ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ସେପ୍ଟେମ୍ବର ୨୫ ତାରିଖରେ, ବିଶ୍ୱ ଖାଦ୍ୟ ଭାରତ ୨୦୨୫ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିବେ। ଏହି କାର୍ଯ୍ୟକ୍ରମକୁ ନୂଆଦିଲ୍ଲୀ ସ୍ଥିତ ଭାରତ ମଣ୍ଡପମ୍‌ରୁ ଆରମ୍ଭ କରାଯିବ ବୋଲି ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ମନ୍ତ୍ରଣାଳୟ ଶନିବାର ଘୋଷଣା କରିଛି। ଯେଉଁଥିରେ କେନ୍ଦ୍ରୀୟ ଖାଦ୍ୟ ପ୍ରକ୍ରିୟାକରଣ ମନ୍ତ୍ରୀ ଚିରାଗ ପାସୱାନ ମଧ୍ୟ ଉପସ୍ଥିତ ରହିବେ।

ଏହି ତିନି ଦିନିଆ କାର୍ଯ୍ୟକ୍ରମ ୨୫ରୁ ୨୮ ସେପ୍ଟେମ୍ବର ପର୍ଯ୍ୟନ୍ତ ନୂଆଦିଲ୍ଲୀରେ ଅନୁଷ୍ଠିତ ହେବ। ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ହେଉଛି ଖାଦ୍ୟ ପ୍ରକ୍ରିୟାକରଣ ମୂଲ୍ୟ ଶୃଙ୍ଖଳାରେ ସହଯୋଗ, ନବୀନତା ଓ ନିବେଶକୁ ପ୍ରୋତ୍ସାହନ ଦେଇ ଭାରତକୁ "ବିଶ୍ୱର ଖାଦ୍ୟ କେନ୍ଦ୍ର" ରୂପେ ପ୍ରତିଷ୍ଠିତ କରିବା। ପୂର୍ବ ସଂସ୍କରଣଗୁଡ଼ିକର ସଫଳତାକୁ ଆଧାର କରି, ଏହି କାର୍ଯ୍ୟକ୍ରମ ନୀତି ନିର୍ମାତା, ଶିଳ୍ପ ନେତା, ଉଦ୍ୟୋଗୀ, ନିବେଶକ ଏବଂ ଗବେଷକମାନଙ୍କୁ ଏକତ୍ର କରି ଭାରତର ଦ୍ରୁତ ବିକାଶମାନ ଖାଦ୍ୟ ପ୍ରକ୍ରିୟାକରଣ ଇକୋସିଷ୍ଟମ୍‌ରେ ସୁଯୋଗ ଅନୁସନ୍ଧାନ କରିବ।

ଏହି କାର୍ଯ୍ୟକ୍ରମରେ ବିଶ୍ୱସ୍ତରୀୟ ଚିନ୍ତାବିଦ୍, ନୀତି ନିର୍ମାତା ଓ ଶିଳ୍ପ ବିଶେଷଜ୍ଞମାନଙ୍କ ସହ ଉଚ୍ଚସ୍ତରୀୟ ଅଧିବେଶନ ଓ ପ୍ୟାନେଲ୍ ଆଲୋଚନା ଅନୁଷ୍ଠିତ ହେବ। ଖାଦ୍ୟ ପ୍ରକ୍ରିୟାକରଣ, ପ୍ୟାକେଜିଂ, ଯନ୍ତ୍ରପାତି, ଶୀତଳ ଶୃଙ୍ଖଳା ଓ ସମ୍ପୃକ୍ତ ଶିଳ୍ପଗୁଡ଼ିକରେ ନୂତନ ପ୍ରଯୁକ୍ତି ବ୍ୟବହାର କରାଯିବ। ଏହା ସହିତ, ବିଜନେସ୍-ଟୁ-ବିଜନେସ୍ ଏବଂ ବିଜନେସ୍-ଟୁ-ଗଭର୍ନମେଣ୍ଟ ନେଟୱାର୍କିଂ ଅଧିବେଶନ ରଣନୀତିକ ଭାଗୀଦାରୀକୁ ଅଧିକ ସୁଗମ କରିବ। ଭଳିକି ଭଳି ଖାଦ୍ୟ ଦ୍ରବ୍ୟ ଓ ବିଭିନ୍ନ ଖାଦ୍ୟ ପ୍ରସ୍ତୁତି ପ୍ରତିଯୋଗିତା ଭାରତର ସମୃଦ୍ଧ ଖାଦ୍ୟ ବିବିଧତା ସହ ସ୍ୱାସ୍ଥ୍ୟକର, ଦୀର୍ଘସ୍ଥାୟି ଓ ଭବିଷ୍ୟତମୁଖୀ ଖାଦ୍ୟର ବିଶ୍ୱବ୍ୟାପୀ ଧାରାକୁ ପ୍ରଦର୍ଶନ କରିବ।

ଚଳିତ ବର୍ଷ ନିଉଜିଲ୍ୟାଣ୍ଡ ଓ ସାଉଦି ଆରବକୁ ସହଯୋଗୀ ଦେଶ ଏବଂ ଜାପାନ, ୟୁଏଇ, ଭିଏତନାମ ଓ ରୁଷିଆକୁ ଫୋକସ୍ ଦେଶ ରୂପେ ଏହି କାର୍ଯ୍ୟକ୍ରମରେ ଯୋଗ ଦେବେ। ଯାହା ଦ୍ୱିପାକ୍ଷିକ ସମ୍ପର୍କ ସୁଦୃଢ଼ କରିବା ସହ ଜ୍ଞାନ ବିନିମୟକୁ ବୃଦ୍ଧି କରିବ ଏବଂ ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରରେ ବାଣିଜ୍ୟ ଓ ନିବେଶକୁ ପ୍ରୋତ୍ସାହନ ଦେବ। ଏହି କାର୍ଯ୍ୟକ୍ରମରେ ଦୁଇଟି ଗୁରୁତ୍ୱପୂର୍ଣ୍ଣ ସମାନ୍ତରାଳ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହେବ: ଏଫ୍‌ଏସ୍‌ଏସ୍‌ଏଆଇ ଦ୍ୱାରା ଆୟୋଜିତ ତୃତୀୟ ବିଶ୍ୱ ଖାଦ୍ୟ ନିୟାମକ ସମ୍ମିଳନୀ, ଯାହା ଖାଦ୍ୟ ସୁରକ୍ଷା ମାନକ ଏବଂ ନିୟାମକ ସହଯୋଗ ଉପରେ କେନ୍ଦ୍ରିତ ରହିଛି। ଅନ୍ୟପଟେ ସିଫୁଡ୍ ଏକ୍ସପୋର୍ଟର୍ସ ଏସୋସିଏସନ୍ ଅଫ୍ ଇଣ୍ଡିଆ ଦ୍ୱାରା ଆୟୋଜିତ ୨୪ତମ ଭାରତ ଆନ୍ତର୍ଜାତୀୟ ସିଫୁଡ୍ ଶୋ। ଯାହା ଭାରତର ବର୍ଦ୍ଧିଷ୍ଣୁ ସିଫୁଡ୍ ଆମଦାନୀ ସାମର୍ଥ୍ୟ ଏବଂ ବିଶ୍ୱ ବଜାର ସହ ସଂଯୋଗକୁ ପ୍ରଦର୍ଶନ କରିବ।

ଅନେକ ଦେଶୀୟ ଓ ଆନ୍ତର୍ଜାତୀୟ ପ୍ରଦର୍ଶକଙ୍କ ଅଂଶଗ୍ରହଣ ସହ, ବିଶ୍ୱ ଖାଦ୍ୟ ଭାରତ ୨୦୨୫ କର୍ଯ୍ୟକ୍ରମ ଏକ ବ୍ୟାପକ ଖାଦ୍ୟ ପ୍ରଦର୍ଶନୀ ହେବାକୁ ଯାଉଛି। ୧୧ ସେପ୍ଟେମ୍ବରରେ କେନ୍ଦ୍ରୀୟ ମନ୍ତ୍ରୀ ଚିରାଗ ପାସୱାନ ଭାରତ ମଣ୍ଡପମ୍‌ରେ ଆୟୋଜନର ସମୀକ୍ଷା କରି ସ୍ଥାନୀୟ ବ୍ୟବସ୍ଥା, ଲଜିଷ୍ଟିକ୍ସ, ଷ୍ଟଲ୍ ଯୋଜନା, ସୁରକ୍ଷା ବ୍ୟବସ୍ଥା ଏବଂ ଆନ୍ତର୍ଜାତୀୟ ପ୍ରତିନିଧିଙ୍କ ପାଇଁ ପ୍ରୋଟୋକଲ୍ ଆଦି ଯାଞ୍ଚ କରିଥିଲେ। ସେ ସମସ୍ତ ଅଂଶଗ୍ରହଣକାରୀଙ୍କ ପାଇଁ ବିଶ୍ୱସ୍ତରୀୟ ଅଭିଜ୍ଞତା ନିଶ୍ଚିତ କରିବା ସହ ସୁଗମ ସମନ୍ୱୟ ଏବଂ ଆନ୍ତର୍ଜାତୀୟ ମାନକର ପାଳନ ଉପରେ ଗୁରୁତ୍ୱାରୋପ କରିଥିଲେ।