ନୂଆଦିଲ୍ଲୀ,୦୮/୧୦: ଦିନିକିଆ ଅଧିନାୟତ୍ୱ ଛଡ଼ାଇ ନେବା ପରେ ମୁହଁ ଖୋଲିଛନ୍ତି ହିଟମ୍ୟାନ ରୋହିତ ଶର୍ମା । ଚାମ୍ପିଆନ୍ସ ଟ୍ରଫିକୁ ନେଇ ଦେଇଛନ୍ତି ଚମକାଇ ଦେବା ପରି ବୟାନ । ଗୌତମ ଗମ୍ଭୀରଙ୍କ ପ୍ରଶିକ୍ଷଣରେ ଜିତିଲେ ହେଲେ ଶ୍ରେୟ ରାହୁଲ ଦ୍ରାବିଡଙ୍କୁ ଦେଇଛନ୍ତି । ଚାମ୍ପିଆନ୍ସ ଟ୍ରଫି ଜିତିବା ପଛରେ ରାହୁଲ ଦ୍ରାବିଡଙ୍କ ହାତ ଥିବା କହିଛନ୍ତି ରୋହିତ । କ୍ୟାପ୍ଟେନ୍ସି ଛଡାଇ ନେବା ପରେ ଗୌତମଙ୍କ ଉପରେ ଗମ୍ଭୀର କି ରୋହିତ ? ତାଙ୍କର ଏହି ବୟାନରୁ ସେମିତି କିଛି ବାରି ହୋଇପଡୁଛି ।
ଦିନିକିଆରେ ରୋହିତଙ୍କଠୁ କ୍ୟାପ୍ଟେନ୍ସି ଛଡାଇ ନେଇ ଶୁବମନଙ୍କୁ ଦିଆଯାଇଛି । ଏହାପରେ ପ୍ରଥମ ବଡ଼ ବୟାନ ଦେଇଛନ୍ତି ରୋହିତ ଶର୍ମା । ସିଏଟ କ୍ରିକେଟ ରେଟିଂ ପୁରସ୍କାର ସମାରୋହରେ ସାମିଲ ହୋଇଥିଲେ ରୋହିତ ଶର୍ମା । ଏହି କାର୍ଯ୍ୟକ୍ରମରେ ରୋହିତ ଦେଇଥିବା ବୟାନରୁ ଅନୁମାନ ହେଉଥିଲା ହେଡ୍ କୋଚ ଗମ୍ଭୀରଙ୍କ ସହ ତାଙ୍କର କିଛି ଠିକଠାକ୍ ନାହିଁ । ରୋହିତ କହିଛନ୍ତି, ''୨୦୨୩ ବିଶ୍ୱକପ ଏକ ଯାତ୍ରା ଥିଲା ଯାହାକୁ ଆମେ ବହୁବର୍ଷ ଧରି ଜାରି ରଖିଥିଲୁ । ଏହା ଗୋଟିଏ କି ଦୁଇବର୍ଷ ନୁହେଁ ବହୁ ବର୍ଷର ପରିଶ୍ରମର ଫଳାଫଳ । ଆମେ ଅନେକ ଥର ବିଶ୍ବକପ ନିକଟତର ହୋଇଛୁ ହେଲେ ଜିତିପାରିନାହୁଁ । ଆମକୁ କିଛି ଭିନ୍ନ କରିବାକୁ ପଡିବ ବୋଲି ଚିନ୍ତା କରିଥିଲୁ । ଆମେ ଟି-୨୦ ବିଶ୍ୱକପ ଓ ଚମ୍ପିଆନ୍ସ ଟ୍ରଫି ପାଇଁ ପ୍ରସ୍ତୁତ ହୋଇଥିଲୁ । ଏଥିରେ ରାହୁଲ ଭାଇ ମୋତେ ବହୁତ ସାହାଯ୍ୟ କରିଛନ୍ତି । ରାହୁଲ ଦ୍ରାବିଡଙ୍କ କୋଚ୍ କାର୍ଯ୍ୟକାଳରେ ଆରମ୍ଭ ହୋଇଥିବା ପ୍ରକ୍ରିୟାର ପାଳନ କରିବା