ପିଲାଟି କିଛି ଭୁଲ୍ କରିଥାଏ ବୋଲି ମନ ଦୁଃଖରେ ବସି କାନ୍ଦୁଥାଏ । ମାଆ, ପୁଅର ହତାଶ ଓ ଝାଉଁଳି ପଡ଼ିଥିବା ମୁହଁ ଦେଖି ତା’ ପାଖକୁ ଆସି କାରଣ ପଚାରିଲେ । ସେହି ସମୟରେ ନିଜ ଭୁଲ୍ ମାନିଗଲା ପିଲାଟି, ମାଆ ତାକୁ ଆଶ୍ୱାସନା ଦେଲେ ‘ଜୀବନରେ ସେମିତି ହୁଏ, ତୁ ମନଦୁଃଖ ନକରି ଆଗକୁ ବଢ଼ । ନିଜ ଭୁଲ୍ ସ୍ୱୀକାର କରି ତାକୁ ମାନିବା ବି କମ୍ ବଡ଼ କଥା ନୁହେଁ ! କିଛିଦିନ ପରେ ପିଲାଟି ପୁଣି ଥରେ ସେହି ଭୁଲ୍କୁ ଦୋହରାଇଲା, ଏଇ ଥରକ ବି ସେ ତାର ଭୁଲ୍ ମାନିଲା, ମନଦୁଃଖ କଲା, ହେଲେ ମାଆ ତାକୁ ଏଥର ଭିନ୍ନ କଥାଟିଏ କହିଲେ । ମାଆ ବୁଝେଇଲେ, ଭୁଲ୍ ହେବା ସ୍ୱାଭାବିକ, ମାତ୍ର ସେଇ ସମାନ ଭୁଲ୍କୁ ବାରମ୍ବାର ଦୋହରେଇବା ଆଦୌ ଗ୍ରହଣୀୟ ନୁହେଁ କି କ୍ଷମାଯୋଗ୍ୟ ନୁହେଁ । ଏଥର ମାଆ ପୁଅକୁ କହିଲେ ଯେ, ସେ ତା’ର ଆଚରଣରେ ଦୁଃଖିତ ଓ ଲଜ୍ଜିତ । ଜାଣିଶୁଣି ସେଇ ସମାନ ଭୁଲ୍ କରି ଅନୁତାପ କରିବା ତାକୁ ଜମା ଶୋଭା ଦେଉନାହିଁ । ଏଠାରେ ଘଟଣାଟିର ବ୍ୟାଖ୍ୟା ପଛର କାରଣ ହେଲା, ଏମିତି ମଣିଷ ଖୁବ୍ କମ୍ ମିଳିବେ ବା କହିବା ଆଦୌ ମିଳିବେ ନାହିଁ ଯେଉଁମାନେ ଜାଣତରେ ହେଉ ବା ଅଜାଣତରେ ଜୀବନରେ କେବେହେଲେ କୌଣସି ଭୁଲ୍ କରିନଥିବେ ।
ଅଧିକାଂଶ ଲୋକ ଭୁଲ୍ କରିବା ପରେ ସେହି ଭୁଲ୍କୁ ମନେ ପକେଇ ଚିନ୍ତାମଗ୍ନ ରହନ୍ତି । ଅତୀତର ଭୁଲ୍ଗୁଡ଼ିକୁ ସ୍ମରଣ କରି ନିଜକୁ ଦୋଷୀ ଭାବନ୍ତି ଏବଂ ଅବସୋସରେ କାଳ କାଟିଦିଅନ୍ତି । ସତ କହିବାକୁ ଗଲେ, କରିସାରିଥିବା ଭୁଲ୍ଗୁଡ଼ିକ ପାଇଁ ନିଜକୁ ଦୋଷୀ ମନେକରିବା, ନିଜକୁ ଅସୁବିଧାରେ ପକେଇବା ନିରର୍ଥକ । ଯାହା