ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୫ ତମ ଜନ୍ମ ଦିବସ ଅବସରରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଆହ୍ୱାନ କ୍ରମେ ରାଜ୍ୟବ୍ୟାପୀ ଚାଲିଥିବା ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଆୟୋଜିତ ‘ଏକ୍ ପେଡ୍ ମା' କେ ନାମ୍ ୨.୦’ ଅଭିଯାନରେ ଓଡ଼ିଶା ଖଣି ନିଗମ ସାମିଲ ହୋଇ ନିଜ ଖଣି ଓ ଖଣି ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ୧ ଲକ୍ଷ ଚାରା ରୋପଣ କରିଛି I
ଏହି ପରିପ୍ରେକ୍ଷୀରେ ଭୁବନେଶ୍ବର ସ୍ଥିତ ଡ୍ରିଲ୍ କୋର୍ ଲାଇବ୍ରେରୀ ଠାରେ ଆୟୋଜିତ ସାମୂହିକ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଓଏମସିର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ସୁଧାଂଶୁ ମୋହନ ସାମଲ, ଆଇଏଏସ ଏକ ଚାରା ରୋପଣ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ I ଏହି ଅବସରରେ ନିଗମର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ (ଜଙ୍ଗଲ ଓ ପରିବେଶ) ଶ୍ରୀ ସୁଧାଂଶୁ ଶେଖର ଖୋରା, ଆଇଏଫ୍ଏସ, ନିର୍ଦ୍ଦେଶକ (ଅପରେସନ) ଶ୍ରୀ ସବ୍ୟସାଚୀ ମହାନ୍ତି, ନିର୍ଦ୍ଦେଶକ(ମାନବ ସମ୍ୱଳ) ଶ୍ରୀ ଆଲୋକ କୁମାର ପାଲ ଏବଂ ନିର୍ଦ୍ଦେଶକ (ବିତ୍ତ) ଶ୍ରୀ ବନ ବିହାରୀ ପାଣି ପ୍ରମୁଖ ସାମିଲ ହୋଇଥିଲେ I ଏଥିସହ ନିଗମର ବିଭାଗୀୟ ମୁଖ୍ୟ, ବରିଷ୍ଠ ଅଧିକାରୀ ଏବଂ ବହୁ ସଂଖ୍ୟକ କର୍ମଚାରୀ ମାନେ ମଧ୍ୟ ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମରେ ସାମୂହିକ ଭାବେ ଅଂଶଗ୍ରହଣ କରିଥିଲେ I
ଏଥିସହ ନିଗମ ଅନସ୍ଥ ଖଣି ଅଞ୍ଚଳ ଯଥା - ଗୁଆଳୀ, ରୋଇଡା-ସି, ଜିଲିଙ୍ଗ-ଲାଙ୍ଗଲୋଟା, ବାଂଶପାଣି, ଡୁବୁନା ସେକ୍ରାଡିହି, କାଳିଆପାଣି, ଗନ୍ଧମାର୍ଦ୍ଦନ, ଖଣ୍ଡବନ୍ଧ, ବାଙ୍ଗୁର, କୋଡିଙ୍ଗାମାଳି, ସୁକରଙ୍ଗୀ ଖଣି ଏବଂ ଏହାର ପାର୍ଶ୍ବବର୍ତ୍ତୀ ସର୍ବମୋଟ ୨୭ ଟି ସ୍ଥାନରେ ୧ ଲକ୍ଷ ଚାରା ରୋପଣ କରିଛନ୍ତି I ଏହି କାର୍ଯ୍ୟକ୍ରମରେ ଖଣି କ୍ଷେତ୍ରରେ କାର୍ଯ୍ୟରତ ନିଗମର ବହୁ ସଂଖ୍ୟକ କର୍ମଚାରୀ ଓ ସ୍ଥାନୀୟ ଜନସାଧାରଣ ସ୍ୱେଚ୍ଛାକୃତ ଭାବେ ଅଂଶଗ୍ରହଣ କରିଥିଲେ I
