ନୂଆଦିଲ୍ଲୀ: ଭୋଟର ତାଲିକାରେ ଅନିୟମିତତା ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ ମୁଖ୍ୟ ନିର୍ବାଚନ କମିଶନରଙ୍କୁ ପୁଣି ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ ଭୋଟର ତାଲିକାରୁ ଲୋକଙ୍କ ନାମ ଜାଣିଶୁଣି ହଟାଯାଉଛି। ଏହା ଏକ ବଡ଼ ଯୋଜନାର ଅଂଶ ବୋଲି ସେ ଦାବି କରିଛନ୍ତି। ଏହି କାମ ପାଇଁ ଏକ ସ୍ୱତନ୍ତ୍ର ସଫ୍ଟୱେୟାର ବ୍ୟବହାର ହେଉଛି, ଯାହା ମାଧ୍ୟମରେ ନକଲି ଆବେଦନପତ୍ର ତିଆରି କରାଯାଉଛି। ରାହୁଲ ଗାନ୍ଧୀ ଏହାର ପ୍ରମାଣ ତାଙ୍କ ପାଖରେ ଥିବା ମଧ୍ୟ କହିଛନ୍ତି।
ସୂଚନା ମୁତାବକ, ଗୁରୁବାର ରାହୁଲ ଗାନ୍ଧୀ ଦିଲ୍ଲୀରେ ଏକ ସାମ୍ୱାଦିକ ସମ୍ମିଳନି ଆୟୋଜନ କରିଥିଲେ। ଏହି ସମ୍ମିଳନିରେ ସେ କେତେକ ପ୍ରେଜେଣ୍ଟେସନ ସମସ୍ତଙ୍କୁ ଦେଖାଇଥିଲେ। ଯେଉଁଥିରେ ସ୍ୱତନ୍ତ୍ର ସଫ୍ଟୱେୟାର ଯୋଗେ ନକଲି ଆବେଦନ ତିଆରି ହେଉଥିବା ଦେଖାଇଥିଲେ। ଯେଉଁଥିରେ କେବଳ ସଂଖ୍ୟାଲଘୁ ମାନଙ୍କୁ ଟାର୍ଗେଟ କରାଯାଉଥିଲା ବୋଲି ସେ ଦାବି କରିଛନ୍ତି।
ରାହୁଲ ଗାନ୍ଧୀ କହିଛନ୍ତି ଯେ କିଛି ଲୋକ ଜାଣିଶୁଣି ଭୋଟର ତାଲିକାରୁ ନାମ ହଟାଉଛନ୍ତି। ଏହା ଏକ ସୁଚିନ୍ତିତ ଯୋଜନା ଅନୁଯାୟୀ ହେଉଛି। ସେ କର୍ଣ୍ଣାଟକ ରାଜ୍ୟକୁ ଉଦାହରଣ ଭାବେ ଦେଇଛନ୍ତି। ସେଠାରେ ଏକ ସଫ୍ଟୱେୟାର ବ୍ୟବହାର କରି ନକଲି ଆବେଦନପତ୍ର ତିଆରି ହେଉଛି, ଯାହା ଦ୍ୱାରା ଅନେକ ଲୋକଙ୍କ ନାମ ଭୋଟର ତାଲିକାରୁ ବାଦ ଦିଆଯାଉଛି। ଏହା ଦେଶରେ ନିର୍ବାଚନ ପ୍ରକ୍ରିୟାକୁ ପ୍ରଭାବିତ କରିପାରେ ବୋଲି ସେ ଆଶଙ୍କା କରିଛନ୍ତି।
ରାହୁଲ ଗାନ୍ଧୀ କର୍ଣ୍ଣାଟକର ଉଦାହରଣ ଦେଇ କହିଛନ୍ତି ଯେ “କର୍ଣ୍ଣାଟକରେ ଅଲନ୍ଦ ନାମକ ଏକ ନିର୍ବାଚନମଣ୍ଡଳୀ ରହିଛି। ଯେଉଁଠି କେହି ଜଣେ ୬,୦୧୮ ଜଣ ଭୋଟରଙ୍କ ତଥ୍ୟକୁ ଡିଲିଟ କରିଦାବାକୁ ଚାହିଁଥିଲେ।”ସେ ଆହୁରି ମଧ୍ୟ କହିଛନ୍ତି ଯେ “ଅଲନ୍ଦର ୨୦୨୩ ନିର୍ବାଚନରେ କେତେଜଣଙ୍କ ଭୋଟ ଚୋରି ହୋଇଛି ଆମକୁ ଜଣାନାହିଁ। ଏହା ୬,୦୧୮ ଭୋଟରୁ ଅଧିକ ହେବ ନିଶ୍ଚୟ। ତେବେ ସମ୍ୱିଧାନ ସହାୟତାରେ କେହି ଜଣେ ମାତ୍ର ଏତିକି ଭୋଟ ଡିଲିଟ କରୁଥିବା ବେଳେ ଧରାପଡିଯାଇଛନ୍ତି।”
ତେବେ ରାହୁଲ ଗାନ୍ଧୀଙ୍କ ଏହି ମନ୍ତବ୍ୟ ଆସିବାପରେ ନିର୍ବାଚନ ଆୟୋଗ ଏହାକୁ ଖଣ୍ଡନ କରିଛି। ରାହୁଲଙ୍କ ମନ୍ତବ୍ୟର କୌଣସି ସତ୍ୟତା ନାହିଁ ଏହା କେବଳ ଅନୁମାନ କରି କୁହାଯାଇଛି। କୌଣସି ଭୋଟରଙ୍କ ତଥ୍ୟକୁ କୌଣସି ପ୍ରକାର ସପ୍ଚୱେୟାର ଯୋଗେ କଟାଯାଇନାହିଁ ବୋଲି ଇସି ସୂଚନା ଦେଇଛି।
ତେବେ, ରହୁଲ ଏହି ସଫ୍ଟୱେୟାରର ନାମ ବା ଏହା କିପରି କାମ କରୁଛି ସେ ବିଷୟରେ କିଛି ସ୍ପଷ୍ଟ କହିନାହାନ୍ତି। ସେ କେବଳ ଏତିକି ଜଣାଇଛନ୍ତି ଯେ ଏହା ଏକ ବଡ଼ ଷଡ଼ଯନ୍ତ୍ରର ଅଂଶ।
ରାହୁଲ ଗାନ୍ଧୀ କହିଛନ୍ତି ଯେ ତାଙ୍କ ପାଖରେ ଏହି ଅଭିଯୋଗର ସପକ୍ଷରେ ପ୍ରମାଣ ଅଛି। ତେବେ, ସେ ଏହି ପ୍ରମାଣଗୁଡ଼ିକୁ ସାର୍ବଜନୀନ ଭାବେ ପ୍ରକାଶ କରିନାହାନ୍ତି।