ମାଲକାନଗିରି, ୧୪।୯(ଆପ୍ର): ଖୋଲା ଆକାଶ ତଳେ ଖରା ବର୍ଷାରେ ପଡି ରହି ଖତ ଖାଉଛି ଲକ୍ଷାଧିକ ଟଙ୍କାର ଅତ୍ୟାଧୁନିକ ଧାନ ସଫେଇ ଯନ୍ତ୍ରପାତି। ସ୍ୱୟଂସହାୟକ ଗୋଷ୍ଠୀମାନଙ୍କୁ ପ୍ରଦାନ କରି ସେମାନଙ୍କୁ ସ୍ଵାବଲମ୍ବୀ କରିବା ପାଇଁ ଲକ୍ଷାଧିକ ଟଙ୍କା ବ୍ୟୟ କରି କିଣା ଯାଇଥିବା ମେସିନ ବର୍ତ୍ତମାନ ଖରା ବର୍ଷାରେ ପଡି ରହି ଖତଖାଉଥିବା ଦେଖିବାକୁ ମିଳିଛି। ମାଲକାନଗିରି ଜିଲ୍ଲା ସଦରରେ ଥିବା ନିୟନ୍ତ୍ରୀତ ବଜାର କମିଟି କାର୍ଯ୍ୟାଳୟ ପରିସରରେ ଏହା ଦେଖିବାକୁ ମିଳିଛି।
ନିୟନ୍ତ୍ରୀତ ବଜାର କମିଟି ତରଫରୁ ୨୭ ଲକ୍ଷ ଟଙ୍କାର ଦୁଇଟି ଆଧୁନିକ ଜ୍ଞାନ କୌଶଳଯୁକ୍ତ ଧାନ ସଫେଇ ଯନ୍ତ୍ର ୨୦୨୪ମସିହାରେ କ୍ରୟ କରାଯାଇଥିଲା। ଗତ ପ୍ରାୟ ଏକ ବର୍ଷ ଧରି ଏହି ମେସିନ ଗୁଡିକ ପଡି ରହିଥିବା ବେଳେ ଏହା ଯେଉଁ ଉଦ୍ଦେଶ୍ୟରେ ଆସିଥିଲା ତାହା କାର୍ଯ୍ୟକାରୀ ହୋଇ ନାହିଁ। ମେସିନ ଗୁଡିକ କାହା ସ୍ଵାର୍ଥରେ କିଣା ଯାଇ ଏପରି ନଷ୍ଟ ହେବା ପାଇଁ ପଡି ରହିଛି ତାହାକୁ ନେଇ ପ୍ରଶ୍ନ ଉଠିଛି। ନିୟନ୍ତ୍ରୀତ ବଜାର କମିଟିର ସମ୍ପାଦକ ଦେବୀ ପ୍ରସାଦ ତ୍ରିପାଠୀଙ୍କୁ ଏ ନେଇ ପଚାରିବାରୁ ୨୦୨୫ ମସିହାର ବର୍ଷ ଶେଷରେ ସମାଜମଙ୍ଗଳ ବିଭାଗ ମାଧ୍ୟମରେ ମହିଳା ସ୍ୱୟଂସହାୟକ ଗୋଷ୍ଠୀ ମାନଙ୍କୁ ଏହି ମେସିନ ଗୁଡିକ ପ୍ରଦାନ କରାଯିବ । ସେହିପରି ମିଶନ୍ ଶକ୍ତି ଡିପିଏମ୍ ହର୍ଷାନନ୍ଦ ପ୍ରଧାନ କହିଛନ୍ତି,୨୦୨୫ ଜାନୁଆରିରେ ହିଁ ସ୍ୱୟଂସହାୟକ ଗୋଷ୍ଠୀର ନାମ ଚୟନ କରି ଉପଜିଲ୍ଲାପାଳଙ୍କୁ ଜଣାଇଦେଇଛୁ। ବର୍ତ୍ତମାନ ଚଳିତ ମାସ ଆଉ ଏକ ମହିଳା ସ୍ୱୟଂସହାୟକ ଗୋଷ୍ଠୀର ନାମ ଦେବାକୁ ପତ୍ର ଆସିଥିବାରୁ ଏହି ବିଷୟରେ କାର୍ଯ୍ୟ ଚାଲିଛି, ଅତିଶିଘ୍ର ଏହା ମଧ୍ୟ ଚୟନ କରି ଜଣାଇଦେବୁ। ତେବେ ଦୀର୍ଘ ବର୍ଷ ଧରି କାର୍ଯ୍ୟାଳୟ ସାମନାରେ ଦୁଇଟି ଅତ୍ୟାଧୁନିକ ମୋବାଇଲ୍ ପେଡି କ୍ଲିନର୍ ପଡିରହିବା ଏବଂ ଏଥିରେ ଲାଗିଥିବା ଚକା ମଧ୍ୟ ଫାଟି ଆଁ ହୋଇଯାଇଥିବା ବେଳେ ଏହା କେତେଦୂର କାର୍ଯ୍ୟ କରିବ ଓ ମହିଳାମାନେ କେତେ ଲାଭବାନ ହେବେ ତାହା ସନ୍ଦେହ ଘେରରେ ରହିଛି।