ଗଲା, ଗଲା ତାହା ତ ଆଉ ଫେରିଆସିବ ନାହିଁ! ଯଦି ଆମେ ସେହି ପୁରୁଣା କଥା ଭାବି ଆମର ବର୍ତ୍ତମାନର ସମୟ ଓ ଶ୍ରମକୁ ନଷ୍ଟ କରିବା, ଯାହା ବାକି ଅଛି ସେତକ ବି ଚାଲିଯିବ । ବରଂ ଆମକୁ ଦୃଢ଼ଭାବରେ କହିବାକୁ ହେବ ଯେ, ନା’ ମୁଁ ପୁଣିଥରେ ଏହି ଭୁଲ୍ ଦୋହରେଇବି ନାହିଁ । ସେହି ଶୁଦ୍ଧ ଭାବନା ହିଁ ଆମ ମସ୍ତିଷ୍କକୁ ଏଭଳି ଭାବନାରୁ ନିବୃତ୍ତ କରିବ । ମଣିଷର ମସ୍ତିଷ୍କର ଶୁଦ୍ଧତା ମହତ୍ ଭାବନା ଓ ମହତ୍ କାର୍ଯ୍ୟ କରିବା କିମ୍ବା ସେହି ଦିଗରେ ଚେଷ୍ଟାରତ ହେବାଦ୍ୱାରା ହିଁ ପ୍ରକଟିତ ହୁଏ । ଏଭଳି କୌଣସି ପାପ ନାହିଁ, ଯାହା ଅନୁତାପର ଅଶ୍ରୁ ଦ୍ୱାରା ଧୋଇ ହେବନାହିଁ । କଥା ହେଉଛି, ଜଣେ ନିଜ ଭୁଲ୍ ଜାଣିବା ପରେ ସେହି ଭୁଲ୍ର ଆଉ ପୁନରାବୃତ୍ତି ନକରିବା ପାଇଁ ଚେଷ୍ଟା କରିବା ଉଚିତ । ମସ୍ତିଷ୍କ ସଦା ନିଜକୁ ସଠିକ୍ ରାସ୍ତାରେ ଯିବାପାଇଁ ପ୍ରସ୍ତୁତ କରିବା ଉଚିତ । କାରଣ ଜାଣତରେ କିମ୍ବା ଅଜାଣତରେ ଭୁଲ୍ କରିବା ଏବଂ ପୁରୁଣା ଭୁଲ୍ରୁ ନଶିଖିବା କେବଳ ସ୍ୱଳ୍ପ ଲୋକଙ୍କ ପାଇଁ ହିଁ କ୍ଷମଣୀୟ । ଯେପରିକି ଶିଶୁ, ବୃଦ୍ଧ, ରୋଗୀ କିମ୍ବା ମସ୍ତିଷ୍କ ବିକୃତି ଘଟିଥିବା ବ୍ୟକ୍ତିବିଶେଷଙ୍କ ପାଇଁ ଏସବୁ କ୍ଷେତ୍ରରେ କେତେକାଂଶରେ କ୍ଷମା କରିଦିଆଯାଏ । ମାତ୍ର ସୁସ୍ଥ, ସ୍ୱାଭାବିକ ଏବଂ ଉନ୍ନତ ମସ୍ତିଷ୍କଙ୍କ ଦୋଷ ସବୁବେଳେ ଧରାଯାଏ ।
ଉଦାହରଣ ସ୍ୱରୂପ, ଗୋଟିଏ ଛୋଟ ପିଲା ଯଦି ରାଗରେ ହେଉ କିମ୍ବା ମଜାରେ ଖେଳଣାଟିଏ ତାର ମାଆ ମୁହଁ ଉପରକୁ ଫିଙ୍ଗିଦିଏ, ତେବେ ମାଆ ତାର ଏତାଦୃଶ ବ୍ୟବହାର ପାଇଁ ରାଗନ୍ତି ନାହିଁ, ବରଂ ପାଖକୁ ଆସି