ମୁମ୍ୱାଇ: ମହାରାଷ୍ଟ୍ରରେ ଗତ ତିନି ଦିନ ଧରି ହେଉଥିବା ପ୍ରବଳ ବର୍ଷା ଯୋଗୁଁ ଲୋକମାନେ ନାହିଁନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି। ପ୍ରବଳ ବୃଷ୍ଟିପାତ ଯୋଗୁଁ ବିଭିନ୍ନ ନଦିରେ ଆସିଥିବା ବନ୍ୟା ଏବଂ ଅନ୍ୟାନ୍ୟ ବିପର୍ଯ୍ୟୟରେ ଅତି କମରେ ୧୧ ଜଣ ଲୋକଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ଏହି ଅବିରତ ବର୍ଷା ରାଜ୍ୟରେ ବ୍ୟାପକ ବନ୍ୟା ପିରସ୍ଥିତି ସୃଷ୍ଟି କରିଛି। ଯାହାକୁ ନିୟନ୍ତ୍ରଣ କରିବା ପାଇଁ ମହାରାଷ୍ଟ୍ର ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ତୁରନ୍ତ ପଦକ୍ଷେପ ନେଉଛନ୍ତି।

ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ଅନୁଯାୟୀ, ଭାରି ବୃଷ୍ଟିପାତ କାରଣରୁ କେବଳ ସୋମବାର ତିନି ଜଣଙ୍କର ମୃତ୍ୟୁ ହୋଇଛି। ନାନ୍ଦେଡ଼ରେ ଜଣେ ଏବଂ ଅହିଲ୍ୟାନଗରରେ ଦୁଇ ଜଣ ବନ୍ୟା ଜଳରେ ଭାସି ଯାଇ ମୃତ୍ୟୁବରଣ କରିଛନ୍ତି। ସେହିଫରି ଗତ ସେପ୍ଟେମ୍ବର ୨୮ ତାରିଖରେ ପାଞ୍ଚ ଜଣଙ୍କର ମୃତ୍ୟୁ ହୋଇଥିଲା, ଯେଉଁଥିରେ ଅହିଲ୍ୟା ନଗରରେ ଦୁଇ ଜଣ, ନାସିକରେ ଜଣେ ଘର ଭୁଶୁଡ଼ି ପଡ଼ିବା ଯୋଗୁଁ, ଏବଂ ଯବତମାଲ ଓ ଜଲନାରେ ଜଣେ ଲେଖାଏଁ ବନ୍ୟା ଜନିତ ଘଟଣାରେ ମୃତ୍ୟୁବରଣ କରିଥିଲେ। ଏହା ସହିତ,ଗତ  ସେପ୍ଟେମ୍ବର ୨୭ ତାରିଖରେ ବଜ୍ରପାତ ଯୋଗୁଁ ତିନି ଜଣଙ୍କର ମୃତ୍ୟୁ ହୋଇଥିଲା।

ବର୍ଷା ବିତ୍ପାତରୁ ଲୋକମାନଙ୍କୁ ରକ୍ଷା କରିବାକୁ ସରକାର ୪୧,୦୦୦ରୁ ଅଧିକ ବାସିନ୍ଦାଙ୍କୁ ନିମ୍ନାଞ୍ଚଳ ଏବଂ ବନ୍ୟା ପ୍ରଭାବିତ ଅଞ୍ଚଳରୁ ସ୍ଥାନାନ୍ତର କରାଛନ୍ତି। ସୋଲାପୁର, ଜଲନା, ଛତ୍ରପତି ସମ୍ଭାଜି ନଗର ଏବଂ ଧାରାଶିବ ଜିଲ୍ଲା ସବୁଠାରୁ ଅଧିକ ପ୍ରଭାବିତ ହୋଇଛି। ପାଲଘର ଜିଲ୍ଲାର ତାଲାସାରୀରେ ସର୍ବାଧିକ ୨୦୮ ମିମି ବର୍ଷା ରେକର୍ଡ କରାଯାଇଛି। ସେହିଭଳି ମୁମ୍ବାଇରେ ୧୨୦.୮ ମିମି ଏବଂ ଛତ୍ରପତି ସମ୍ଭାଜି ନଗରରେ ୧୧୦.୩ ମିମି ବର୍ଷା ରେକର୍ଡ ହୋଇଛି।

