ନୂଆଦିଲ୍ଲୀ,୧୫/୧୦: ଅକ୍ଟୋବର ୧୯ରୁ ଅଷ୍ଟ୍ରେଲିଆ ବିପକ୍ଷରେ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ଖେଳିବ ଭାରତ । ଏ ନେଇ ଆଜି ଶୁଭମନ ଗିଲଙ୍କ ନେତୃତ୍ୱାଧୀନ ଟିମ୍ ଇଣ୍ଡିଆ ଅଷ୍ଟ୍ରେଲିଆ ଗସ୍ତ କରିଛି । ଏହି ସିରିଜରେ ଟିମ୍ ଇଣ୍ଡିଆରେ ରୋହିତ-କୋହଲି ଅଛନ୍ତି । ହେଲେ ରୋହିତ କ୍ୟାପ୍ଟେନ ନାହାନ୍ତି । ତାଙ୍କ ସ୍ଥାନରେ ଶୁଭମନଙ୍କୁ ଅଧିନାୟକ ଦାୟିତ୍ୱ ଦିଆଯାଇଛି । ଅଷ୍ଟ୍ରେଲିଆ ଗସ୍ତ ରୋହିତ-କୋହଲିଙ୍କ ଶେଷ ଦିନିକିଆ ବୋଲି ଚର୍ଚ୍ଚା ହେଉଛି । ଏହି ଦିନିକିଆ ସିରିଜ ପରେ ସେ ଅବସର ନେବେ ବୋଲି କୁହାଯାଉଛି । ଏହାକୁ ନେଇ ନୀରବତା ଭାଙ୍ଗିଛି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ।

ରୋହିତ ଓ ବିରାଟଙ୍କ ଦିନିକିଆ ଅବସର ଗୁଜବ ଉପରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ବିସିସିଆଇ ଉପାଧ୍ୟକ୍ଷ ରାଜୀବ ଶୁକ୍ଳା । ନିକଟରେ ମିଡିଆ ରିପୋର୍ଟରେ ଦାବି ହୋଇଥିଲା କି, ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ହେବାକୁ ଥିବା ଦିନିକିଆ ସିରିଜ କିମ୍ବଦନ୍ତୀ କ୍ରିକେଟର ରୋ-କୋଙ୍କ ଶେଷ ମ୍ୟାଚ ହେବ । ଏହି ଖବରକୁ ଭୁଲ ବୋଲି କହିଛନ୍ତି ରାଜୀବ ଶୁକ୍ଳା । ସେ କହିଛନ୍ତି, ''ଦଳରେ ରୋହିତ-କୋହଲି ରହିବା ଆମ ପାଇଁ ବହୁତ ଲାଭ ଦାୟକ । କାରଣ ଦୁହେଁ ମହାନ୍ ବ୍ୟାଟର । ସେ ଟିମ୍‌ରେ ରହିବା ଫଳରେ ଅଷ୍ଟ୍ରେଲିଆକୁ ହରାଇବା ସହଜ ହେବ । ଏହି ସିରିଜ ତାଙ୍କର ଶେଷ କେବେ ବି ହେବନାହିଁ । ଆମେ ସେସବୁ କଥା ଶୁଣୁନାହୁଁ । କେବେ ସନ୍ନ୍ୟାସ ନେବେ ଏହା ଖେଳାଳିଙ୍କ ବ୍ୟକ୍ତିଗତ ନିଷ୍ପତ୍ତି । ଏହା ତାଙ୍କର ଶେଷ ସିରିଜ କହିବା ସମ୍ପୂର୍ଣ୍ଣ ଭୁଲ ।''

ବିରାଟ କୋହଲି ଓ ରୋହିତ ଶର୍ମା ଟେଷ୍ଟ ଓ ଟି-୨୦ରୁ ଅବସର ନେଇ ସାରିଛନ୍ତି । ଏବେ ସେ କେବଳ ଦିନିକିଆ ଖେଳୁଛନ୍ତି । ଦିନିକିଆରେ ରୋହିତଙ୍କଠୁ ଅଧିନାୟକତ୍ୱ ଛଡାଇ ନିଆଯାଇ ଶୁଭମନ ଗିଲଙ୍କୁ ଦିଆଯାଇଛି । ଯାହାକୁ ନେଇ ବିସିସିଆଇ ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି ରୋହିତଙ୍କ ଫ୍ୟାନ୍ସ । ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ପ୍ରଥମ ଦିନିକିଆ ଅକ୍ଟୋବର ୧୯ରେ ପର୍ଥରେ ଖେଳାଯିବ । ସିରିଜର ଦ୍ୱିତୀୟ ମ୍ୟାଚ୍ ୨୩ରେ ଏବଂ ଶେଷ ଦିନିକିଆ ଅକ୍ଟୋବର ୨୫ରେ ଖେଳାଯିବ ।