ସ୍ନେହରେ ତାକୁ କୋଳେଇ ନେଇ ବୁଝାନ୍ତି । ସେ ଜାଣିଥାନ୍ତି ଯେ, ଏହା ପଛରେ ଶିଶୁଟିର କିଛି ମନ୍ଦ ଉଦ୍ଦେଶ୍ୟ ନାହିଁ । ମାତ୍ର ସମାନ ବ୍ୟବହାର ଯଦି ବୟସ, ବୁଦ୍ଧି, ଚିନ୍ତନ ଓ ମନନ ଶକ୍ତି ବଢ଼ିବା ପରେ ଜଣେ କରେ, ସେହି ବ୍ୟକ୍ତିର ମାଆ ଏହାକୁ ସହନ କରିପାରିବେ ନାହିଁ । ଏଭଳି ବ୍ୟବହାର ତାଙ୍କୁ ବହୁତ ଦୁଃଖିତ ଏବଂ ଲଜ୍ଜିତ କରିବ । ଏଠାରେ ଉଦାହରଣ ଦେବାର ଉଦ୍ଦେଶ୍ୟ ହେଉଛି, ଈଶ୍ୱର ମଧ୍ୟ ସେହିମାନଙ୍କୁ କ୍ଷମା କରନ୍ତି ଯେଉଁମାନେ ଅଜାଣତରେ ଭୁଲ୍ କରନ୍ତି । ଥରେ ଜାଣିବା ପରେ ଯେ ଆମେ ଯାହା କରୁଛୁ ସେହି କାମଟି ଭୁଲ୍ ଏବଂ ସେହି କାମର ପୁନରାବୃତ୍ତି କରିଚାଲୁ ତେବେ ତାହା ପାପ ଅନ୍ତର୍ଭୁକ୍ତ ହୁଏ, ଯାହାକୁ ଈଶ୍ୱର ମଧ୍ୟ କ୍ଷମା କରନ୍ତି ନାହିଁ । ଏଣୁ ଏଥିରୁ ନିଜକୁ ବିରତ କରିବାକୁ ହେବ । ଆମ ମନକୁ ଏମିତି ବି ଭାବନା ଆସେ ଯେ ‘ମୁଁ ବାରମ୍ବାର ଭୁଲ୍ କରି ବହୁତ ପାପ ଅର୍ଜନ କରିସାରିଛି, ମୋ ମନ ଏବେ ପ୍ରାର୍ଥନା କରିବା ପାଇଁ ଶୁଦ୍ଧ ହୋଇନାହିଁ । ମୋର ସବୁ ପାପର ପ୍ରାୟଶ୍ଚିତ କଲାପରେ ହିଁ ମୁଁ ପ୍ରାର୍ଥନା କରିବା ଆରମ୍ଭ କରିବି ।' ବିଶ୍ୱାସ କରନ୍ତୁ ପାଠକ ବନ୍ଧୁ, ସେହି ବ୍ୟକ୍ତି ପାଇଁ ସେହି ଦିନଟି କେବେହେଲେ ଆସିବ ନାହିଁ, ଯେବେ ତାର ମନ ସମ୍ପୂର୍ଣ୍ଣ ଭାବରେ ଶୁଦ୍ଧ ହେବ ଏବଂ ସେ ପ୍ରାର୍ଥନା ଆରମ୍ଭ କରିବ । ତାହା କେବଳ କଥାରେ ହିଁ ରହିଯିବ । କାରଣ ସେହି ବ୍ୟକ୍ତି କେବେ ସମୁଦ୍ରରେ ପହଁରି ପାରେନାହିଁ, ଯିଏ ଲହଡ଼ି ଥମିବାକୁ ଅପେକ୍ଷା କରେ ।
