ନୂଆପଡ଼ା,୧୩/୧୦: ବିଜେଡି ଆଶାୟୀ ପ୍ରାର୍ଥୀ ତଥା ସ୍ୱର୍ଗତ ରାଜେନ୍ଦ୍ର ଢ଼ୋଲକିଆଙ୍କ ପୁଅ ଜୟ ଢୋଲକିଆ ବିଜେପିରେ ମିଶିବା ପରେ ରାଜନୈତିକ ଗଣିତ ଓଲଟପାଲଟ ହୋଇଯାଇଛି । ନୂଆପଡ଼ାରେ ଏବେ ଆରମ୍ଭ ହୋଇଛି ନୂଆ ଡ୍ରାମା । ସୋମବାରଠୁ ପ୍ରାର୍ଥୀପତ୍ର ଦାଖଲ ଆରମ୍ଭ ହେଉଥିବା ବେଳେ ବିଜେଡି ପ୍ରାର୍ଥୀ କିଏ ଚୂଡ଼ାନ୍ତ ହୋଇପାରିନି। ଆଜି ନୂଆପଡ଼ା ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ। ଅକ୍ଟୋବର ୨୦ ଯାଏ ଚାଲିବ ନାମାଙ୍କନ ପ୍ରକ୍ରିୟା। ୨୧ ତାରିଖରେ ପ୍ରାର୍ଥିପତ୍ର ଯାଞ୍ଚ କରାଯିବା। ୨୩ରେ ପ୍ରାର୍ଥୀ ପତ୍ର ପ୍ରତ୍ୟାହାର କରିପାରିବେ । ତା ପରେ ପ୍ରକାଶ ପାଇବ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା । ନଭେମ୍ବର ୧୧ରେ ମତଦାନ କରାଯିବ। ୧୪ ତାରିଖରେ ଆସିବ ନିର୍ବାଚନ ରେଜଲ୍
ଏବେ ବିଜେଡିରୁ ୪ ଜଣ ଆଶାୟୀ ପ୍ରାର୍ଥୀ ଭାବେ ସାମ୍ନାକୁ ଆସିଛନ୍ତି । ସେମାନେ ହେଲେ ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ ମନୋଜ ମିଶ୍ର, ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ସଭାପତି ଭାନୁପ୍ରତାପସିଂ ମାଝି, ନୂଆପଡ଼ା ଏନଏସି ଅଧ୍ୟକ୍ଷ ମହମ୍ମଦ ଆଦମ ଓ ପୂର୍ବତନ ବିଜେଡି ଯୁବ ସଭାପତି ହରିଶ୍ଚନ୍ଦ୍ର ପଣ୍ଡା ।
ସେପଟେ ଭୁବନେଶ୍ୱରରେ ବିଜେପି କୋର୍ କମିଟି ବୈଠକ ବସି ଉପନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ ହୋଇଛି । ନିର୍ବାଚନ ପରିଚାଳନା ପାଇଁ ନେତାମାନଙ୍କୁ ଦାୟିତ୍ୱ ବଣ୍ଟନ କରାଯାଇଛି । ବିଜେପିରୁ ଜୟ ଢ଼ୋଲକିଆ ପ୍ରାର୍ଥୀ ହେବା ଏକରକମ ଚୂଡ଼ାନ୍ତ ହୋଇଥିବା ବେଳେ ସଂସଦୀୟ କମିଟି ନିଷ୍ପତ୍ତିକୁ ଅପେକ୍ଷା କରାଯାଇଛି । ଜୟ ବିଜେପି ପ୍ରାର୍ଥୀ ହେଲେ ପଦ୍ମ ଶିବିରରେ ଟିକଟ୍ ଆଶାୟୀ କିଛି ନେତା ଅସନ୍ତୁଷ୍ଟ ଥିବା ଜଣାପଡ଼ିଛି । ଏହି ନେତାମାନଙ୍କୁ ବୁଝାଇବାକୁ ଦଳ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି । ପ୍ରାର୍ଥୀ ଯିଏ ହେଉନା କାହିଁକି ନୂଆପଡ଼ାର ସବୁ ବିଜେପି ନେତା ଏକାଠି ଲଢ଼ିବାକୁ ରବିବାର ବୈଠକରେ ନିଷ୍ପତ୍ତି ହୋଇଛି । ବିଜେପିରୁ ଟିକଟ ଆଶାୟୀ ଜଣେ ନେତା ବିଜେଡ଼ି ସହ ଯୋଗାଯୋଗରେ ଥିଲେ । ତାଙ୍କ ମନ କିଣିବାକୁ ଦଳ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି ।
ସେପଟେ ଜୟ ଢ଼ୋଲକିଆ ବିଜେପିରେ ଯୋଗ ଦେବା ପରେ କଂଗ୍ରେସ ଶିବିର ଉତ୍ସାହିତ ହୋଇ ପଡ଼ିଛି । କଂଗ୍ରେସ ପ୍ରାର୍ଥ ଘାସିରାମ ମାଝୀ ଆଜି ଜିଲ୍ଲା ଗୋଣ୍ଡ ସମାଜ ବୈଠକରେ ଯୋଗ ଦେଇ କାନ୍ଦି କାନ୍ଦି ଭୋଟ୍ଭିକ୍ଷା କରିଛନ୍ତି । ସେପଟେ ପିସିସି ସଭାପତି ଭକ୍ତଚରଣ ଦାସ ଉଭୟ ବିଜେଡ଼ି-ବିଜେପି ମଧ୍ୟରେ ଡିଲ୍ ହୋଇଛି ବୋଲି କହି ବର୍ଷିଛନ୍ତି । ଏଥି ସହ ବିଜେଡ଼ି ଭୋଟ୍ କଂଗ୍ରେସ ପଟକୁ ଆସିବ ବୋଲି ଆଶାବାଦୀ ହୋଇଛନ୍ତି । ଏପରିକି ବିଜେପି ଅସନ୍ତୁଷ୍ଟ ଗୋଷ୍ଠୀର ସବୁ ଭୋଟ୍ କଂଗ୍ରେସ ନେବ ବୋଲି ଆକଳନ କରିଛନ୍ତି ।
ବିଜେଡିର ଆଶାୟୀଙ୍କ ମଧ୍ୟରୁ ପୂର୍ବତନ ବିଜେଡି ଜିଲ୍ଲା ସଭାପତି ତଥା କୋମନା ବ୍ଲକ ପୂର୍ବତନ ଅଧ୍ୟକ୍ଷ ମନୋଜ ମିଶ୍ର ବର୍ତ୍ତମାନ ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ ଦାୟିତ୍ୱରେ ଅଛନ୍ତି । ୨୦୨୪ ନିର୍ବାଚନରେ ଖଡ଼ିଆଳ ବିଧାୟକ ଓ ପଞ୍ଚାୟତ ନିର୍ବାଚନରେ ବିଜୟରେ କର୍ଣ୍ଣଧାର ସାଜିଥିଲେ । ଏବେ ମନୋଜଙ୍କୁ ଡାକରା ହେବାରୁ ସେ ଭୁବନେଶ୍ୱର ଗସ୍ତ କରିଛନ୍ତି । ୧୯୯୨ରୁ ଜନତା ଦଳ ପାଇଁ ନିଷ୍ଠାପର ଭାବେ କାମ କରିଛି । ବିଜେଡିର ସଚ୍ଚୋଟ କାର୍ଯ୍ୟକର୍ତ୍ତା ରହିଛି । ବିଜେଡି ଯାହା ନିର୍ଦ୍ଦେଶ କରିବ, ସେହି ହିସାବରେ ଚାଲିବି । ମୁଁ ଆଶାୟୀ ନୁହେଁ, କିନ୍ତୁ ଦଳ ଚାହିଁଲେ ନିର୍ବାଚନ ଲଢ଼ିବି ବୋଲି ମନୋଜ କହିଛନ୍ତି ।
