ବୌଦ୍ଧ,୩୦/୧୦ : ବୌଦ୍ଧ ଥାନା ଅନ୍ତର୍ଗତ ଗିରାସିଙ୍ଗା ଗ୍ରାମରେ ବୁଧବାର ରାତିରେ ଏକ ଅଭାବନୀୟ ଘଟଣା ଘଟି ଯାଇଛି । ଏକ ଜୀବିତ ମହିଳାଙ୍କୁ ମୃତ ଭାବି ପୁଲିସ ରାତି ସାରା ଜଗି ରିହିଥିବାବେଳେ ସକାଳୁ ମହିଳା ଜଣଙ୍କ ଉଠିବାରୁ ପୁଲିସ ଆଶ୍ଚର୍ଯ୍ୟ ହୋଇଯାଇଛି । ପରେ ପୁଲିସ ମହିଳାଙ୍କୁ ଆଣି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛି । ଏଭଳି ଘଟଣା ଏବେ ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି ।

ସୂଚନା ଅନୁସାରେ, ବୌଦ୍ଧ ଥାନା ଗିରିସିଙ୍ଗା ଗ୍ରାମର ଶ୍ରୀକାନ୍ତ ନାୟକ ତାଙ୍କ ସ୍ତ୍ରୀ ଲକ୍ଷ୍ମୀପ୍ରିୟା ନିଖୋଜ ଥିବା ନେଇ ବୁଧବାର ବୌଦ୍ଧ ଥାନାରେ ଅଭିଯୋଗ କରିବାକୁ ଆସିଥିଲେ । ଅଭିଯୋଗ ପାଇବା ପରେ ପୁଲିସର ଏକ ଟିମ୍ ରାତିରେ ଗାଁକୁ ଯାଇ ଖୋଜାଖୋଜି କରିଥିଲେ । ଏହି ସମୟରେ ଏକ ସ୍ଥାନରେ ଜଣେ ମହିଳା ପଡ଼ିଥିବାର ପୁଲିସ ଦେଖିବାକୁ ପାଇଥିଲା । ପୁଲିସ ଲକ୍ଷ୍ମୀପ୍ରିୟା ପଡ଼ିଥିବାର ଜଣିବାକୁ ପାଇଥିଲା । ସେ ମୃତ ବୋଲି ପୁଲିସ ଭାବି ରାତି ସାରା ଜଗି ରହିଥିଲା ।

ବୌଦ୍ଧ ପୁଲିସ ପକ୍ଷରୁ ଗ୍ରାମର ବିଭିନ୍ନ ସ୍ଥାନରେ ଲକ୍ଷ୍ମୀପ୍ରିୟା ନାଏକର ମର୍ଡ଼ର କେସର ତଦନ୍ତରେ କୌଣସି ତଥ୍ୟ ଦେବାକୁ ଚାହୁଁଥିଲେ ପୁଲିସର ଏକ ମୋବାଇଲ ନମ୍ବରରେ ଯୋଗାଯୋଗ କରିବାକୁ ଅନୁରୋଧ କରାଯିବା ସହ ପୁରସ୍କୃତ କରାଯିବା ପାଇଁ ଏକ ନୋଟିସ୍ କାନ୍ଥରେ ମରା ଯାଇଥିଲା । ସକାଳୁ ଏକ ସାଇଣ୍ଟିଫିକ୍ ଟିମ୍ ସେଠାରେ ପହଂଚିବା ବେଳକୁ ଲକ୍ଷ୍ମୀର ଗୋଡ଼ହାତ ହଲିବା ଆରମ୍ଭ କରିଥିଲା। ପୁଲିସ ସେ ଜୀବିତ ଥିବା ଜାଣିପାରି ତୁରନ୍ତ ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲା । ​​​​​​​