ଭୁବନେଶ୍ୱର,୧୨/୧୦: ପୂର୍ବରୁ ଆମେ ମାଛ ପାଇଁ ଅନ୍ୟ ରାଜ୍ୟ ଉପରେ ନିର୍ଭର କରୁଥିଲୁ । ଏବେ ବି ମାଛ ପାଇଁ ଆନ୍ଧ୍ର ଉପରେ ନିର୍ଭର କରୁଛୁ । ହେଲେ ଆଗାମୀ ଦିନରେ ଓଡ଼ିଶାକୁ ପୂର୍ବ ଭାରତରେ ମାଛଚାଷର ହବ୍‌ ଭାବେ ପରିଣତ କରାଯିବ । ଆମେ ମାଛ ପାଇଁ ଅନ୍ୟ ରାଜ୍ୟ ଉପରେ ନିର୍ଭର ନ କରି ସ୍ୱାବଲମ୍ବୀ ହେବୁ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି । ଶନିବାର ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ପ୍ରଧାନମନ୍ତ୍ରୀ ଧନ ଧାନ୍ୟ କୃଷି ଯୋଜନା’ର ଆରମ୍ଭ କରିଥିବା ବେଳେ ଓୟୁଏଟି କୃଷି ସଦନରେ ରାଜ୍ୟସ୍ତରୀୟ ଉତ୍ସବ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ, ଆଜି ବି ଆମ ଦେଶ ଡାଲି ଏବଂ ଖାଇବା ତେଲ ପାଇଁ ବିଦେଶ ଉପରେ ନିର୍ଭରଶୀଳ । ତେବେ ‘ପ୍ରଧାନମନ୍ତ୍ରୀ ଧନ ଧାନ୍ୟ କୃଷି ଯୋଜନା’ ଦ୍ୱାରା ଡାଲି ଜାତୀୟ ଫସଲ ଉତ୍ପାଦନ ବଢ଼ିବ । ବିଦେଶ ଉପରେ ନିର୍ଭରଶୀଳତା ହ୍ରାସ ପାଇବ । ଏହି ଯୋଜନା ଦ୍ୱାରା ଚାଷୀ ପରିବାର ସ୍ୱଚ୍ଛଳ ହେବେ । ସେମାନଙ୍କ ଆୟରେ ନିଶ୍ଚିତ ଭାବେ ବୃଦ୍ଧି ହେବ । ଏହି କାର୍ଯ୍ୟକ୍ରମରେ ଓଡ଼ିଶାର କନ୍ଧମାଳ, ମାଲକାନଗିରି, ସୁନ୍ଦରଗଡ ଏବଂ ନୂଆପଡ଼ାକୁ ଚୟନ କରିଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଥିଲେ ମୁଖ୍ୟମନ୍ତ୍ରୀ । 

ମୁଖ୍ୟମନ୍ତ୍ରୀ କହିଥିଲେ, ପ୍ରଧାନମନ୍ତ୍ରୀ ଶିଳାନ୍ୟାସ କରିଥିବା ସମନ୍ୱିତ ଆକ୍ୱା ପାର୍କ ଏବଂ ହୋଲସେଲ୍‌ ମାଛ ବିକ୍ରୟ କେନ୍ଦ୍ର ପ୍ରକଳ୍ପ ଉତ୍ପାଦନ ପରେ ପ୍ରସ୍ତୁତି ଓ ବିପଣନ ପର୍ଯ୍ୟନ୍ତ ଏକ ଭେଲ୍ୟୁ ଚେନ୍‌ ସୃଷ୍ଟି କରିବ । ଭାରତର ନୀଳ ବିପ୍ଲବରେ ଓଡ଼ିଶା ଅଗ୍ରଣୀ ରାଜ୍ୟ ହେବ । ଭୁବନେଶ୍ୱରର ପାଣ୍ଡରା ହୋଲସେଲ୍‌ ମାଛ ମାର୍କେଟ ପ୍ରକଳ୍ପ ୫୯ କୋଟି ୧୩ ଲକ୍ଷ ଟଙ୍କା ବିନିଯୋଗରେ ନିର୍ମାଣ ହେବ । ଏଥିରେ କେନ୍ଦ୍ର ସରକାର ୩୦ କୋଟି ଟଙ୍କା ଓ ରାଜ୍ୟ ସରକାର ୨୯ କୋଟି ୧୩ ଲକ୍ଷ ଟଙ୍କା ଖର୍ଚ୍ଚ କରିବେ । ଏହି ମାର୍କେଟ ସିଧାସଳଖ ୧୪୩ ବ୍ୟବସାୟୀଙ୍କୁ ଉପକୃତ କରିବ । ୨ହଜାରରୁ ଅଧିକ ଲୋକଙ୍କ ପାଇଁ ପରୋକ୍ଷ ରୋଜଗାର ମଧ୍ୟ ସୃଷ୍ଟି ହେବ । ଏହା ଭୁବନେଶ୍ୱର ସହିତ କଟକର ଖାଉଟିମାନଙ୍କ ଚାହିଦାକୁ ପୂରଣ କରିବ । ପ୍ରକଳ୍ପ କାର୍ଯ୍ୟ ୨୦୨୭ ନଭେମ୍ୱର ସୁଦ୍ଧା ସରିବ । 

ହୀରାକୁଦରେ ୯୫.୪୭ ଏକର ସରକାରୀ ଜମିରେ ଅତ୍ୟାଧୁନିକ ସମନ୍ୱିତ ଆକ୍ୱା ପାର୍କ ନିର୍ମିତ ହେବ । ଯାହା ଆଧୁନିକ ମତ୍ସ୍ୟ ଚାଷକ୍ଷେତ୍ରକୁ ଆହୁରି ବିକଶିତ କରିବ । ଏଥିରେ ୧୦୦ କୋଟି ଟଙ୍କା ବିନିଯୋଗ ହେବ । କେନ୍ଦ୍ର ସରକାର ୬୦ କୋଟି ଓ ରାଜ୍ୟ ସରକାର ୪୦ କୋଟି ଟଙ୍କା ବିନିଯୋଗ କରିବେ । ଯାହା ପୂର୍ବ ଭାରତର ପ୍ରଥମ ଆକ୍ୱା ପାର୍କ ପ୍ରକଳ୍ପ । ପ୍ରକଳ୍ପର କାର୍ଯ୍ୟ ୨୦୨୭ ଜାନୁଆରୀ ସୁଦ୍ଧା ସରିବ । ଏହି କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ କହିଥିଲେ, ଆଜି ଆମେ ଧାନରେ ଆତ୍ମନିର୍ଭର ହୋଇସାରିଛୁ । କିନ୍ତୁ ଡାଲି ଓ ତୈଳବୀଜରେ ଆତ୍ମନିର୍ଭର ହେବାର ସମୟ ଏବେ ଉପନୀତ । ଏଥି ସହିତ ନୀଳ ଅର୍ଥନୀତିକୁ ମଧ୍ୟ ଗୁରୁତ୍ୱ ଦେବା ଆବଶ୍ୟକ । ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଥିଲେ, ପ୍ରଧାନମନ୍ତ୍ରୀ ଧନ-ଧାନ୍ୟ କୃଷି ଯୋଜନା ଏବଂ ଡାଲି ଜାତୀୟ ଫସଲରେ ଆତ୍ମନିର୍ଭରତା ମିଶନ ଯୁଗାନ୍ତକାରୀ ଯୋଜନା । କାର୍ଯ୍ୟକ୍ରମରେ ସୁନ୍ଦରଗଡ଼ ବିଶ୍ରାରୁ ଆଭାସୀ ମାଧ୍ୟମରେ କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ଯୋଡ଼ି ହୋଇଥିବାବେଳେ, କୃଷି ଶିକ୍ଷା ସଦନରେ ବିଏମ୍‌ସି ମେୟର ସୁଲୋଚନା ଦାସ, ଓୟୁଏଟି କୁଳପତି ଡ.ପ୍ରଭାତ କୁମାର ରାଉଳ, ସମବାୟ ବିଭାଗ କମିଶନର ତଥା ସଚିବ ରାଜେଶ ପ୍ରଭାକର ପାଟିଲ, ଖୋର୍ଦ୍ଧା ଜିଲ୍ଲାପାଳ ଅମ୍ରିତ ଋତୁରାଜ, ବିଏମସି କମିଶନର ଚଞ୍ଚଳ ରାଣା ପ୍ରମୁଖ ଯୋଗ ଦେଇଥିଲେ । କୃଷି ବିଭାଗ ପ୍ରମୁଖ ସଚିବ ଅରବିନ୍ଦ ପାଢ଼ୀ ସ୍ୱାଗତ ଭାଷଣ ଦେଇଥିବା ବେଳେ ମତ୍ସ୍ୟ ବିଭାଗ ନିର୍ଦ୍ଦେଶକ ମହମ୍ମଦ ସାଦିକ୍‌ ଆଲାମ୍‌ ଧନ୍ୟବାଦ ଦେଇଥିଲେ ।