ରାଜ୍ୟ ସରକାରଙ୍କ ପରିବେଶ ପ୍ରତି ପ୍ରତିବଦ୍ଧତାକୁ ସମ୍ମାନ ଜଣାଇ ଓଏମସି ପରିବେଶ ସୁରକ୍ଷା ତଥା ସଂରକ୍ଷଣ ପ୍ରତି ନିଜର ଉତ୍ତରଦାୟିତ୍ବକୁ ଦୃଢୀଭୂତ କରିବା ଲକ୍ଷ୍ୟରେ ନିଜର ଖଣି ଓ ଖଣି ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ଚାରା ରୋପଣ କରିଛି। ଓଏମସିର କାର୍ଯ୍ୟକ୍ଷମ ଖଣି କ୍ଷେତ୍ରଗୁଡ଼ିକରେ ୬୦.୦୭୪ ହେକ୍ଟର ଏବଂ ଖଣି ପାର୍ଶ୍ବବର୍ତ୍ତୀ ଅଞ୍ଚଳର ପ୍ରାୟ ୨.୯ କିଲୋମିଟର ପାଖାପାଖ୍ ଜମିରେ ଚାରା ରୋପଣ କରାଯାଇଛି I ନିମ୍ୱ, ଶାଳ, ପିଆଶାଳ, ଅଶୋକ, ହରିଡ଼ା, ବାହାଡ଼ା, ଶିଶୁ, କରଞ୍ଜ, ବାଉଁଶ, ବର ଭଳି ଅନେକ ବୃକ୍ଷର ଚାରା ରୋପଣ କରାଯାଇଛି । ଏଥିସହିତ ଓଉ, ପିଜୁଳି, ପେସ୍ତା ବାଦାମ, ଅଁଳା, ଚାରକୋଳି, ଜାମୁ, କରମଙ୍ଗା, ସିତାଫଳ, ବେଲ, ପଣସ ପ୍ରଭୁତି ଫଳ ଜାତୀୟ ଚାରା ଗୁଡ଼ିକୁ ମଧ୍ୟ ଲଗାଯାଇଛି।
ଦେଶର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ଅବସରରେ ତାଙ୍କର ମିଶନ ଲାଇଫର ପରିକଳ୍ପନାକୁ ବାସ୍ତବିକତାର ରୂପ ଦେବା ପାଇଁ ତଥା ପରିବେଶ ସୁରକ୍ଷା ଓ ଏହାର ସଂରକ୍ଷଣ ପ୍ରତି ଆମର ଦାୟିତ୍ବକୁ ସଚେତନ କରାଇବା ଲକ୍ଷ୍ୟରେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ସାରା ରାଜ୍ୟରେ ଓଡ଼ିଶା ସରକାରଙ୍କ ପକ୍ଷରୁ ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରିବାକୁକୁ ଆହ୍ୱାନ ଦେଇଥିଲେ I ଏହି ଅଭିଯାନରେ ଆମ ରାଜ୍ୟ ଓଡ଼ିଶା ଗୋଟିଏ ଦିନରେ ୭୫ ଲକ୍ଷ ଗଛ ଲଗାଇବାର ଲକ୍ଷ୍ୟ ଧାର୍ଯ୍ୟ କରିଥିଲା I
ଏଠାରେ ସୂଚନାଯୋଗ୍ୟ ଯେ, 'ଏକ ପେଡ ମା କେ ନାମ' କାର୍ଯ୍ୟକ୍ରମ ମାନନୀୟ ପ୍ରଧାନମନ୍ତ୍ରୀ ଗତବର୍ଷ 'ବିଶ୍ବ ପରିବେଶ ଦିବସ' ଅବସରରେ ୫ ଜୁନ ୨୦୨୪ ମସିହାରେ ଏକ ଚାରା ରୋପଣ କରି ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ I ନିଜ ମା’ଙ୍କ ନାମରେ ଗଛ ନାଗରିକମାନଙ୍କୁ ସେମାନଙ୍କ ମା ଏବଂ ପ୍ରକୃତି ମାତା ଉଭୟଙ୍କୁ ଶ୍ରଦ୍ଧାଞ୍ଜଳି ସ୍ବରୂପ ସେମାନଙ୍କ ନାମ ନେଇ ଲଗାଇବାକୁ ଏହି ବୃକ୍ଷରୋପଣ ଅଭିଯାନର ଲକ୍ଷ୍ୟ ରହିଥ୍ଲା I ଏହି ଅଭିଯାନ ଚଳିତ ବର୍ଷ ନିଜର ଦ୍ବିତୀୟ ସଂସ୍କରଣରେ ଅବତୀର୍ଣ୍ଣ ହୋଇଛି I ଏହି ପ୍ରୟାସ ଅଧୀନରେ ଚଳିତ ବର୍ଷ ୫ ଜୁନରୁ ୩୦ ସେପ୍ଟେମ୍ବର ମଧ୍ୟରେ ସାରା ଦେଶରେ ପ୍ରାୟ ୧୦ କୋଟିରୁ ଅଧିକ ଗଛ ଲଗାଇବାକୁ ଲକ୍ଷ୍ୟ ରଖାଯାଇଛି।