ନୂଆଦିଲ୍ଲୀ,୨୦/୧୦: ବିହାର ବିଧାନସଭା ନିର୍ବାଚନ ନେଇ ଦିନ ନିକଟ ହେଉଛି । ମହାମେଣ୍ଟରେ ଆସନ ବୁଝାମଣା ଅଙ୍କକଷା ଭିତରେ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ୧୪୩ ଜଣିଆ ପ୍ରାର୍ଥୀ ତାଲିକା ଜାରି କରିଛି । ଆରଜେଡି ନେତା ତେଜସ୍ୱୀ ଯାଦବ ବୈଶାଳୀ ଜିଲ୍ଲା ରାଘୋପୁରରୁ ନିର୍ବାଚନ ଲଢିବେ ।

ସେପଟେ କଂଗ୍ରେସ ଦୁଇଟି ପର୍ଯ୍ୟାୟରେ ୫୩ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି । ପ୍ରଥମ ପର୍ଯ୍ୟାୟରେ ୪୮ ଓ ଦ୍ୱିତୀୟ ପର୍ଯ୍ୟାୟ ତାଲିକାରେ ୫ ଜଣଙ୍କ ନାମ ରହିଛି । ରାଘୋପୁର ଆସନରେ ଆରଜେଡି ନେତା ତେଜସ୍ୱୀ ଯାଦବଙ୍କ ସହ ବିଜେପି ପ୍ରାର୍ଥୀ ସତୀଶ ଯାଦବଙ୍କ ଟକ୍କର ହେବ । ବର୍ତ୍ତମାନ ତେଜସ୍ୱୀ ଏହି ଆସନରୁ ବିଧାୟକ ଅଛନ୍ତି । ୨୦୧୦ରେ ଏଠାରେ ରାବ୍ରୀ ଦେବୀଙ୍କୁ ସତୀଶ ଯାଦବ ପରାସ୍ତ କରିଥିଲେ । ସେପଟେ ଏନ୍‌ଡିଏରେ ଆସନ ବୁଝାମଣା ଶେଷ ହୋଇସାରିଥିଲା ବେଳେ ପ୍ରାର୍ଥୀଙ୍କ ତାଲିକା ମଧ୍ୟ ଜାରି ହୋଇସାରିଛି । କିନ୍ତୁ ମୁଖ୍ୟମନ୍ତ୍ରୀ କିଏ ହେବେ ତାକୁ ନେଇ ଦ୍ୱନ୍ଦ୍ୱ ଜାରି ରହିଛି ।