ଭୁବନେଶ୍ବର,୧୪/୦୯: କୌଣସି ଯୋଗ୍ୟ ହିତାଧିକାରୀ ସୁଭଦ୍ରା ସହାୟତାରୁ ବଞ୍ଚିତ ହେବେ ନାହିଁ । ‘ ସୁଭଦ୍ରା ଅଭିଯୋଗ ସମାଧାନ ମଡ୍ୟୁଲ’ ଯୋଜନାର ପାରଦର୍ଶିତା, ଉତ୍ତରଦାୟିତ୍ୱ ଏବଂ ସମୟୋଚିତ ନିଷ୍ପତ୍ତିକୁ ସୁନିଶ୍ଚିତ କରିବ । ସୋମବାର ‘ସୁଭଦ୍ରା ଅଭିଯୋଗ ସମାଧାନ ମଡ୍ୟୁଲ’ର ଶୁଭାରମ୍ଭ କରି ଏଭଳି ମତ ରଖିଛନ୍ତି ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା । ସୁଭଦ୍ରା ଯୋଜନାରେ ଏହି ମଡ୍ୟୁଲ ଅଭିଯୋଗ ସମାଧାନ ପ୍ରକ୍ରିୟାକୁ ଆହୁରି ସୁଦୃଢ ଓ ସୁଗମ କରିବ ।
ଏହି ମଡ୍ୟୁଲ୍ ମାଧ୍ୟମରେ ସୁଭଦ୍ରା ଆବେଦନକାରୀମାନଙ୍କ ଅଭିଯୋଗ ଯଥା ଆବେଦନ, ପ୍ରତ୍ୟାଖ୍ୟାନ, ସୁଭଦ୍ରା ସହାୟତା ନ ମିଳିବା, ଆଦି ବିଷୟରେ ଶୀଘ୍ର ତଦନ୍ତ କରାଯାଇ ନିଷ୍ପତ୍ତି ଗ୍ରହଣ କରାଯିବ। ସୁଭଦ୍ରା ପୋର୍ଟାଲରେ ଅନଲାଇନ ମାଧ୍ୟମରେ କିମ୍ବା ବିଭିନ୍ନ ସରକାରୀ ସ୍ତରରେ ଅଫଲାଇନ ମାଧ୍ୟମରେ ଆସିଥିବା ଅଭିଯୋଗ ଗୁଡିକ ପ୍ରଥମ ପର୍ଯ୍ୟାୟରେ ବ୍ଲକ୍ ସ୍ତରୀୟ ସ୍କୃଟିନି କମିଟି କିମ୍ବା ନଗର ସ୍ତରୀୟ ସ୍କୃଟିନି କମିଟି ନିକଟରେ ଦାଖଲ କରାଯିବ । ଆବଶ୍ୟକ ପଡିଲେ, ଏହି କମିଟି ଅଭିଯୋଗ ପତ୍ରଗୁଡ଼ିକୁ କ୍ଷେତ୍ରସ୍ତରୀୟ ଯାଞ୍ଚ ପାଇଁ ପଠାଇବେ । କମିଟିର ରିପୋର୍ଟ ରିପୋର୍ଟ ଆଧାରରେ ଆବେଦନକାରୀଙ୍କ ଯୋଗ୍ୟତା ବିଷୟରେ ନିଷ୍ପତ୍ତି ନିଆଯିବ । ଏହା ପରେ କମିଟି, ଯାଞ୍ଚ ରିପୋର୍ଟ ସହ ଜିଲ୍ଲା ସ୍ତରୀୟ ସ୍କୃଟିନି କମିଟି କିମ୍ବା ନଗର ନିଗମ ସ୍ତରୀୟ ସ୍କୃଟିନି କମିଟି ପାଖକୁ ପଠାଇବେ । ଜିଲ୍ଲା କିମ୍ବା ନଗର ନିଗମ ସ୍ତରରେ ଅନୁମୋଦନର ଶେଷ ନିଷ୍ପତ୍ତି ନିଆଯିବ । ହିତାଧିକାରୀମାନେ ସୁଭଦ୍ରା ୱେବ ପୋର୍ଟାଲରେ ସେମାନଙ୍କର ଅଭିଯୋଗର ସ୍ଥିତି ସମ୍ପର୍କରେ ସୂଚନା ପାଇପାରିବେ ।
ସୂଚନାଯୋଗ୍ୟ ଯେ ବର୍ତ୍ତମାନ ସୁଦ୍ଧା, ସୁଭଦ୍ରା ଯୋଜନାରେ ୧,୦୯,୮୭,୮୯୪ ଆବେଦନ ପଞ୍ଜୀକୃତ ହୋଇଛି । କୋଟିଏରୁ ଅଧିକ ମହିଳା ଏହି ଯୋଜନା ମାଧ୍ୟମରେ ସାମିଲ ହୋଇ ଲାଭାନ୍ୱିତ ହୋଇସାରିଛନ୍ତି । ଏହାଛଡ଼ା ଏଯାବତ ସୁଭଦ୍ରା ପୋର୍ଟାଲରେ ୨,୮୩,୨୬୪ ଅଭିଯୋଗ ବିଚାରାଧୀନ ରହିଛି । ଯାହାର ସମାଧାନ ଅଭିଯୋଗ ସୁଭଦ୍ରା ସମାଧାନ ମଡ୍ୟୁଲ୍ ମାଧ୍ୟମରେ ସମ୍ପନ୍ନ କରାଯିବ । ତେବେ ଏହି କାର୍ଯ୍ୟକ୍ରମରେ ମହିଳା ଓ ଶିଶୁ ବିକାଶ ବିଭାଗର ନିର୍ଦ୍ଦେଶକ ମୋନିଷା ବାନାର୍ଜୀ, ଓକାକର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରଦୀପ କୁମାର ରାଉତ, ବିଭାଗୀୟ ଅତିରିକ୍ତ ଶାସନ ସଚିବ କୃତ୍ତିବାସ ରାଉତ ଓ ବିଶିଷ୍ଟ ଅଧିକାରୀବୃନ୍ଦ ଉପସ୍ଥିତ ଥିଲେ ।