ନୂଆଦିଲ୍ଲୀ,୧୪/୦୯:  ସେପ୍ଟେମ୍ବର ୯ରୁ ଏସିଆ କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହୋଇଛି । ହେଲେ ଆଜି ଅସଲ ମୁକାବିଲା ରହିଛି । ସୁପର ସଣ୍ଡେରେ ହାଇଭୋଲ୍ଟେଜ ମ୍ୟାଚ ରହିଛି । ଦୁଇ ପାରମ୍ପରିକ ପ୍ରତିନ୍ଦ୍ବନ୍ଦୀ ଭାରତ-ପାକିସ୍ତାନ ମଧ୍ୟରେ ମହା ମୁକାବିଲା ହେବ । 'ଅପରେସନ୍ ସିନ୍ଦୂର' ପରେ କ୍ରିକେଟ ମୈଦାନରେ ମୁହାଁମୁହିଁ ହେବେ ଦୁଇ ଦଳ । କ୍ରିକେଟ ମୈଦାନରେ ହେଉ ବା ବାହାରେ ଦୁଇ ଦେଶ ମଧ୍ୟରେ ଲଢେଇ ଅଧିକ ଗୁରୁତ୍ୱ ବହନ କରେ । ହେଲେ ଏଥର ଏସିଆ କପରେ ଦୁଇ ଦେଶ ମଧ୍ୟରେ ମ୍ୟାଚକୁ ନେଇ ସେମିତି କିଛି ଉତ୍ସାହ ଦେଖିବାକୁ ମିଳୁନାହିଁ । ଏପ୍ରିଲ ୨୨ରେ ପହଲଗାମ ଆକ୍ରମଣ ହୋଇଥିଲା । ୨୬ ନୀରିହ ଜୀବନ ଯାଇଥିଲା । ଏହାର ପ୍ରତିଶୋଧ ନେବାକୁ ଭାରତ ଅପରେସନ୍ ସିନ୍ଦୂର ଲଞ୍ଚ କରିଥିଲା । ଏହା ପରେ ଦୁଇ ଦେଶ ମଧ୍ୟରେ ମ୍ୟାଚକୁ ତୀବ୍ର ବିରୋଧ କରାଯାଇଛି । ସୋସିଆଲ ମିଡିଆରେ ବୟକଟ ଏସିଆ କପ୍ ଓ ବୟକଟ ଭାରତ ପାକିସ୍ତାନ ମ୍ୟାଚ ଟ୍ରେଣ୍ଡ କରୁଛି । ବାତିଲ ପାଇଁ ଦାବି ପରେ ବି ଆଜି ଦୁଇ ଦେଶ ମଧ୍ୟରେ ଟକ୍କର ହେବ । ତେବେ ଲାଭ ବନାମ ଦେଶପ୍ରେମ ମଧ୍ୟଲେ ଲଢେଇ ହେବାକୁ ଯାଉଛି । ଏସିଆ କପରେ ଭାରତ ପାକିସ୍ତାନ ସହିତ କାହିଁକି ଖେଳୁଛି ଏହା ବଡ଼ ପ୍ରଶ୍ନ ।

ଘନଉଛି ବୟକଟ୍ ଦାବି- ଗତ ଏପ୍ରିଲ ମାସରେ ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ସଂପର୍କ ଅତି ତିକ୍ତ ରହିଥିବା ସତ୍ତେ୍ୱ କ୍ରିକେଟ୍‌ ମଇଦାନରେ ଆଜି ଦୁଇ ଦଳ ମୁହାଁମୁହିଁ ହେବେ । ଏସିଆ କପ୍‌ କ୍ରିକେଟ୍‌ରେ (ଟି-ଟ୍ୱେଣ୍ଟି) ଦୁବାଇରେ ସବୁଠୁ ବଡ଼ ଲଢ଼େଇ ହେବ । ଆଉ ଏହି ଲଢ଼େଇ ଦେଖିବା ପାଇଁ କୋଟି କୋଟି ପ୍ରଶଂସକ ଅପେକ୍ଷା କରି ରହିଛନ୍ତି । ଆଜି ରାତି ୮ଟାରେ ଖେଳାଯିବ ମ୍ୟାଚ୍‌  । ମ୍ୟାଚକୁ ବିରୋଧ କରି ଦେଶର ବିଭିନ୍ନ ସ୍ଥାନରେ ବିକ୍ଷୋଭ ଦେଖିବାକୁ ମିଳିଛି । ପହଲଗାମ୍ ହମଲା ପରେ ଭାରତ କାହିଁକି ପାକିସ୍ତାନ ସହ ମ୍ୟାଚ୍ ଖେଳୁଛି ବୋଲି ପ୍ରଶ୍ନ ଉଠାଇଛନ୍ତି ଅନେକ ଭାରତୀୟ । ଘନଉଛି ବୟକଟ ଦାବି । ରାଜନୈତିକ ଉଷ୍ମତା ଦେଖିବାକୁ ମିଳିଛି  । ରାସ୍ତାକୁ ଓହ୍ଲାଇଲେଣି ଲୋକ । ବଢିଲାଣି ବିରୋଧ । ଟୁର୍ଣ୍ଣାମେଣ୍ଟର ନିୟମ ମାନିବାକୁ ପଡିବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ।

