ନୂଆଦିଲ୍ଲୀ,୦୭/୧୦: ଇଭି କମ୍ପାନି ଓଲା  ଇଲେକ୍ଟ୍ରିକ ଦେଶର ପ୍ରଥମ ରେୟାର ଆର୍ଥ ମେଟାଲ  ବିହୀନ ୨ ଚକିଆ ଫେରାଇଟ୍‌ ମୋଟର ବନାଇଛି । ଏହି  ମୋଟରକୁ ସରକାର ମଞ୍ଜୁରି ପ୍ରଦାନ କରିଛନ୍ତି । ଏବେ ଭାରତ ଇଲେକ୍ଟ୍ରିକ ଭେଇକିଲ ମୋଟର ବନାଇବା  ଲାଗି ଚୀନ ଉପରେ ନିର୍ଭର କରୁଛି । ଚୀନ ରେୟାର  ଆର୍ଥ ମେଟାଲ ରପ୍ତାନି ଉପରେ ରୋକ ଲଗାଇଲେ ଭାରତ ଉପରେ ଏହାର ପ୍ରଭାବ ପଡ଼ୁଛି । ଏଭଳି  ସ୍ଥିତିରେ ଓଲା ଇଲେକ୍ଟ୍ରିକର ନୂଆ ଉଦ୍ଭାବନ ଦେଶ ପାଇଁ  ଲାଭ ଆଣିବ । ଚୀନ ଉପରେ ନିର୍ଭରତା କମିବ। ଓଲା  ଇଲେକ୍ଟ୍ରିକ ସୂଚନା ମୁତାବକ, କମ୍ପାନିର ତାମିଲନାଡୁ  ସ୍ଥିତ ଗ୍ଲୋବାଲ ଅଟୋମୋଟିଭ ରିସର୍ଚ୍ଚ ସେଣ୍ଟରକୁ  ଏହି ଉଦ୍ଭାବନ ଲାଗି ସରକାର ପ୍ରମାଣପତ୍ର ପ୍ରଦାନ  କରିଛନ୍ତି ।

ସଡ଼କ ପରିବହନ ମନ୍ତ୍ରଣାଳୟର ଏଆଇଏସ୍‌  ୦୪୧ ନିୟମ ମୁତାବକ, ଓଲାର ଏହି ମୋଟରକୁ  ପରୀକ୍ଷଣ କରାଯାଇଛି । ଅଗଷ୍ଟ ମାସର ସଂକଳ୍ପ  ୨୦୨୫ କାର୍ଯ୍ୟକ୍ରମରେ କମ୍ପାନି ପ୍ରଥମ ଥର ଲାଗି  ଏହି ମୋଟର ଟେକ୍ନୋଲୋଜିକୁ ପ୍ରଦର୍ଶନ କରିଥିଲା ।  ନୂଆ ଫେରାଇଟ୍‌ ମୋଟର ୭ ଏବଂ ୧୧ କିଲୋୱାଟ ଭଳି  ୨ ମଡେଲରେ ଆସିଛି । ଏହା ଉଭୟ କ୍ଷମତା ଏବଂ  ଦୃଢ଼ତା ଦୃଷ୍ଟିକୋଣରୁ ବେଶ ଉନ୍ନତ । ମାତ୍ର ଏହାର  ପରିଚାଳନା ଖର୍ଚ୍ଚ କମ୍‌ । ଯୋଗାଣ ଶୃଙ୍ଖଳ ସମସ୍ୟାକୁ  ଏହା ସମାଧନ କରିବ । ଏହା ଦ୍ୱାରା ଇ-ସ୍କୁଟର  ଉତ୍ପାଦନ ଆହୁରି ଶସ୍ତା ହେବ ।