ଟାମ୍ପିଅନ୍ସ ଟ୍ରଫି ଜିତିବାରେ ସାହାଯ୍ୟ କରିଛି । ଗୌତମ ଗମ୍ଭୀର ଯେବେ ମୁଖ୍ୟ ପ୍ରଶିକ୍ଷକ ହେଲେ ଭାରତ ଟୁର୍ଣ୍ଣାମେଣ୍ଟ ଜିତିଲା । ପୁରା ଟିମ ପୂର୍ବ ଅଧିନାୟକ ଏବଂ କୋଚ୍ଙ୍କ ଚିନ୍ତାଧାରକୁ ଆପଣାଇ ଟ୍ରଫି ଜିତିଲା ।''
ସେହିପରି ଅଷ୍ଟ୍ରେଲିଆ ବିପକ୍ଷରେ ଆରମ୍ଭ ଦେବାକୁ ଥିବା ଦିନିକିଆ ସିରିଜକୁ ନେଇ ରୋହିତ କହିଛନ୍ତି, ମୁଁ ସେ ଦଳ ସହ ଖେଳିବାକୁ ବହୁତ ପସନ୍ଦ କରେ । ଅଷ୍ଟ୍ରେଲିଆରେ ଖେଳିବାକୁ ଉପଭୋଗ କରେ । ସେଠାରେ କ୍ରିକେଟ ଖେଳିବା ସର୍ବଦା ଚ୍ୟାଲେଞ୍ଜିଂ ହୋଇଥାଏ । ଅଷ୍ଟ୍ରେଲିଆ ସବୁବେଳେ ଆମ ପାଇଁ ଭିନ୍ନ ଚ୍ୟାଲେଞ୍ଜ ଆଣେ । ମୁଁ ବ୍ୟକ୍ତିଗତ ଭାବରେ ମୋର ସମସ୍ତ ଫର୍ମାଟରେ ପ୍ରଦର୍ଶନକୁ ନେଇ ଗର୍ବିତ । ରୋହିତ-ରାହୁଲଙ୍କ କାର୍ଯ୍ୟକାଳରେ ଭାରତ ୨୦୨୩ ଦିନିକିଆ ବିଶ୍ୱକପ ଫାଇନାଲରେ ହାରିବା ପରେ ୨୦୨୪ ଟି-ଟ୍ୱେଣ୍ଟି ବିଶ୍ୱକପ ଜିତିଥିଲା । ଏହାପରେ ଗୌତମ ଗମ୍ଭୀରଙ୍କ କାର୍ଯ୍ୟକାଳରେ ୨୦୨୫ ଚାମ୍ପିଅନ୍ସ ଟ୍ରଫି ହାତେଇଥିଲା ଟିମ୍ ଇଣ୍ଡିଆ ।
ହିଟମ୍ୟାନ୍ ରୋହିତ ଶର୍ମା, ଭାରତକୁ ଟି-ଟ୍ୱେଣ୍ଟି ବିଶ୍ୱକପ୍ ଓ ଚାମ୍ପିଆନ୍ସ ଟ୍ରଫି ଜିତାଇଥିବା ଜଣେ ସଫଳ ଅଧିନାୟକ । ତାଙ୍କ ଅଧିନାୟକତ୍ୱରେ ମୋଟ୍ ୫୬ଟି ମ୍ୟାଚରୁ ଟିମ୍ ଇଣ୍ଡିଆ ୪୨ଟି ଜିତିଛି । ଆଇସିସି ଦିନିକିଆ ଇଭେଣ୍ଟରେ ବେଷ୍ଟ ବିଜୟ-ପରାଜୟ ରେସିଓ ତାଲିକାରେ ରୋହିତ ନମ୍ବର ୱାନରେ ଅଛନ୍ତି । ଅଷ୍ଟ୍ରେଲିଆର ରିକିଂ ପଏଣ୍ଟିଙ୍କୁ ପଛରେ ପକାଇଛନ୍ତି ହିଟମ୍ୟାନ । ଭାରତୀୟ ଦଳର ଏତେ ସଫଳତମ କ୍ୟାପଟେନଙ୍କ ହାତରୁ କାହିଁକି ଛଡ଼ାଇ ନିଆଗଲା କ୍ୟାପଟେନସି ? ସଭିଙ୍କ ମନରେ ଏବେ ଏହି ଗୋଟିଏ ପ୍ରଶ୍ନ ।