ଭୁବନେଶ୍ଵର : ସ୍ୱାର୍ଥପର ଲୋକଙ୍କ ଦୃଷ୍ଟି ସବୁବେଳେ ନିଜ ଉପରେ ରହିଥାଏ । ଏପରି ଲୋକ ନିଜ ଚାରିପଟେ ଥିବା ଲୋକଙ୍କ ସୁଖଦୁଃଖ ଓ ଭାବନାକୁ ସେତେଟା ଗୁରୁତ୍ୱ ଦେଇ ନଥାନ୍ତି । ବରଂ ନିଜ ଉପରେ ଧ୍ୟାନକେନ୍ଦ୍ରୀତ କରିବାକୁ ବେଶୀ ପସନ୍ଦ କରିଥାନ୍ତି । ଅନ୍ୟ ଉପରେ ନିଜର ଭାବନା ଓ ଦୋଷକୁ ଲଦିବାକୁ ଭଲ ପାଇଥାନ୍ତି । ତେଣୁ ଯଥାସମ୍ଭବ ଏମାନଙ୍କଠାରୁ ଦୂରେଇ ରହିବା ଭଲ । ସ୍ୱାର୍ଥପର ଲୋକମାନେ ସବୁବେଳେ ନିଜର ଇଚ୍ଛା ଓ ଆବଶ୍ୟକତାକୁ ହିଁ ଗୁରୁତ୍ୱ ଦେଇଥାନ୍ତି । ଅନ୍ୟମାନଙ୍କ ପ୍ରତି ସେତେଟା ଧ୍ୟାନ ଦେଇ ନଥାନ୍ତି । କେବେ ଭାବିଛନ୍ତି ଏଭଳି ସ୍ୱାର୍ଥପର ଲୋକଙ୍କୁ ଚିହ୍ନିବା କେମିତି? ଚାଲନ୍ତୁ ଜାଣିବା...

କେବେବି ଚୁପ୍‌ ରୁହନ୍ତିନି: ସ୍ୱାର୍ଥପର ଲୋକଙ୍କର ସବୁଠାରୁ ବଡ଼ ଲକ୍ଷଣ ହେଲା କୌଣସିଠାରେ କଥାବାର୍ତ୍ତା ବା ମିଟିଂ ହେଉଥିବା ବେଳେ ଏମାନେ ସବୁବେଳେ ଅଧିକ କଥା କହିବାକୁ ବେଶୀ ପସନ୍ଦ କରିଥାନ୍ତି । ଯଦି ଆପଣ ଏମାନଙ୍କ ସହ କଥା ହେବାକୁ ଚାହାନ୍ତି, ତେବେ ସେମାନେ ନିଜର ସଫଳତା, ସମସ୍ୟା ଓ ଜୀବନ ବିଷୟରେ ହିଁ ଶୁଣାଇଥାନ୍ତି । ଯାହା ବିଷୟରେ ଜାଣିବାକୁ ଆପଣ କେବେବି ଆଗ୍ରହୀ ହୋଇ ନଥାନ୍ତି ।

ସମ୍ବେଦନଶୀଳ ନୁହଁନ୍ତି: ସମ୍ବେଦନଶୀଳ ଲୋକଟିଏ ଅନ୍ୟର ପରିସ୍ଥିତିକୁ ବୁଝିବା ପାଇଁ ନିଜକୁ ତା’ ସ୍ଥାନରେ ରଖି ବୁଝିବାକୁ ପ୍ରୟାସ କରିଥାଏ । କିନ୍ତୁ ନିଜ ଉପରେ ଫୋକସ୍‌ କରୁଥିବା ଲୋକ ଅନ୍ୟର ସମ୍ବେନଶୀଳତାକୁ ଅନୁଭବ କରିବା ଆଦୌ ସହଜ ହୁଏନା ।

ଦେବା ଅପେକ୍ଷା ଅଧିକ ପାଇବାର ଆଶା: ଏଭଳି ଲୋକଙ୍କ ସହ ସମ୍ପର୍କରେ ରହୁଥିବା ବ୍ୟକ୍ତି ପ୍ରାୟ ସମୟରେ ନିଜକୁ ଏକାଲା ଅନୁଭବ କରିଥାନ୍ତି । ଯେଉଁ ଲୋକ ବିନା ଆଶାରେ ସମ୍ପର୍କକୁ ବଞ୍ଚାଇ ରଖିବାକୁ ପୁରା ଚେଷ୍ଟା କରିଥାଏ । ସେମାନଙ୍କ ପାଇଁ ସ୍ୱାର୍ଥପର ଲୋକଙ୍କ ସହ ସମ୍ପର୍କ ତୁଲାଇବା ଆଦୌ ସହଜ ହୁଏନା ।

