ଅନୁଗୁଳ,୯\୧୦ : ଅନୁଗୁଳ​​​​​​​ ସହର ଦେଇ ଯାଇଥିବା ୫୫ନଂ ଜାତୀୟ ରାଜପଥର ପିଟିସି ଫାଟକ ସମ୍ମୁଖରେ ଗୁରୁବାର ଅପରାହ୍ନରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଦୁଇ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଜଣ ଗୁରୁତର ହୋଇଛନ୍ତି । ମୃତକ ହେଲେ, ଆଠମଲ୍ଲିକ ଅଞ୍ଚଳର ବଳଭଦ୍ର ବେହେରାଙ୍କ ପୁଅ ପ୍ରଦୀପ ବେହେରା(୩୦)ଗୁରୁତର ଦ୍ଵୟ ସାଉବଲଣ୍ଡ ଅଞ୍ଚଳର ରାକେଶ ବେହେରା ଓ ସୁମିତ୍‌ ସାହୁଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି

ସୂଚନା ଅନୁସାରେ, ମୃତ ପ୍ରଦୀପ ଏକ ବାଇକରେ ଅନୁଗୁଳ ସହର ପଟୁ କାଳଗକୁ ଛକ ଆଡ଼କୁ ଯାଉଥିଲେ । ପିଟିସି ଫାଟକ ସାମ୍ନାରେ ବିପରୀତ ଦିଗରୁ ଦ୍ରୁତ ଗତିରେ ଆସୁଥିବା ଏକ ବାଇକ୍ ତାଙ୍କୁ ଧକ୍କା ଦେଇଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଉଭୟ ପକ୍ଷର ୩ ଜଣ ଯାକ ଛିଟିକି ପଡ଼ିଥିଲେ । ସ୍ଥାନୀୟ ଲୋକେ ସମସ୍ତଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିସାଳୟରେ ଭର୍ତ୍ତି କରିଥିଲେ । ମାତ୍ର ଏଠାରେ ଡାକ୍ତର ପ୍ରଦୀପଙ୍କୁ ମୃତ ଘୋଷଣା କରିଥିଲେ । ରାକେଶ ଓ ସୁମିତଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ପ୍ରାଥମିକ ଚିକିତ୍ସା ପରେ ଉଭୟକୁ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି।