ନୂଆଦିଲ୍ଲୀ,୦୨/୧୦: ପ୍ରଖ୍ୟାତ ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତ ଗାୟକ ପଣ୍ଡିତ ଛନ୍ନୁଲାଲ ମିଶ୍ରାଙ୍କ ପରଲୋକ । ଗୁରୁବାର ଭୋର ୪ଟା ୧୫ ମିନିଟରେ ଉତ୍ତର ପ୍ରଦେଶର ମିର୍ଜାପୁରରେ ତାଙ୍କର ଦେହାନ୍ତ ହୋଇଛି  । ମୃତ୍ୟୁ ବେଳକୁ ତାଙ୍କୁ ୯୧ ବର୍ଷ ବୟସ ହୋଇଥିଲା । ପଣ୍ଡିତ ଛନ୍ନୁଲାଲ କିଛି ଦିନ ହେଲା ଅସୁସ୍ଥ ଥିଲେ । ବନାରସ ହିନ୍ଦୁ ବିଶ୍ବବିଦ୍ୟାଳୟର ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଉନ୍ସରେ ତାଙ୍କର ଚିକିତ୍ସା ଚାଲିଥିଲା । ଆଜି ଭୋରୁ ପଣ୍ଡିତ ଛନ୍ନୁଲାଲ୍ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି ।  

ଛନ୍ନୁଲାଲଙ୍କ ବିୟୋଗରେ ପୂରା ସଂଗୀତ ଜଗତକୁ ଶୋକରେ ଡୁବାଇ ଦେଇଛି । ପରିବାର ଲୋକଙ୍କ ସୂଚନା ଅନୁଯାୟୀ, ତାଙ୍କର ଶେଷକୃତ୍ୟ ଆଜି ବାରାଣାସୀର ମଣିକର୍ଣ୍ଣିକା ଘାଟରେ କରାଯିବ । ପଣ୍ଡିତ ଛନ୍ନୁଲାଲ ମିଶ୍ରା ଖୟାଲ ଏବଂ ପୂର୍ବ ଠୁମରୀ ଶାସ୍ତ୍ରୀୟ ସଂଗୀତର ଗାଇବା ଶୈଳକୁ ଏକ ଭିନ୍ନ ରୂପ ଦେଇ ଶୀର୍ଷରେ ପହଞ୍ଚାଇଥିଲେ ।

୧୯୩୬ ଅଗଷ୍ଟ ମାସରେ ଉତ୍ତର ପ୍ରଦେଶର ଆଜମଗଡ଼ ଜିଲ୍ଲାର ହରିହରପୁରରେ ଜନ୍ମଗ୍ରହଣ କରିଥିଲେ ପଣ୍ଡିତ ଛନ୍ନୁଲାଲ ମିଶ୍ରା । ପିତା ବଦ୍ରି ପ୍ରସାଦ ମିଶ୍ରାଙ୍କଠୁ ସେ ପ୍ରାରମ୍ଭିକ ସଙ୍ଗୀତ ତାଲିମ ନେଇଥିଲେ । ପରେ, ସେ କିରାଣା ଘରାନାର ଉସ୍ତାଦ ଅବଦୁଲ ଘନି ଖାନଙ୍କଠାରୁ ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତର ତାଲିମ ଗ୍ରହଣ କରିଥିଲେ। କାଶୀ ମାଟିରେ ପଣ୍ଡିତ ଛନ୍ନୁଲାଲ ତାଙ୍କର ଗଭୀର ଭାବପୂର୍ଣ୍ଣ ଏବଂ ମଧୁର କଣ୍ଠସ୍ୱରରେ 'ଠୁମରି' ଏବଂ 'ପୁରବ ଅଙ୍ଗ' ଗାଇବାର ଶୈଳୀକୁ ଅମର କରିଦେଇଥିଲେ।

ଅନ୍ତିମ ସମୟରେ ସ୍ୱାସ୍ଥ୍ୟ ସମସ୍ୟା ସତ୍ତ୍ୱେ, ସେ ସଙ୍ଗୀତ ସାଧନାରେ ମଗ୍ନ ଥିଲେ। ମିର୍ଜାପୁର ପ୍ରଶାସନ ତାଙ୍କ ଯତ୍ନ ନେବା ପାଇଁ ଡାକ୍ତରଙ୍କ ଏକ ଦଳ ନିୟୋଜିତ କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ୨୦୧୪ ଲୋକସଭା ନିର୍ବାଚନ ପାଇଁ ବାରଣାସୀରେ ତାଙ୍କର ପ୍ରସ୍ତାବକ ଭାବରେ ମନୋନୀତ କରିଥିଲେ ।