ସାଧାରଣତଃ, ଭାରତ-ପାକିସ୍ତାନ ମ୍ୟାଚ୍ ଆରମ୍ଭ ହେବା ପୂର୍ବରୁ କାର୍ନିଭାଲ୍ ପରି ହୋଇଥାଏ । ଟିକେଟ୍ କାଉଣ୍ଟରରେ ପ୍ରଶଂସକଙ୍କ ଭିଡ଼ ଲାଗେ । ହୋଟେଲ ଲବିଗୁଡ଼ିକ ଗଣମାଧ୍ୟମ ଯୁଦ୍ଧ କ୍ଷେତ୍ରରେ ପରିଣତ ହୁଏ । କିନ୍ତୁ, ଏଥରେ ସେପରି କିଛି ଉତ୍ସାହ ଦେଖିବାକୁ ମିଳୁନାହିଁ । ଶୁକ୍ରବାର ଭାରତର ପ୍ରଶିକ୍ଷଣ ଅଧିବେଶନ ଶାନ୍ତ ଥିଲା । ଷ୍ଟାଣ୍ଡଗୁଡ଼ିକ ଅଧା ଖାଲି ଦେଖିବାକୁ ମିଳିଥିଲା ।  ଅନଲାଇନ୍ ଟିକେଟ୍ ପୋର୍ଟାଲ୍‌ଗୁଡ଼ିକ ଏପର୍ଯ୍ୟନ୍ତ ବିକ୍ରି ହୋଇନାହିଁ ।  ସାଧାରଣ ଚର୍ଚ୍ଚା ପ୍ରତିବାଦରେ ବଦଳିଛି  । ସବୁଠି ମ୍ୟାଚକୁ ବୟକଟ ଦାବି ଗୁଞ୍ଜରଣ ହେଉଛି । 'ଅପରେସନ ସିନ୍ଦୂର' ଏବେ ମୂଲ୍ୟହୀନ ପରି ମନେ ହେଉଛି ବୋଲି ପହଲଗାମ ଆକ୍ରମଣ ପୀଡିତଙ୍କ ପରିବାର ଭାରତ-ପାକିସ୍ତାନ ମ୍ୟାଚ୍ କୁ ବିରୋଧ କରି ଏପରି କହିଛନ୍ତି । ବିଶ୍ୱର ସବୁଠାରୁ ବଡ଼ କ୍ରିକେଟ୍ ପ୍ରତିଦ୍ୱନ୍ଦ୍ୱିତା, ଯାହା ସାଧାରଣତଃ ରେକର୍ଡ ବ୍ରେକର ଦର୍ଶକଙ୍କ ଭିଡ ଲାଗେ । ପଡ଼ିଆ କମ୍ପିଉଠେ ।  ଏଥର ଏହା ବିରୁଦ୍ଧରେ ଭାରତ ଏକତୀତ୍ର ହୋଇଛି ।  ଲାଭ ବନାମ ଦେଶଭକ୍ତି ମଧ୍ୟରେ ଲଢ଼େଇ ହୋଇଛି ।

କାହିଁକି ପାକିସ୍ତାନ ସହ ଖେଳୁଛି ଭାରତ- ପହଲଗା ଆକ୍ରମଣ ପରେ ଭାରତ-ପାକିସ୍ତାନ ମ୍ୟାଚକୁ ବିରୋଧ କରାଯାଉଛି । ତଥାପି ମ୍ୟାଚ ହେବା ନିଶ୍ଚିନ୍ତ । ତେବେ କାହିଁକି ମ୍ୟାଚ ହେବ ?  ଏହାର ଉତ୍ତର ବହୁତ ସରଳ ତାହା ହେଉଛି ଟଙ୍କା । ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ICC) ଏବଂ ଏସୀୟ କ୍ରିକେଟ୍ ପରିଷଦ (ACC) ଜାଣନ୍ତି ଯେ ଭାରତ-ପାକିସ୍ତାନ ମ୍ୟାଚରେ ଟେଲିଭିଜନ ଦର୍ଶକ ଅଧିକ ଥାନ୍ତି । ବିଜ୍ଞାପନ ସ୍ଲଟ୍ ପ୍ରିମିୟମ୍ ହାରରେ କଟାଯାଏ । ପ୍ରାୟୋଜକମାନଙ୍କ ସଂଖ୍ୟା ବଢେ । ୨୦୨୫ ଚାମ୍ପିଅନ୍ସ ଟ୍ରଫିରେ, ଦୁଇଦେଶ ମଧ୍ୟରେ ମୁକାବିଲା ଭାରତୀୟ ଟେଲିଭିଜନରେ ଦର୍ଶକ ୨୬ ବିଲିୟନ ମିନିଟ୍  ସମୟ ଦେଖିବାକୁ ମିଳିଥିଲା । କ୍ରିକେଟ୍ ବୋର୍ଡ ପାଇଁ ଏହା ଗୁରୁତ୍ୱ ବହନ କରେ । କେବଳ ୩ଟି ICC ଟୁର୍ଣ୍ଣାମେଣ୍ଟ ପାଇଁ ମିଡିଆ ଅଧିକାରର ମୂଲ୍ୟ ପ୍ରାୟ ୧,୪୦୦ କୋଟି ଟଙ୍କା । ପ୍ରତ୍ୟେକ ସଦସ୍ୟ ଦେଶ ଭାରତ ବିନା ଶହ ଶହ କୋଟି ରାଜସ୍ୱ ପରିମାଣ ନିଶ୍ଚିତ କରିଛି । ପୂର୍ବରୁ  ICC ସ୍ୱୀକାର କରି ସାରିଛ ଯେ ଜାଣିଶୁଣି ଦୁଇ ଦେଶ ମଧ୍ୟରେ ମୁକାବିଲା କରାଉଛି ।