ନୂଆଦିଲ୍ଲୀ,୧୭/୧୦: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଟାରିଫ୍ ପାଇଁ ଭାରତ-ୟୁଏସ୍ ବାଣିଜ୍ୟିକ ଚୁକ୍ତି ଅଟକିଛି । ହେଲେ ଖୁବଶୀଘ୍ର ଡିଲ୍ ନେଇ ଅନ୍ତିମ ନିଷ୍ପତ୍ତି ଆସିପାରେ । ନେଇ ସଙ୍କେତ ଦେଇଛନ୍ତି କେନ୍ଦ୍ର ବାଣିଜ୍ୟ ମନ୍ତ୍ରୀ ପୀୟୁଷ ଗୋଏଲ । ବାଣିଜ୍ୟ ଆଲୋଚନା ଆଗକୁ ବଢୁଛି । ଚୁକ୍ତି ଉପରେ ଆଲୋଚନା ନେଇ ଭାରତୀୟ ଆଲୋଚନାକାରୀ ଟିମ୍ ୱାଶିଂଟନରେ ଉପସ୍ଥିତ ଅଛନ୍ତି । ଦୁଇ ଦେଶର ପ୍ରତିନିଧି ଦଳଙ୍କ ମଧ୍ୟରେ ଲାଗାତାର ବୈଠକ ଚାଲିଛି ।
ପୀୟୁଷ ଗୋଏଲ ଦେଲେ ଟ୍ରେଡ୍ ଡିଲ୍ ଅପଡେଟ୍ । କେନ୍ଦ୍ର ବାଣିଜ୍ୟ ମନ୍ତ୍ରୀ ପୀୟୁଷ ଗୋଏଲ ନୂଆଦିଲ୍ଲୀରେ ଆୟୋଜିତ ଭାରତ-ବ୍ରାଜିଲ ବାଣିଜ୍ୟିକ ଆଲୋଚନାରେ ସାମିଲ ହୋଇଥିଲେ । ଟାରିଫ୍ ପାଇଁ ଅଟକିଥିବା ଭାରତ-ଆମେରିକା ଡିଲ୍କୁ ନେଇ ସଙ୍କେତ ଦେଇଥିଲେ । ସେ କହିଛନ୍ତି,''ଗତ ୩ ବର୍ଷରେ ଭାରତ ଅନେକ ବିକଶିତ ଦେଶ ସହିତ ମୁକ୍ତ ବାଣିଜ୍ୟ ବୁଝାମଣା (ଏଫଟିଏ) ସ୍ୱାକ୍ଷରିତ କରିଛି । ଆମେ ଆମେରିକା, ୟୁରୋପୀୟ ସଂଘ, ଚିଲି, ନ୍ୟୁଜିଲାଣ୍ଡ ଏବଂ ଓମାନ ସହିତ ସକ୍ରିୟ ରୂପେ ଟ୍ରେଡ ଡିଲ୍ ନେଇ ଆଲୋଚନା କରୁଛୁ । ବ୍ରାଜିଲ ସହିତ ହୋଇଥିବା ଆଲୋଚନା ବାଣିଜ୍ୟ ଚୁକ୍ତିକୁ ବିସ୍ତାର କରିବା ଦିଗରେ ଫୋକସ୍ କରାଯାଉଛି । ଏହା ଭବିଷ୍ୟତରେ ଭାରତ ଓ ଦକ୍ଷିଣ ଆମେରିକା ବଜାରରେ ପ୍ରବେଶକୁ ସହଜ କରିବ । ମୁଖ୍ୟ ଆଲୋଚନାକାରୀ ଏବଂ ବାଣିଜ୍ୟ ସଚିବ ରେଜେଶ ଅଗ୍ରୱାଲଙ୍କ ନେତୃତ୍ୱରେ ଭାରତୀୟ ଟିମ ଆମେରିକା ପ୍ରତିପକ୍ଷଙ୍କ ସହ ଆଲୋଚନା କରୁଛନ୍ତି । ଟ୍ରେଡ୍ ଡିଲ୍ ଉପରେ ଅନ୍ତିମ ନିଷ୍ପତ୍ତି ନେଇ ସେମାନେ ଅକ୍ଟୋବର ୧୭ ଯାଏ ୱାଶିଂଟନରେ ରହିବେ ।''
ବାଣିଜ୍ୟ ତଥ୍ୟ ବ୍ରିଫିଂ ଅନୁସାରେ ଆମେରିକାରୁ ଭାରତର ଶକ୍ତି କ୍ରୟ ୨୨-୨୩ ବିଲିୟନ ଡଲାରରେ ପହଞ୍ଚିଛି । ଆଗକୁ କ୍ରୟ ପାଇଁ ଦେଶ ପାଖରେ ଏବେ ୧୨-୧୩ ଆରବ ଡଲାର ସୁଯୋଗ ରହିଛି । ଚଳିତବର୍ଷ ଫେବୃଆରୀରେ ଭାରତ ଓ ଆମେରିକା ମଧ୍ୟରେ ଦ୍ୱିପାକ୍ଷିକ ବାଣିଜ୍ୟ ଆଲୋଚନା ହେବାକୁ ପ୍ରତିପକ୍ଷଙ୍କୁ ନିର୍ଦ୍ଦେଶ ଥିଲା । ଅକ୍ଟୋବର-ନଭେମ୍ବର ମଧ୍ୟରେ ଆଲୋଚନାର ଅନ୍ତିମ ନିଷ୍ପତ୍ତି ନିଆଯିବ ବୋଲି ଅନୁମାନ କରାଯାଉଥିଲା । ହେଲେ ଭାରତ ଉପରେ ଆମେରିକାର ୫୦ ପ୍ରତିଶତ ଟାରିଫ୍ ଆଲୋଚନାରେ ବ୍ରେକ୍ ଲଗାଇଛି । ୫ ଥର ଆଲୋଚନା ପରେ ବି କୌଣସି ନିଷ୍କର୍ସ ବାହାରି ପାରୁନାହିଁ ।