ଭୁବନେଶ୍ୱର, ୧୦/୯ (ବିଜୟ ମିଶ୍ର): ଭରତପୁର ଜଙ୍ଗଲ ଚନ୍ଦକା ହସ୍ତୀ ଅଭୟାରଣ୍ୟର ଅଂଶବିଶେଷ । ହେଲେ କାଳକ୍ରମେ ଏହା ଚନ୍ଦକା ଜଙ୍ଗଲଠାରୁ ବିଚ୍ଛିନ୍ନ ହେବାରେ ଲାଗିଛି । ଏହି ଜଙ୍ଗଲର ୩ ପଟେ ଘେରିଛି ରାଜଧାନୀ । ଗୋଟିଏ ପଟେ ଏକ ଅଣଓସାରିଆ ହାତୀ ଚଲାପଥ ଚନ୍ଦକା ଜଙ୍ଗଲକୁ ସଂଯୋଗ କରୁଛି । ହେଲେ ସେଇଟି ବି ବନ୍ଦ ହୋଇଯାଇଛି । ଚନ୍ଦକା ଜଙ୍ଗଲକୁ ହାତୀଙ୍କ ଗମନାଗମନ ସୁଗମ କରିବା ଲାଗି ସରକାର ମୁଖ୍ୟ ରାସ୍ତାରେ ୨ଟି ହାତୀ ଅଣ୍ଡରପାସ୍‌ କରିବାକୁ ନିଷ୍ପତ୍ତି ନେଇଥିଲେ । କିନ୍ତୁ ୫ ବର୍ଷ ହେବ ଉକ୍ତ ପ୍ରକଳ୍ପ ଫାଇଲ ତଳେ ଚାପି ହୋଇ ରହିଯାଇଛି । ଫଳରେ ଚାରିପଟ ଅବରୁଦ୍ଧ ଏହି ଜଙ୍ଗଲରେ ଥିବା ହାତୀ ଚିରକାଳ ପାଇଁ ବନ୍ଦୀ ହୋଇଯିବା ଆଶଙ୍କା ଦେଖାଦେଇଛି ।

ପ୍ରାୟ ୨୦ ବର୍ଗକିମି(୫୦୦୦ ଏକର) କ୍ଷେତ୍ରଫଳ ବିଶିଷ୍ଟ ଭରତପୁର ଅଭୟାରଣ୍ୟ ହାତୀମାନଙ୍କ ଅନ୍ତୁଡ଼ିଶାଳ ଭାବେ ପରିଚିତ । ଏହି ଜଙ୍ଗଲରେ ଥିବା ଘନ କଣ୍ଟା ବାଉଁଶ ବଣ ଓ ତାଳ ବଣରେ ଆକର୍ଷିତ ହୋଇ ହାତୀମାନେ ଏଠାକୁ ଆସନ୍ତି । ଜଙ୍ଗଲ ଭିତରେ ମଧ୍ୟ ୩ଟି କ୍ଷୁଦ୍ର ପ୍ରାକୃତିକ ଜଳାଶୟ ରହିଛି । ଆସନ୍ନ ପ୍ରସବା ମାଇ ହାତୀମାନେ ଜନବସତିହୀନ ଏହି ଶାନ୍ତ ସବୁଜିମା ଭିତରେ ଛୁଆ ଜନ୍ମ କରନ୍ତି । ବାଉଁଶ କରଡ଼ି, ପାଚିଲା ତାଳ ଓ ପ୍ରଚୁର ଘାସ ଖାଇ ସୁସ୍ଥ ହୁଅନ୍ତି । ଛୁଆ ବଡ଼ ହେବା ପରେ ଚଲାପଥରେ ହାତୀମାନେ ବାହାରି ମୂଳ ନିବାସକୁ ଚାଲିଯାଆନ୍ତି । ୩୦ ବର୍ଷ ତଳେ ଅନ୍ଧାରୁଆ, ଦାସପୁର, ଗୋଠପାଟଣା, ଘଙ୍ଗାପାଟଣା, କୁଜିମହଲ, ଦେଉଳିଆ ପାଟଣା ଓ ମେଣ୍ଢାଶାଳ ଜଙ୍ଗଲ ଦେଇ ହାତୀମାନେ ନିଦ୍ୱର୍ନ୍ଦ୍ୱରେ ଯିବା ଆସିବା କରୁଥିଲେ । ହେଲେ ଏବେ ସେପଟେ ଘରଦ୍ୱାର, ପାଚେରି ଆଦି ଭର୍ତ୍ତି ହୋଇଗଲାଣି ।

ଇତିମଧ୍ୟରେ ରାମୁହାତୀର ମୃତ୍ୟୁ ପରେ ବନ ବିଭାଗ କର୍ମଚାରୀ ମାଳିମା ଠାକୁରାଣୀଙ୍କ ପୀଠ ନିକଟସ୍ଥ ହାତୀ ଚଲାପଥକୁ ବୁଜି ଦେଇଛନ୍ତି । ହାତୀମାନେ ଭରତପୁରକୁ ଯାତାୟାତ କରିବାକୁ ଗୋଟିଏ ବିକଳ୍ପ ପଥ ରହିଛି । ମାଳିମା ଠାକୁରାଣୀଙ୍କ ହାତୀ ଚଲାପଥ ଠାରୁ ପ୍ରାୟ ୨ କିମି ଉତ୍ତର ସୁନ୍ଦରପୁର ନିକଟରେ ହାତୀମାନେ ପଦାକୁ ବାହାରି ପାରିବେ । ସେଠାରୁ କୁଜିମହଲ ପାହାଡ଼ ଦେଇ ଚନ୍ଦକା-ମଳିପଡ଼ା ରାସ୍ତା ପାର ହୋଇ ଚନ୍ଦକା ଜଙ୍ଗଲରେ ପ୍ରବେଶ କରିପାରିବେ । ହେଲେ ବାଧା ରହିଛି ୨ଟି ଜନଗହଳିପୂର୍ଣ୍ଣ ଓ ପ୍ରବଳ ଗାଡ଼ିମୋଟର ଯାତାୟାତ କରୁଥିବା ୨ଟି ରାସ୍ତା । ଦୁର୍ଘଟଣାର ଭୟ ରହିଛି । ଏହି ସମସ୍ୟାକୁ ଦୂର କରିବା ଲାଗି ୨୦୨୧ରେ ରାସ୍ତାରେ ୩ଟି ହାତୀ ଅଣ୍ଡରପାସ୍‌ କରିବା ଲାଗି ସରକାର ନିଷ୍ପତ୍ତି ନେଇଥିଲେ । ଭରତପୁର ଜଙ୍ଗଲ କଡ଼ ରାସ୍ତା ଖଡ଼ିଖଣି ଠାରୁ ସୁନ୍ଦରପୁର ପର୍ଯ୍ୟନ୍ତ ଗୋଟିଏ ଅଣ୍ଡରପାସ, ଅଭୟାରଣ୍ୟ କଡ଼ ଚନ୍ଦକା-ମଳିପଡ଼ା ରାସ୍ତା କୁଜିମହଲ ନିକଟରେ ଗୋଟିଏ ଏବଂ ବାଙ୍କୀଭୁବନେଶ୍ୱର ରାସ୍ତା ଗୟଳବାଙ୍କ ନିକଟରେ ଗୋଟିଏ ଅଣ୍ଡରପାସ୍‌ ନିର୍ମାଣ ହେବାକୁ ସ୍ଥାନ ଚିହ୍ନଟ ହୋଇଥିଲା । ଏହାଦ୍ୱାରା ଆଠଗଡ଼ ଜଙ୍ଗଲରୁ ମହାନଦୀ ପାର ହୋଇ ଆସୁଥିବା ହାତୀ ଗୟଳବାଙ୍କ ନିକଟରେ ଅଣ୍ଡରପାସ ଦେଇ ଚନ୍ଦକା ଜଙ୍ଗଲକୁ ଯା’ଆସ କରିପାରିବେ । ବାକି ୨ଟି ଅଣ୍ଡରପାସ୍‌ ଭରତପୁର ଅଭୟାରଣ୍ୟ ସହିତ ହାତୀମାନଙ୍କ ଯାତାୟାତକୁ ସୁଗମ କରିବ । ଏଥିରେ ପ୍ରାୟ ୩୦ କୋଟି ଖର୍ଚ୍ଚ ଅଟକଳ ହୋଇଥିଲା । ସେହି ବର୍ଷ ବିଭାଗୀୟ ଯନ୍ତ୍ରୀ ଚିହ୍ନଟ ସ୍ଥାନରେ ପାଇଲିଂ କରି ମାଟି ପରୀକ୍ଷା ପାଇଁ ନେଇଥିଲେ । ହେଲେ କାମ ଆରମ୍ଭ ହେଲା ନାହିଁ । ୪ ବର୍ଷ ହେବ ପ୍ରକଳ୍ପ ଫାଇଲ ନାଲିଫିତା ତଳେ ଦାବି ହୋଇ ରହିଛି । ଫଳରେ ଭରତପୁର ଜଙ୍ଗଲରେ ଥିବା ହାତୀପଲଙ୍କ ଭବିଷ୍ୟତ ଅନ୍ଧାରକୁ ଠେଲି ହୋଇଯାଇଛି । ଏହି ପ୍ରଳଳ୍ପ ଓ ଭରତପୁର ହାତୀଙ୍କ ଦୁର୍ଦ୍ଦଶା ସମ୍ପର୍କରେ ଚନ୍ଦକା ବନଖଣ୍ଡ ଡିଭିଜନ୍‌ ଡିଏଫ୍‌ଓ ବିନୋଦ ଆଚାର୍ଯ୍ୟଙ୍କୁ ଅବଗତ କରିବାରେ ସେ କହିଥିଲେ, ମୁଁ ନୂଆ ଦାୟିତ୍ୱ ଗ୍ରହଣ କରିଛି । ଏହି ପ୍ରକଳ୍ପ ସମ୍ପାଦନ ହେବା ନିହାତି ଆବଶ୍ୟକ । ନଥିପତ୍ର ଯାଞ୍ଚ କରି ଏ ବିଷୟରେ ମୁଁ ସରକାରଙ୍କୁ ଜଣାଇବି ।