ନିଜ ମନର ମାଲିକ ହୋଇଥାନ୍ତି: ଏମାନେ ନିଜ ଅନୁସାରେ କାମ କରିବାକୁ ପସନ୍ଦ କରିଥାନ୍ତି । ଅନ୍ୟ ସହ ବୁଝାମଣାରେ କାମ କରିବା ଏମାନଙ୍କ ପାଇଁ ଖୁବ୍‌ କଷ୍ଟକର ହୋଇଥାଏ ।

ଅନ୍ୟକୁ ଦୋଷ ଦେବା ଏମାନଙ୍କ ପ୍ରକୃତି: ଏମାନଙ୍କୁ ନିଜ ଭୁଲ୍‌ କେବେବି ଦେଖାଯାଏନା । ବରଂ ନିଜ ଦୋଷକୁ ଅନ୍ୟ ଉପରେ ଲଦିବାରେ ଏମାନେ ଖୁବ୍‌ ବିଶ୍ୱାସ କରିଥାନ୍ତି ।

ଲକ୍ଷ୍ୟ ଅନ୍ୟମାନଙ୍କ ଦୃଷ୍ଟି ଆକର୍ଷଣ କରିବା: ଏଭଳି ଲୋକଙ୍କ ସାମ୍‌ନା ଅନ୍ୟକୁ ଗୁରୁତ୍ୱ ଦିଆଗଲେ, ଏମାନେ ସହ୍ୟ କରିପାରନ୍ତିନି । ବରଂ ନିଜେ ଦୃଷ୍ଟି ଆକର୍ଷଣ କରିବାକୁ ସମସ୍ତ ପ୍ରୟାସ କରିଥାନ୍ତି । ଅନ୍ୟ କେହି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ହେଉ ଏମାନେ ତାହା ଚାହାଁନ୍ତିନି । ଏପରିକି ଅନ୍ୟକୁ ସହଯୋଗ କରୁଥିଲେ ମଧ୍ୟ ସେମାନେ ନିଜର ଗୁଣା ବଖାଣୁଥାନ୍ତି ।

ସ୍ୱାର୍ଥପର ହେବାରୁ ଦୂରେଇ ରୁହନ୍ତୁ

ଅନ୍ୟମାନଙ୍କ କଥା ଶୁଣନ୍ତୁ: କହିବା ଅପେକ୍ଷା ଅନ୍ୟଠାରୁ ଶୁଣିବାକୁ ପ୍ରୟାସ କରନ୍ତୁ । କେବଳ ନିଜ ବିଷୟରେ କହିବା ପରିବର୍ତ୍ତେ ଅନ୍ୟ ବିଷୟରେ ଶୁଣିବାକୁ ଆଗ୍ରହ ଦେଖାନ୍ତୁ । ଏଭଳି ଆଚରଣ ଉଭୟ ବ୍ୟକ୍ତିଗତ ଓ ବୃତ୍ତିଗତ ଜୀବନରେ ଆଦରନ୍ତୁ ।

ଅନ୍ୟର ରାୟ ଜାଣନ୍ତୁ: ଯଦି ଅନ୍ୟକୁ ସାହାଯ୍ୟ କରୁଥାନ୍ତି କିମ୍ବା ସହଯୋଗର ହାତ ବଢାଉଥାନ୍ତି, ତେବେ ତାଙ୍କ ରାୟ ମଧ୍ୟ ନିଅନ୍ତୁ । ଏଭଳି ସ୍ଥିତିରେ କେବଳ ନିଜର କାହାଣୀ ଶୁଣାନ୍ତୁନି ।

ସମ୍ବେଦନଶୀଳ ହୁଅନ୍ତୁ: ଅନ୍ୟର ଦୁଃଖରେ ସହଯୋଗ କରୁଥିଲେ, ନିଜକୁ ତା’ ସ୍ଥାନରେ ରଖି ଦେଖନ୍ତୁ ।