‘ମଣିଷ ମାତ୍ରକେ ଭୁଲ୍' କଥାଟି ଯଥାର୍ଥ । ମାତ୍ର ଭୁଲ୍ର ପୁନରାବୃତ୍ତି ଘଟିବ କି ନାହିଁ, ଏହା ସମ୍ପୂର୍ଣ୍ଣ ରୂପେ ମଣିଷ ହାତରେ । କରିଥିବା ଭୁଲ୍ ପାଇଁ ଦୁଃଖୀ ହୋଇ ରହିବାର ମଧ୍ୟ କୌଣସି ଆବଶ୍ୟକତା ନାହିଁ । କାରଣ ଯାହା ଘଟି ଯାଇଛି ତାକୁ ଆମେ ଫେରାଇ ଆଣିପାରିବା ନାହିଁ । ଅତୀତର ଭୁଲ୍ ଏବଂ ଅସଫଳତା ପାଇଁ ବିଳାପ କରିବାର ଆବଶ୍ୟକତା ନାହିଁ, କାରଣ ଏବେ ମଧ୍ୟ ଆମର ବାକି ଜୀବନ ଆମ ପାଖରେ ଅଛି । ଆଗାମୀ ଜୀବନକୁ କେମିତି ସହଜ ଓ ସୁଖମୟ କରିବା ସର୍ବୋପରି ଅନ୍ୟ କାହାକୁ ସହଯୋଗ କରିପାରିଲେ ଜୀବନର ମୂଲ୍ୟ ରହିବ । ଆଶାବାଦୀମାନେ ଦୁଃଖର ମଝି ଦରିଆରେ ମଧ୍ୟ ଜୀବନରେ ପ୍ରଫୁଲ୍ଲତା ଆଣିବାକୁ ଚେଷ୍ଟା କରନ୍ତି । ବିଶ୍ୱାସୀ, ଅବିଶ୍ୱାସୀ କିମ୍ବା ସନ୍ଦେହୀ ଯିଏ ବି ହୁଅନ୍ତୁ ନା କାହିଁକି, ଗୋଟିଏ ସୁଖୀ ଏବଂ ସଫଳ ଜୀବନ ବଞ୍ଚିପାରିବେ, ନିଜ ଉପରେ ବିଶ୍ୱାସ ରହିବା ଦରକାର । ସତ କଥା ହେଉଛି, ନିଜ ଉପରେ ବିଶ୍ୱାସ ନଥିଲେ ଈଶ୍ୱରଙ୍କ ଉପରେ ମଧ୍ୟ ଜଣେ ବିଶ୍ୱାସ କରିବା ସମ୍ଭବ ହୁଏନାହିଁ । ଆତ୍ମବିଶ୍ୱାସ ବିନା କୌଣସି କ୍ଷେତ୍ରରେ ସଫଳତା ପାଇବା ଅସମ୍ଭବ । ଆତ୍ମବିଶ୍ୱାସ ହେଉଛି ନିଜ ମସ୍ତିଷ୍କର ସନ୍ତୁଳନ, ସାହସ ଏବଂ ଜୀବନର ସମସ୍ୟାଗୁଡ଼ିକ ଉପରେ ନିୟନ୍ତ୍ରଣ ରକ୍ଷା କରିବାର କ୍ଷମତା । ଜୀବନର ସମସ୍ୟାଗୁଡ଼ିକ ଠାରୁ ଆମେ ନିଜକୁ ବଞ୍ଚିତ କରିପାରିବା ନାହିଁ, ସେସବୁ ଜୀବନରେ ଆସିବା ଅପରିହାର୍ଯ୍ୟ । ମାତ୍ର ନିଜର ଆଶାକୁ ସଦା ଉଜ୍ଜୀବିତ ରଖିବା ଯେ, ସମସ୍ୟାର ଏହି ସମୟ ଦିନେ ବିତିଯିବ । ସର୍ବପ୍ରଥମେ ନିଜ ଉପରେ ଏବଂ ତା’ପରେ ଈଶ୍ୱରଙ୍କ ଉପରେ ଭରସା ରଖିଲେ ଜୀବନ ସହଜ ଓ ସୁଖମୟ ହେବ ।