ଗତ ସେପ୍ଟେମ୍ବର ୨୮ ତାରିଖରେ ଜୟକୱାଡ଼ି ଡ୍ୟାମରୁ ରେକର୍ଡ ୩ ଲକ୍ଷ କ୍ୟୁସେକ୍ ଜଳ ନିଷ୍କାସନ ଯୋଗୁଁ ପୈଠଣ ଅଞ୍ଚଳରେ ଗୁରୁତର ବନ୍ୟା ସୃଷ୍ଟି ହୋଇଛି। ଏହା ଡ୍ୟାମରୁ ଜଳ ନିଷ୍କାସନର ସର୍ବକାଳିନ ରେକର୍ଡ ଭାଙ୍ଗିଛି ବୋଲି ଅଧିକାରୀମାନେ ସୂଚନା ଦେଇଛନ୍ତି। ତେବେ ଦୀର୍ଘଦିନ ଧରି ବୃଷ୍ଟିପାତ ଲାଗି ରହିଥିବାରୁ ରାଜ୍ୟରେ ଥିବା ବିଭିନ୍ନ ଭିତ୍ତିଭୂମି ଉପରେ ମଧ୍ୟ ବଡ଼ ଧରଣ ପ୍ରଭାବ ପଡ଼ିଛି। ଭାମରାଗଡ଼ ଓ ପେର୍ଲକୋଟ ମଧ୍ୟରେ ଥିବା ଏକ ଜାତୀୟ ରାଜପଥ ପୋଲ ବନ୍ୟା ଜଳରେ ବୁଡ଼ି ରହିଛି ଏବଂ ଲାତୁର ଜିଲ୍ଲାରେ ପାଣି ମାଡିଯିବା ଯୋଗୁଁ ଏକକାଳିନ ଭାବେ ୬୦ଟି ରାସ୍ତା ବନ୍ଦ ହୋଇଛି। ମୋଝେ ନାରାୟଣପୁର ଏବଂ ଦେବ ଟାକଲି ସମେତ ଅନେକ ଗାଁ ବାହ୍ୟ ଦୁନିଆରୁ ବିଚ୍ଛିନ୍ନ ହୋଇଯାଇଛନ୍ତି। ତେବେ ଏହି ଦୁଇ ଗାଁରେ ମୋଟ ୩୭ ଜଣ ଲୋକ ଫଶି ରହିଥିବା ଜଣାପଡିଛି।

ଏହାରି ମଧ୍ୟରେ, ଭାରତୀୟ ପାଣିପାଗ ବିଭାଗ ପ୍ରଭାବିତ ଅଞ୍ଚଳଗୁଡ଼ିକରେ ରେଡ୍ ଏବଂ ଅରେଞ୍ଜ ଆଲର୍ଟ ଜାରି କରିଛି। ଭାରତୀୟ ବାୟୁସେନାର ଏକ ହେଲିକପ୍ଟର ଉଦ୍ଧାର କାର୍ଯ୍ୟ ପାଇଁ ନିୟୋଜିତ ହୋଇଛି। ଜାତୀୟ ବିପର୍ଯ୍ୟୟ ପ୍ରତିକାର ବଳ (ଏନଡିଆରଏଫ) ଏବଂ ରାଜ୍ୟ ବିପର୍ଯ୍ୟୟ ପ୍ରତିକାର ବଳ (ଏସଡିଆରଏଫ) ଉଦ୍ଧାର ଓ ରିଲିଫ କାର୍ଯ୍ୟରେ ନିୟୋଜିତ ଅଛନ୍ତି। ଏନେଇ ଅଧିକାରୀମାନେ କହିଛନ୍ତି ଯେ ଗତ ସପ୍ତାହରେ ୮.୪ କୋଟିରୁ ଅଧିକ ଏସଏମଏସ ଆଲର୍ଟ ପଠାଯାଇଛି। ଯାହା ନଦୀର ଜଳସ୍ତର ବୃଦ୍ଧି ଏବଂ ସମ୍ଭାବ୍ୟ ବନ୍ୟା ଆଶଙ୍କା ବିଷୟରେ ସ୍ଥାନିୟ ବାସିନ୍ଦାଙ୍କୁ ସତର୍କ କରାଇଛି। ଏହି ସଙ୍କଟ ସମୟରେ ରାଜ୍ୟ ସରକାର ଏବଂ ବିପର୍ଯ୍ୟୟ ପରିଚାଳନା ଦଳମାନେ ପ୍ରଭାବିତ ଅଞ୍ଚଳରେ ସ୍ଥିତି ନିୟନ୍ତ୍ରଣ କରିବା ପାଇଁ ନିରନ୍ତର ପ୍ରୟାସ ଜାରି ରଖିଛନ୍ତି।