ଭୁବନେଶ୍ୱର, ୧/୧୧ : ପ୍ରମେୟ ଓ ନ୍ୟୁଜ୍-୭ ତରଫରୁ ପ୍ରମେୟ ପାର୍ବଣ କୁଇଜ ପୁରସ୍କାର ବିତରଣ ସମାରୋହ ଅନୁଷ୍ଠିତ ହୋଇଯାଇଛି। ସୋଆ କ୍ୟାମ୍ପସ୍-୨ ପ୍ରେକ୍ଷାଳୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସୋଆ ଉପସଭାପତି ଶାଶ୍ଵତୀ ଦାସ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ। ଏହି ଅବସରରେ ସେ କହିଛନ୍ତି ଯେ, ପ୍ରମେୟର ଏହା ଏକ ସାଂସ୍କୃତିକ ଆନ୍ଦୋଳନ। ଗିଭିଙ୍ଗ ବ୍ୟାକ୍ ଟୁ ସୋସାଇଟି ଲକ୍ଷ୍ୟ ନେଇ ଆମେ ବିଭିନ୍ନ କାର୍ଯ୍ୟକ୍ରମ କରୁଛୁ। ପାଠକଙ୍କ ବିନା ଆମେ ଅଧୁରା। ପାର୍ବଣ କୁଇଜ ବିଜେତାଙ୍କୁ ଅଭିନନ୍ଦନ, ସମସ୍ତେ ଏହିଭଳି ପ୍ରମେୟ ଓ ନ୍ୟୁଜ୍-୭ ପ୍ରତି ଭଲ ପାଇବା ରଖନ୍ତୁ।
ସେହିପରି ଗ୍ରୁପ୍ ସିଈଓ ସୁନୀଲ ଦାସ ଅତିଥି ଭାବେ ଯୋଗଦେଇ ପ୍ରତିଯୋଗୀଙ୍କୁ ଅଭିନନ୍ଦନ ଜଣାଇବା ସହ ଏଭଳି ଭଲ ପାଇବା ଦେବାକୁ କହିଥିଲେ। ସେଲସ୍ ଆଣ୍ଡ ମାର୍କେଟିଂ ମୁଖ୍ୟ ହିମାଂଶୁ ହୋତା କହିଥିଲେ ଯେ, ଆଜି ଏହି ସ୍ବପ୍ନ ସଫଳ ହୋଇଛି। ପାର୍ବଣ କୁଇଜ ପାଇଁ ବହୁ ଦୂର ଦୁରାନ୍ତରୁ ପ୍ରତିଯୋଗୀ ଆସିଛନ୍ତି। ଏଥିରୁ ଜଣାପଡୁଛି ଯେ ପାର୍ବଣ କୁଇଜର କ୍ରେଜ ବଢୁଛି। ଏବର୍ଷ ୩ ଲକ୍ଷ ପ୍ରତିଯୋଗୀ ପାର୍ବଣ କୁଇଜ ସହ ସାମିଲ ହୋଇଥିଲେ। ସେମାନଙ୍କ ମଧ୍ୟରୁ ଶ୍ରେଷ୍ଠ ପ୍ରତିଯୋଗୀଙ୍କୁ ଖୋଜିବା ବହୁତ କଷ୍ଟ ଥିଲା। ଶେଷରେ ଲଟେରୀ ମାଧ୍ୟମରେ ଶ୍ରେଷ୍ଠ ପ୍ରତିଯୋଗୀଙ୍କୁ ଚୟନ କରାଯାଇଥିଲା। ପ୍ରମେୟ କେବଳ ଖବର ପରିବେଷଣ କରେନି, ବରଂ ସାମାଜିକ, ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରି ଲୋକଙ୍କ ସହ ନିକଟତର କରୁଛି।
ସୋଆ ବିଶ୍ୱବିଦ୍ୟାଳୟ ଛାତ୍ର ମଙ୍ଗଳ ଡିନ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ଯୋଗଦେଇ ପ୍ରମେୟର ଏହି ପଦକ୍ଷେପକୁ ପ୍ରଶଂସା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପ୍ରମେୟ ପ୍ରସାର ବିଭାଗ ଡିଜିଏମ ଗଜେନ୍ଦ୍ର ଦାସ, ଏଜିଏମ ରମାକାନ୍ତ ମଲିକ ମଧ୍ୟ ଶୁଭେଚ୍ଛା ବାର୍ତ୍ତା ରଖିଥିଲେ। ଏହି ଅବସରରେ ପ୍ରମେୟ ପାର୍ବଣ କୁଇଜରେ ଭାଗ୍ୟବାନ ବିଜେତା ହୋଇଥିବା ୧୦୦ଜଣଙ୍କୁ ପୁରସ୍କୃତ କରାଯାଇଥିଲା। ଏଥିସହ ପୃଷ୍ଠପୋଷକମାନଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା।