ଭୁବନେଶ୍ୱର ୨୩/୦୯: ଗତ ୧୫ ତାରିଖରେ ବିଶ୍ୱସ୍ତରରେ ମୁକ୍ତିଲାଭ କରିଛି ତେଲୁଗୁ  ଫିଲ୍ମ ‘ମିରାଈ’ । ତାମିଲ, ହିନ୍ଦୀ, ମାଲାୟାଲମ୍‌, କନ୍ନଡ଼, ମରାଠୀ  ଓ ବଙ୍ଗଳା ଭାଷାରେ ମୁକ୍ତିଲାଭ କରି ଏହା ଦର୍ଶକୀୟ ଆଦୃତି  ପାଇଛି । ଏହି ଫାଣ୍ଟାସି ଆକ୍ସନ୍‌-ଆଡ୍‌ଭେନ୍‌ଚର ଫିଲ୍ମରେ ମୁଖ୍ୟ ନାୟକ ଭୂମିକାରେ ଅଭିନୟ କରିଛନ୍ତି ତେଜା ସଜ୍ଜା ।  ତାଙ୍କ ପ୍ରେମିକା ଭୂମିକାରେ ସ୍କ୍ରିନ୍‌ ଶେୟାର କରିଛନ୍ତି ଚାର୍ମିଂ ଗର୍ଲ ରିତିକା ନାୟକ ।

ଦିଲ୍ଲୀରେ ଜନ୍ମିତ ଓ ବଢ଼ିଥିବା ରିତିକା ଜଣେ ଓଡ଼ିଆ ଝିଅ । ୨୦୧୯ରେ କଲେଜ ଅଧ୍ୟୟନ ସମୟରେ ସେ ମନୋରଞ୍ଜନ ଜଗତରେ ଏଣ୍ଟ୍ରି  କରିଥିଲେ । ଜଣେ ମଡେଲ ଭାବେ କ୍ୟାରିଅର୍‌  ଆରମ୍ଭ କରି ଅନେକ ଉଲ୍ଲେଖଯୋଗ୍ୟ ଟାଇଟଲ  ହାସଲ କରିଥିଲେ । ତନ୍ମଧ୍ୟରେ ଦିଲ୍ଲୀ ଟାଇମ୍ସ ଫ୍ରେଶ୍‌ ଫେସ୍‌ ସିଜନ୍‌-୧୨ ଓ ମିସ୍‌ ଡିଭା-୨୦୨୦ ଅନ୍ୟତମ । ୨୦୨୨ରେ ମୁକ୍ତିଲାଭ କରିଥିବା ରୋମାଣ୍ଟିକ୍‌ କମେଡି ଫିଲ୍ମ ‘ଅଶୋକା  ବନମ୍‌ଲୋ ଅର୍ଜୁନ କଲ୍ୟାଣମ୍‌’ ଜରିଆରେ ରିତିକା ସିନେ ଦୁନିଆରେ ଏଣ୍ଟ୍ରି କରିଥିଲେ । ଫିଲ୍ମରେ ବସୁଧା ଭୂମିକା ଜରିଆରେ ସେ ରାତାରାତି ଲୋକପ୍ରିୟ ହୋଇଥିଲେ । ଏହି ଭୂମିକା ପାଇଁ ତାଙ୍କୁ ଦକ୍ଷିଣ ଭାରତର ସବୁଠୁ ସମ୍ମାନାସ୍ପଦ ଆୱାର୍ଡ ଶୋ’  ଏସ୍‌ଆଇଆଇଏମ୍‌ଏରେ ଶ୍ରେଷ୍ଠ ନବାଗତ ଅଭିନେତ୍ରୀ ସମ୍ମାନ ପାଇଁ ନୋମିନେଟ୍‌ କରାଯାଇଥିଲା ।

୨୦୨୩ରେ ଆସିଥିବା ହିଟ୍‌  ଫିଲ୍ମ ‘ହାଇ ନାନା’ରେ ରିତିକାଙ୍କ ଝଲକ୍‌ ମଧ୍ୟ ରହିଥିଲା ।  ‘ମିରାଈ’ ହିଟ୍‌ ହେବା ପରେ ରିତିକାଙ୍କୁ ନେଇ ଏବେ  ଭାରତୀୟ ସିନେ ଇଣ୍ଡଷ୍ଟ୍ରିରେ ଖୁବ୍‌ ଚର୍ଚ୍ଚା । ତାଙ୍କ ଲୁକ୍‌  ଓ ଅଭିନୟକୁ ଉଭୟ ଦର୍ଶକ ଓ ସମୀକ୍ଷକମାନେ ଖୁବ୍‌  ପ୍ରଶଂସା କରୁଛନ୍ତି । ନିକଟରେ ଫିଲ୍ମର  ପ୍ରମୋଶନ୍‌ ପାଇଁ ଷ୍ଟାର୍‌-କାଷ୍ଟ୍‌ଙ୍କ ସହ  ସେ ‘ଦ ଗ୍ରେଟ୍‌ ଇଣ୍ଡିଆନ୍‌ କପିଲ  ଶୋ’କୁ ଆସିଥିଲେ । ତାଙ୍କ ଅପ୍‌କମିଙ୍ଗ ପ୍ରୋଜେକ୍ଟରେ ଅଛି ତେଲୁଗୁ-ତାମିଲ ଫିଲ୍ମ ‘ଡୁଏଟ୍‌’ ଏବଂ ତେଲୁଗୁ ଫିଲ୍ମ ‘ଭିଟି-୧୫’ ।