ବିଜେଡ଼ି ଜିଲ୍ଲା ଉପସଭାପତି ତଥା ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ଭାନୁପ୍ରତାପସିଂ ମାଝୀ ଅନ୍ୟତମ ଆଶାୟୀ ତାଲିକାରେ ଅଛନ୍ତି । ସେ ଦୁଇଥର ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ନିର୍ବାଚିତ ହୋଇଛନ୍ତି । ବର୍ତ୍ତମାନ ଜିଲ୍ଲା ପରିଷଦ ସଭ୍ୟ ଅଛନ୍ତି । ସେ ସ୍ୱର୍ଗତ ଘାସିରାମ ମାଝିଙ୍କ ପୁତୁରା । ଟିକଟ ଆଶାରେ ଭାନୁପ୍ରତାପ ଭୁବନେଶ୍ୱରରେ ଅଛନ୍ତି । ଆଦିବାସୀଙ୍କୁ ବିଜେଡି ସର୍ବଦା ସମ୍ମାନ ଦେଇଛି । ତାଙ୍କୁ ପ୍ରାର୍ଥୀ କଲେ ସେ ନିଶ୍ଚୟ ଲଢ଼ିବେ ବୋଲି ଭାନୁପ୍ରତାପ କହିଛନ୍ତି ।
ନୂଆପଡ଼ା ଏନଏସି ଅଧ୍ୟକ୍ଷ ମହମ୍ମଦ ଆଦମ ବି ଆଶାୟୀ ତାଲିକାରେ ରହିଛନ୍ତି । ୨୦୨୨ରେ ସ୍ୱାଧୀନ ପ୍ରାର୍ଥୀ ଭାବେ ଏନଏସି ଅଧ୍ୟକ୍ଷ ନିର୍ବାଚିତ ହୋଇଥିଲେ । ବିଜେପି ପ୍ରାର୍ଥୀ ଅଭିନନ୍ଦନ ପଣ୍ଡା ଓ ବିଜେଡ଼ି ପ୍ରାର୍ଥୀ କ୍ଷିତିଶ ଅଶୋକ ବୋଧନକରଙ୍କୁ ପରାସ୍ତ କରିଥିଲେ । ବିଜେଡି ଟିକଟ ମିଳିଲେ ନିଶ୍ଚୟ ନିର୍ବାଚନ ଲଢିବି । ଅନ୍ୟ କେହି ପ୍ରାର୍ଥୀ ହେଲେ ବି ଆମେ ସମର୍ଥନ କରିବୁ ବୋଲି ଆଦମ କହିଛନ୍ତି ।
ପୂର୍ବତନ ଯୁବ ବିଜେଡି ଜିଲ୍ଲା ସଭାପତି ହରିଶ୍ଚନ୍ଦ୍ର ପଣ୍ଡା ମଧ୍ୟ ଆଶାୟୀ ପ୍ରାର୍ଥୀ ତାଲିକାରେ ରହିଛନ୍ତି । ସେ କଳାହାଣ୍ଡି ପୂର୍ବତନ ସାଂସଦ ବସନ୍ତ ପଣ୍ଡାଙ୍କ ପୁତୁରା । ଏବେ ବିଜେଡି ହରିଶ୍ଚନ୍ଦ୍ରଙ୍କୁ ଟିକଟଦେଇ ପୁଣି ମାଷ୍ଟର ଷ୍ଟ୍ରୋକ ଖେଳିପାରେ କି ବୋଲି ଚର୍ଚ୍ଚା ହେଉଛି । ଦଳ ତାଙ୍କ ଉପରେ ବିଶ୍ୱାସ ଓ ଭରସା କରି ପ୍ରାର୍ଥୀ କଲେ ସେ ନିଶ୍ଚୟ ଆଶା ପୂରଣ କରିବେ ବୋଲି ହରିଶ୍ଚନ୍ଦ୍ର କହିଛନ୍ତି ।