ନୂଆଦିଲ୍ଲୀ: ମହାଗଠବନ୍ଧନ ମଧ୍ୟରେ ଆସନ ଭାଗବଣ୍ଟା କୁ ନେଇ ଅଚଳାବସ୍ଥା ଲାଗିରହିଥିବା ମଧ୍ୟରେ ରାଷ୍ଟ୍ରୀୟ ଜନତା ଦଳ (RJD) ସୋମବାର ବିହାର ବିଧାନସଭା ନିର୍ବାଚନ ୨୦୨୫ ପାଇଁ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରିଛି। RJD ମୋଟ୍ ୧୪୩ ଟି ଆସନରେ ନିଜ ପ୍ରାର୍ଥୀ ଦେଇଛି। ଦ୍ୱିତୀୟ ପର୍ଯ୍ୟାୟ ପାଇଁ ନାମାଙ୍କନ ପତ୍ର ଦାଖଲର ଶେଷ ଦିନରେ RJD ଆନୁଷ୍ଠାନିକ ଭାବେ ତାଲିକା ପ୍ରକାଶ କରିଛି।
ଆରଜେଡି ନେତା ତେଜସ୍ୱୀ ଯାଦବ ବୈଶାଳୀ ଜିଲ୍ଲାର ରାଘୋପୁର ବିଧାନସଭା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଏହି ବିଧାନସଭା ନିର୍ବାଚନ ନଭେମ୍ବର ୬ ଏବଂ ୧୧ ତାରିଖରେ ଅନୁଷ୍ଠିତ ହେବ, ନଭେମ୍ବର ୧୪ରେ ଭୋଟ ଗଣତି ଏବଂ ଫଳାଫଳ ଘୋଷଣା ହେବ।
ମହାଗଠବନ୍ଧନ ଭିତରେ ଚାଲିଥିବା ବିବାଦ ଯୋଗୁଁ, ଆରଜେଡି ଏପର୍ଯ୍ୟନ୍ତ ଯାଏ ନିଜର ପ୍ରାର୍ଥୀ ତାଲିକା ଘୋଷଣା କରିନଥିଲା। ୨୦୨୦ ବିଧାନସଭା ନିର୍ବାଚନ ତୁଳନାରେ, ଆରଜେଡି ଏଥର ଗୋଟିଏ କମ୍ ଆସନରେ ପ୍ରତିଦ୍ୱନ୍ଦ୍ୱିତା କରୁଛି। ୨୦୨୦ରେ ଦଳ ୧୪୪ ଆସନରୁ ଲଢୁଥିବା ବେଳେ ୨୦୨୫ରେ ଦଳ ୧୪୩ ଆସନରୁ ନିଜ ପାର୍ଥୀଙ୍କୁ ଠିଆ କରାଇଛି। ତେବେ ଦଳର ଗୁରୁତ୍ୱପୂର୍ଣ୍ଣ(ତାରକା) ପ୍ରାର୍ଥୀଙ୍କ ମଧ୍ୟରେ ରାଘୋପୁରରୁ ତେଜସ୍ୱୀ ଯାଦବ, ମାଧେପୁରାରୁ ଚନ୍ଦ୍ର ଶେଖର, ମୋକାମାରୁ ବୀଣା ଦେବୀ (ସୁରଭନଙ୍କ ପତ୍ନୀ) ଏବଂ ଝାଝାରୁ ଉଦୟ ନାରାୟଣ ଚୌଧୁରୀ ପ୍ରମୁଖ ରହିଛନ୍ତି।
ଅନ୍ୟପଟେ, କଂଗ୍ରେସ ସୋମବାର ବିହାର ବିଧାନସଭା ନିର୍ବାଚନ ପାଇଁ ଆଉ ଛଅ ଜଣ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରିଛି। ଯାହା ଫଳରେ ଦଳ ଦ୍ୱାରା ଘୋଷଣା କରାଯାଇଥିବା ମୋଟ ପ୍ରାର୍ଥୀଙ୍କ ସଂଖ୍ୟା ୬୦କୁ ବୃଦ୍ଧି ପାଇଛି। ଆରଜେଡି ଏବଂ କଂଗ୍ରେସ ସିଟ୍ ବୁଝାମଣାକୁ ନେଇ କୌଣସି ନିଷ୍ପତ୍ତିରେ ପହଞ୍ଚି ପାରିନଥିବା ବେଳେ ଏହି ତାଲିକା ଘୋଷଣା କରାଯାଇଛି।
ଛଅ ଜଣ ପ୍ରାର୍ଥୀଙ୍କ ତାଲିକା ଅନୁଯାୟୀ, କଂଗ୍ରେସ ବାଲ୍ମିକି ନଗରରୁ ସୁରେନ୍ଦ୍ର ପ୍ରସାଦ କୁଶୱାହା, ଆରାରିଆରୁ ଆବିଦୁର ରେହମାନ, ଆମୋରରୁ ଜଲିଲ ମସ୍ତାନ, ବରାରୀରୁ ତୌକିର ଆଲମ, କହଲଗାଓଁରୁ ପ୍ରବୀଣ ସିଂହ କୁଶୱାହା ଏବଂ ସିକନ୍ଦରା (ଏସସି)ରୁ ବିନୋଦ ଚୌଧୁରୀଙ୍କୁ ପ୍ରାର୍ଥୀ କରିଥିଲା।
କଂଗ୍ରେସ ଗୁରୁବାର ଦିନ ୪୮ ଜଣ ପ୍ରାର୍ଥୀଙ୍କ ପ୍ରଥମ ତାଲିକା ପ୍ରକାଶ କରିଥିଲା, ଯେଉଁଥିରେ କୁଟୁମ୍ବା ଆସନରୁ ରାଜ୍ୟ ୟୁନିଟ୍ ମୁଖ୍ୟ ରାଜେଶ ରାମ ଏବଂ କଡୱାରୁ ସିଏଲପି ନେତା ଶକିଲ ଅହମ୍ମଦ ଖାନ ସାମିଲ ଥିଲେ। ଏହାପରେ ଶୁକ୍ରବାର, ଜାଲେରୁ ରିଷି ମିଶ୍ରଙ୍କୁ ପ୍ରାର୍ଥୀ କରିଥିଲା ବେଳେ, ଶନିବାର ପାଞ୍ଚ ଜଣ ଅନ୍ୟ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରିଥିଲା।