ଲକ ଅଧିକାରୀ ଓ ଆମ ଅଧ୍ୟକ୍ଷଙ୍କ ସହ ଆମ ସରପଞ୍ଚ ଓ ସମିତିମାନଙ୍କ ଭଲ ସମ୍ପର୍କ ଓ ସହଯୋଗ ରହି ସମସ୍ତ କାର୍ଯ୍ୟ ଭଲରେ ହେଉ ଥିବାରୁ ଏହାକୁ ସହ୍ୟ କରିନପାରି ଏହିଭଳି ହୀନ ଚକ୍ରାନ୍ତ କରାଯାଇଛି। ଏହାକୁ ଆମେ ଘୋର ନିନ୍ଦା କରୁଛୁ ଏବଂ ନିବେଦନ କରୁଛୁ କି ମନ୍ଦ ଉଦ୍ଦେଶ୍ୟ ରଖି କରାଯାଇଥିବା ଅନାସ୍ଥାପତ୍ରକୁ ଖାରଜ କରି ଆମମାନଙ୍କୁ ଆମ ବ୍ଲକକୁ ନ୍ୟାୟ ପ୍ରଦାନ କରିବା ପାଇଁ ବିନୀତ ପ୍ରାର୍ଥନା କରୁଛୁ ବୋଲି ପ୍ରାୟ ୨୦ଜଣ ସମିତି ସଭ୍ୟସଭ୍ୟା ସରପଞ୍ଚ ଲେଖି କି ଦେଇଛନ୍ତି । ଏ ସମ୍ପର୍କରେ ଜିଲ୍ଲା ବିଜେଡି ସଭାପତି ପୂର୍ବତନ ବିଧ୍ୟାୟକ ମାନସ ମାଡକାମି କହିଛନ୍ତି, ଚେୟାରମ୍ୟାନଙ୍କ ସମର୍ଥନରେ ଅଧିକ ସରପଞ୍ଚ ଓ ସମିତି ମେମ୍ବର ଅଛନ୍ତି । ଭୋଟିଂ ହେଲେ ନିଶ୍ଚିତ ଭାବେ ଚେୟାରମ୍ୟାନଙ୍କ ସମର୍ଥନ ରେ ଯିବ ।