​​​​​​​ମାଲକାନାଗିରି, ୧୪/୧୦ (ଆପ୍ର ): ରାଜସ୍ୱ ଆୟୁକ୍ତ ସଚିବ ବୀରସେନ ପ୍ରଧାନ ମାଲକାନଗିରି ଜିଲ୍ଲା ଗସ୍ତକରି  ଜିଲ୍ଲାସ୍ତରୀୟ ଟ୍ରାଙ୍ଗୁଲାର କମିଟି ବୈଠକରେ ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଜିଲ୍ଲାପାଳ କାର୍ଯ୍ୟାଳୟ ସ୍ଥିତ ଏଫଏଲସି ହଲ ଠାରେ ଟ୍ରାଇଙ୍ଗୁଲାର କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ସାଧାରଣ ସୋମନାଥ ପ୍ରଧାନ ସଭାପତିତ୍ବ କରିଥିବା ବେଳେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ବେଦବର ପ୍ରଧାନ ଉପସ୍ଥିତ ଥିଲେ ।

ସରକାର ପ୍ରଦାନ କରୁଥିବା ଅର୍ଥର ସୁବିନିଯୋଗ ଓ ବିନିଯୋଗ ପ୍ରମାଣପତ୍ର ନିୟମ ଅନୁସାରେ ପ୍ରଦାନ ଏକ ବିଧି ସମ୍ମତ କାର୍ଯ୍ୟ। କିନ୍ତୁ ଏହା ସଠିକ୍ ଭାବରେ କାର୍ଯ୍ୟକାରୀ ହୋଇଛି ନା ନାହିଁ ତାହା ଟ୍ରାଇଙ୍ଗୁଲାର କମିଟି ଅନୁଧ୍ୟାନ କରିଛି। ଏହି କମିଟି ବିଭିନ୍ନ ଆର୍ଥିକ ଅସଙ୍ଗତି ଅନୁଧ୍ୟାନ ସହ ତ୍ରୁଟି ସୁଧାରିବାକୁ ପରାମର୍ଶ ଦେଇଥାନ୍ତି। ଯେଉଁଭଳି ଭାବେ ଅଧିକରୁ ଅଧିକ ଅଡିଟ ପାରା ସମାଧାନ ହୋଇପାରିବ, ସେଥି ନିମନ୍ତେ ସମସ୍ତ ଅଧିକାରୀଙ୍କୁ ସହଯୋଗ କରିବା ପାଇଁ ସଚିବ ନିର୍ଦ୍ଦେଶ ଦେଇଥିଲେ।

ବୁଧବାର ଶ୍ରୀ ପ୍ରଧାନ ବିଭିନ୍ନ ରାଜସ୍ବ  କାର୍ଯ୍ୟାଳୟରେ  ଅଡିଟ ପାରା ନିରୀକ୍ଷଣ କରିବାର କାର୍ଯ୍ୟକ୍ରମ ରହିଛି । ଏହି ବୈଠକରେ ଡେପୁଟି କଲେକ୍ଟର ଜଗଜୀବନ ଚୌଧୁରୀ, ସହାୟକ ଜିଲ୍ଲାପାଳ ମୁନା ତୁରୁକ୍, କଟକ ବୋର୍ଡ ଅଫ୍ ରେଭେନ୍ୟୁରୁ ତିନି ଓ ଦକ୍ଷିଣାଞ୍ଚଳ ରାଜସ୍ୱ ଆୟୁକ୍ତ କାର୍ଯ୍ୟାଳୟରୁ ଜଣେ ଅଡିଟର ଉପସ୍ଥିତ ଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ମାଥିଲି, ମାଲକାନଗିରିକାଲିମେଳା ଓ ଚିତ୍ରକୋଣ୍ଡା ତହସିଲଦାର ଉପସ୍ଥିତ ଥିଲେ।